କେନ୍ଦ୍ରାପଡା ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟୀତ୍ୱ ଦେବାକୁ ଉଚ୍ଚଶିକ୍ଷା ବିଭାଗକୁ ହାଇକୋର୍ଟଙ୍କ ନିର୍ଦେଶ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଓଡିଶା ଉଚ୍ଚ ନ୍ୟାୟାଳୟରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଗଣିତ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଅଶୋକ ମିଶ୍ର ଦାୟର କରିଥିବା ଡବ୍ଲୁପିସି ନମ୍ବର- ୩୮୩୯୧/୨୦୨୩ର ଶୁଣାଣୀ ସମୟରେ ଓଡିଶା ଉଚ୍ଚ ନ୍ୟାୟାଳୟ ଗତ ୩୦.୧୧.୨୦୨୩ରିଖରେ ଏହି ରିଟ ପିଟିସନର ଆବେଦନକାରୀ ଶ୍ରୀ ମିଶ୍ର ଓ ଅପରପକ୍ଷ ନଂ-୫ ଅର୍ଥାତ ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପକ ଜ୍ଞାନୀନ୍ଦ୍ର ଦାସଙ୍କ ବ୍ୟତିତ ଅନ୍ୟ ବରିଷ୍ଠ ଅଧ୍ୟାପକଙ୍କୁ ଏହି ମାମଲାର ଫଇସଲା ପର୍ଯ୍ୟନ୍ତ କେନ୍ଦ୍ରାପଡା ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦେବାକୁ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ସେହି ନିର୍ଦେଶ ଅନୁଯାୟୀ ଉଚ୍ଚଶିକ୍ଷା ବିଭାଗ ଗତ ୧୪.୧୨.୨୦୨୩ରିଖରେ କେନ୍ଦ୍ରାପଡା ମହାବିଦ୍ୟାଳୟର ଜଣେ ସର୍ବକନିଷ୍ଠ ଅଧ୍ୟାପକଙ୍କୁ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ କାମ କରିବାକୁ ଅନୁମତି ଦେଇଥିଲେ । ସଂପୃକ୍ତ ଅଧ୍ୟାପକ ଜଣଙ୍କ ଏହି ମାମଲାର ଆବେଦନକାରୀ ଓ ଅପରପକ୍ଷ ଅଧ୍ୟାପକଙ୍କ ଠାରୁ କନିଷ୍ଠ ହୋଇଥିବାରୁ ଏହା ସଂପୃକ୍ତ କଲେଜର କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରୁଛି । ତେଣୁ ଓଡିଶା ଉଚ୍ଚ ନ୍ୟାୟାଳୟ ଗତ ୩୦.୧୧.୨୦୨୩ରିଖରେ ପ୍ରଦାନ କରିଥିବା ନିର୍ଦେଶକୁ ବଦଳାଇ କେନ୍ଦ୍ରାପଡା କଲେଜର ନିକଟବର୍ତ୍ତୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ସର୍ବବରିଷ୍ଠ ଅଧ୍ୟାପକଙ୍କୁ କେନ୍ଦ୍ରାପଡା କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଭାବରେ ଏହି ନିର୍ଦେଶ ପାଇବାର ୧୦ଦିନ ଭିତରେ ନିଯୁକ୍ତି ଦେବାକୁ ଉଚ୍ଚଶିକ୍ଷା ବିଭାଗର ଶାସନସଚିବଙ୍କୁ ଚଳିତମାସ ୧ତାରିଖରେ ନିର୍ଦେଶ ଦେଇଛନ୍ତି । ଉଚ୍ଚଶିକ୍ଷା ବିଭାଗ ହାଇକୋର୍ଟଙ୍କ ଏହି ନିର୍ଦେଶ କାର୍ଯ୍ୟକାରୀ କରିବାକୁ ଯାଇ କେନ୍ଦ୍ରାପଡା ଜିଲ୍ଲା ବାହାରର କଟକ ୪୨ମୈାଜା ଅନ୍ତର୍ଗତ ସୁଦର୍ଶନ ଜୁନିଅର କଲେଜର ଇତିହାସ ବିଭାଗ ଅଧ୍ୟାପକ ବିଜୟ କୁମାର ପାତ୍ର ଯିଏକି ନିକଟରେ ଜଗତସିଂହପୁର ଏସ.ଭି.ଏମ. ସ୍ୱୟଂ ଶାସିତ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ଅଛନ୍ତି ତାଙ୍କୁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ କରିବାକୁ ମସୁଧା ଚଳାଇଥିବା ଏକ ବିଶେଷ ସୁତ୍ରରୁ ଜଣାପଡିଛି । ପୂର୍ବରୁ ଅନ୍ୟ ଏକ ମାମଲାର ବିଚାର ସମୟରେ ହାଇକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଉଚ୍ଚଶିକ୍ଷା ବିଭାଗ ଏକ ବିଜ୍ଞପ୍ତି ଜାରି କରିଥିଲା ଯେ ଗୋଟିଏ +୨ କଲେଜରୁ ଆସିଥିବା ଅଧ୍ୟାପକ +୩ କଲେଜର ଅଧ୍ୟକ୍ଷ ହୋଇପାରିବେନି । ଏବେ ଉଚ୍ଚଶିକ୍ଷା ବିଭାଗ ନିଜେ ଜାରି କରିଥିବା ବିଜ୍ଞପ୍ତି ବିରୋଧରେ କିଭଳି କାମ କରିବ ଦେଖିବାକୁ ବାକି ରହିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ