ତୃତୀୟପକ୍ଷ ଠିକାଦାରଙ୍କ ଜୁଲମ ବିରୋଧରେ ଏଆରଟେଲ ଟେକନିସିଆନଙ୍କ ପ୍ରତିବାଦ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ତୃତୀୟପକ୍ଷ ଠିକାଦାରଙ୍କ ଜୁଲମ ବିରୋଧରେ ଏଆରଟେଲ ଅଧିନରେ ନିଯୁକ୍ତିପ୍ରାକ୍ତ ଟେକନିସିଆନମାନେ ଆଜି କେନ୍ଦ୍ରାପଡା ସଦର ଥାନା ସମ୍ମୁଖରେ ପ୍ରତିବାଦ କରିଥିବା ଦେଖାଯାଇଛି । ପ୍ରତାପ ଟେକ୍ନୋକ୍ରାଟ ପ୍ରାଇଭେଟ ଲିମିଟେଡ ନାମକ ଏକ ତୃତୀୟ ପକ୍ଷ ଠିକାଦର ବିକାଶ ଚନ୍ଦ୍ର ନାୟକ ନାମକ ଜନୈକ ଟେକନିସିଆନଙ୍କ ନାମରେ କେନ୍ଦ୍ରାପଡା ସଦର ଥାନାରେ କରିଥିବା ମିଥ୍ୟା ଅଭିଯୋଗକୁ ନେଇ ନିଖିଳ ଓଡିଶା ଭାରତୀ ଇନଫ୍ରାଟେଲ କଣ୍ଟ୍ରାକଚୁଆଲ ଟେକନିସିଆନସ ୟୁନିଅନ ପକ୍ଷରୁ ଏଭଳି ପ୍ରତିବାଦ କରାଯାଇଛି । ଅଭିଯୋଗ ଅନୁଯାୟୀ ଏଆରଟେଲ କମ୍ପାନୀ ଅଧିନରେ ନିଯୁକ୍ତି ପାଇ ପରବର୍ତ୍ତୀ ସମୟରେ ଇଣ୍ଡସ ଟାୱାର ଲିମିଟେଡ(ପୂର୍ବରୁ ଭାରତୀ ଇନଫ୍ରାଟେଲ ଲିମିଟେଡ) ଅଧିନରେ ଅଧୁନା କାର୍ଯ୍ୟରତ ଟେକନିସିଆନମାନଙ୍କ ସହ କୈାଣସି ଆଲୋଚନା ନକରି ସେମାନଙ୍କୁ ପ୍ରତାପ ଟେକ୍ନୋକ୍ରାଟ ପ୍ରାଇଭେଟ ଲିମିଟେଡ ଏବଂ ନରୁଲା ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡ ଭଳି ତୃତୀୟ ପକ୍ଷ ଠିକା ସଂସ୍ଥା ଅଧିନରେ ଜୋର ଜବରଦସ୍ତ କାମ କରିବାକୁ ବାଧ୍ୟ କରୁଥିବାରୁ ନିଖିଳ ଓଡିଶା ଭାରତୀ ଇନଫ୍ରାଟେଲ କଣ୍ଟ୍ରାକଚୁଆଲ ଟେକନିସିଆନସ ୟୁନିଅନ ପକ୍ଷରୁ ଏଭଳି ବେଆଇନ କାର୍ଯ୍ୟର ବିରୋଧରେ ସାରା ରାଜ୍ୟରେ ପ୍ରତିବାଦ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାର ଦାୟୀତ୍ୱ ଇଣ୍ଡସ ଟାୱାର ଲିମିଟେଡ ପକ୍ଷରୁ ପ୍ରତାପ ଟେକ୍ନୋକ୍ରାଟ ପ୍ରାଇଭେଟ ଲିମିଟେଡକୁ ଦିଆଯାଇଥିବା ସଂପୃକ୍ତ ସଂସ୍ଥା ଦାବି କରି କେନ୍ଦ୍ରାପଡା ଜିଲ୍ଲାର କେତେକ ଏଆରଟେଲ ଟାୱାର ନିକଟରେ ପହଞ୍ଚି ସଂପୃକ୍ତ ଟାୱାରର ତାଲା ଜୋର ଜବରଦସ୍ତି ଭାଙ୍ଗି ସେଠାରେ ନୂତନ ତାଲା ପକାଉଥିବା ସହ ସଂପୃକ୍ତ ଅଞ୍ଚଳର ଟେକନିସିଆନଙ୍କୁ ଏହି କମ୍ପାନୀରେ ଯୋଗଦାନ କରିବାକୁ ଧମକାଉଥିବା ଅଭିଯୋଗ ହୋଇଛି । ଟେକନିସିଆନମାନେ ଏଭଳି ବେଆଇନ କାର୍ଯ୍ୟର ବିରୋଧ କରିବାରୁ ଟେକନିସିଆନଙ୍କୁ ଜବତ କରିବା ଉଦେଶ୍ୟରେ ପ୍ରତାପ ଟେକ୍ନୋକ୍ରାଟ ପ୍ରାଇଭେଟ ଲିମିଟେଡ ପକ୍ଷରୁ କେନ୍ଦ୍ରାପଡା ସଦର ଥାନାରେ ଟେକନିସିଆନ ବିକାଶ ଚନ୍ଦ୍ର ନାୟକଙ୍କ ନାମରେ ମିଥ୍ୟା ଅଭିଯୋଗ କରାଯାଇଛି । ଥାନା ପକ୍ଷରୁ ଟେକନିସିଆନ ଶ୍ରୀ ନାୟକଙ୍କୁ ଆଜି ଥାନାକୁ ଡକାଯାଇଥିଲା । ତେଣୁ ନିଖିଳ ଓଡିଶା ଭାରତୀ ଇନଫ୍ରାଟେଲ କଣ୍ଟ୍ରାକଚୁଆଲ ଟେକନିସିଆନସ ୟୁନିଅନ ପକ୍ଷରୁ ଏହାର ବିରୋଧ କରାଯାଇ ଥାନା ସମ୍ମୁଖରେ ପ୍ରତିବାଦ କରାଯାଇଥିଲା । ଅନ୍ୟପକ୍ଷରେ ଥାନା ଅଧିକାରୀ ସରୋଜ କୁମାର ସାହୁଙ୍କ ଚାମ୍ବରରେ ବସିଥିବା ଆଲୋଚନାରେ ଉଭୟ ଠିକାସଂସ୍ଥା ଓ ଟେକନିସିଆନ ଶ୍ରୀ ନାୟକ ଯୋଗଦେଇଥିଲେ ମଧ୍ୟ ଠିକାସଂସ୍ଥା ପ୍ରତାପ ଟେକ୍ନୋକ୍ରାଟ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଆବଶ୍ୟକ କାଗଜାଦ ଉପସ୍ଥାପନ କରାଯାଇ ନପାରିବାରୁ କୈାଣସି ସିଦ୍ଧାନ୍ତ ନିଆଯାଇନଥିଲା । ପରେ ୟୁନିଅନ ପକ୍ଷରୁ କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକଙ୍କ ଉଦେଶ୍ୟରେ ସଂପୃକ୍ତ ତୃତୀୟପକ୍ଷ ଠିକାସଂସ୍ଥା ବିରୋଧରେ ଏକ ୧୧ଦଫା ସମ୍ବଳିତ ଅଭିଯୋଗ ପ୍ରଦାନ କରାଯାଇଥିବା ୟୁନିଅନର ସଭାପତି ଡ. ପୂର୍ଣ୍ଣଚନ୍ଦ୍ର ବେହେରା, ସମ୍ପାଦକ ବୁଗୁରୁ ତ୍ରିନାଥ, ଜୋନାଲ ସଭାପତି ବିକାଶ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି । ଏହି ପ୍ରତିବାଦରେ ଏଆଇଟିୟୁସି ରାଜ୍ୟ କମିଟି ସଭ୍ୟ ଅଶୋକ ସାହୁ, ଶ୍ରମିକନେତା ରମଣୀରଞ୍ଜନ ରାଉତରାୟ, ବିଧୁଭୂଷଣ ମହାପାତ୍ର, ଆଲୋକ ମହାନ୍ତି, ମାନସ ରାଉତ, ସୁବ୍ରତ ଜେନା, କିଶୋର ରାଉତ, ରମେଶ ଚନ୍ଦ୍ର ସାହୁ, ରାକେଶ ଓଝା, ବସନ୍ତ ସାହୁ, ସନ୍ତୋଷ ମହାପାତ୍ର, ଭବାନିଶଙ୍କର ନାୟକ, ଧନଞ୍ଜୟ ବାରିକ, ପ୍ରଦୀପ ରାଉତ, ରାଜୀବ ରାଉତ, ଶ୍ରୀକାନ୍ତ ଜେନା, ଦୀପକ ମହାପାତ୍ର ପ୍ରମୁଖ ୩୦ରୁ ଉର୍ଦ୍ଧ୍ୱ ଟେକନିସିଆନମାନେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ