ନବନିର୍ମିତ ମାର୍କେଟକମ୍ପେ୍ଲକ୍ସର ଗୃହ ବଣ୍ଟନକୁ ନେଇ କାଉନସିଲ ଦୁଇଫାଳ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ପୁରୁଣା ବସଷ୍ଟାଣ୍ଡରେ ଏକ ଦୁଇମହଲା ବିଶିଷ୍ଟ ମାର୍କେଟ କମ୍ପେ୍ଲକ୍ସ କିଛିଦିନ ତଳେ ଉଦଘାଟିତ ହୋଇଛି । ସେହି ମାର୍କେଟ କମ୍ପେ୍ଲକ୍ସରେ ୧୩ଟି ଦୋକାନ ଘର ରହିଛି । ସେହି ମାର୍କେଟ କମ୍ପେ୍ଲକ୍ସରେ ଦୋକାନ ଗୃହ ବଣ୍ଟନ ନେଇ ପୈାରପରିଷଦ ପକ୍ଷରୁ ଏକ ଜରୁରୀ ବୈଠକ ଆହୂତ ହୋଇଥିଲା । ଏହି ବୈଠକକୁ ନେଇ କାଉନସିଲ ଦୁଇଫାଳ ହୋଇଯାଇଥିବା ସୂଚନା ମିଳିଛି । ଏଭଳି ଘଟଣା ପଛରେ କାଉନସିଲରମାନଙ୍କ ଭିତରେ ବହୁ ଅସନ୍ତୋଷ ରହିଥିବା ଜନୈକ କାଉନସିଲର ନିଜ ନାମକୁ ଗୋପନ ରଖିବା ଆଳରେ ସୂଚନା ଦେଇଛନ୍ତି । ମୋଟ ୨୧ଟି ୱାର୍ଡକୁ ନେଇ ଗଠିତ କେନ୍ଦ୍ରାପଡା ପୈାରପରିଷଦର ଆଜିର ଏହି ଜରୁରୀ ବୈଠକରେ ପ୍ରଥମେ ମାତ୍ର ୩ଜଣ କାଉନସିଲର ଉପସ୍ଥିତ ଥିବା ବେଳେ ପରେ ବହୁ ଖୋସାମତ ମରାମତ କରାଯିବା ପରେ ଆଉ ୨ଜଣ କାଉନସିଲର ବୈଠକରେ ପହଞ୍ଚିଥିଲେ । ତଥାପି କାଉନସିଲ ବୈଠକ ପାଇଁ କୋରମ ନହେବାରୁ ବୈଠକରେ ଯୋଗଦେବାକୁ ପୁଣି କେତେକ କାଉନସିଲରଙ୍କୁ ବହୁ ନିବେଦନ କରାଯାଇଥିଲା । କିନ୍ତୁ କେହି ନଆସିବାରୁ ବାଧ୍ୟ ହୋଇ ବୈଠକର ଉପସ୍ଥାନ ଖାତା ବୁଲାଇ ଅନୁନୟ ବିନୟ ହୋଇ କେତେକ କାଉନସିଲରଙ୍କ ଠାରୁ ସ୍ୱାକ୍ଷର ଆଣିଥିବା ସୂଚନା ମିଳିଛି । ଏସମ୍ପର୍କରେ ପୈାରନିର୍ବାହୀ ଅଧିକାରୀ ଆଶୁତୋଷ ଗୈାରବ କରଙ୍କୁ ଏସମ୍ପର୍କରେ ପଚରାଯିବାରେ ସେ କହିଥିଲେ ଯେ ଆଜି ପୁରୁଣା ବସଷ୍ଟାଣ୍ଡରେ ନୂତନ ଭାବେ ନିର୍ମିତ ମାର୍କେଟ କମ୍ପେ୍ଲକ୍ସର ଗୃହ ବଣ୍ଟନ ନିମନ୍ତେ ପୈାର ପରିଷଦର ତିନି ଦିନିଆ ନୋଟିସ ଦିଆଯାଇ ଏକ ଜରୁରୀ ବୈଠକ ଡକାଯାଇଥିଲା । ସେହି ବୈଠକରେ ୯/୧୦ଜଣ କାଉନସିଲର ଉପସ୍ଥିତ ଥିଲେ । ବୈଠକର ନିଷ୍ପତ୍ତି ଅନୁଯାଇ ମାର୍କେଟ କମ୍ପେ୍ଲକ୍ସର ପ୍ରଥମ ମହଲା ଦୋକାନ ପାଇଁ ପୂର୍ବରୁ ସେଠାରେ ଦୋକାନ କରିଥିବା ପ୍ରତ୍ୟେକଙ୍କ ଠାରୁ ଏକଲକ୍ଷ ଟଙ୍କା ସୁରକ୍ଷା ଜମା ବାବଦ ରଖାଯାଇ ଦୋକାନ ଭଡା ଦିଆଯିବ । କିନ୍ତୁ ଉପର ମହଲାରେ ଥିବା ଦୋକାନ ଗୃହ ନିମନ୍ତେ ନିଲାମ ଡକାଯିବ । କେନ୍ଦ୍ରାପଡା ପୈାରାଞ୍ଚଳ ଅଧିବାସୀ ହୋଇଥିବା ସର୍ବୋଚ ନିଲାମଧାରୀ ବ୍ୟକ୍ତିଙ୍କୁ ଉପର ମହଲାର ଦୋକାନ ଭଡା ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିବା ପୈାରନିର୍ବାହୀ ଅଧିକାରୀ ଶ୍ରୀ କର କହିଛନ୍ତି । ଏତଦବ୍ୟତିତ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଛକରୁ ରଣପଡା ଛକ ମଧ୍ୟରେ ଥିବା ଜଳସେଚନ ବିଭାଗ ରାସ୍ତାର ମଝିରେ ହୋଇଥିବା ଡିଭାଇଡରକୁ ପୈାରସଂସ୍ଥା ଜଳସେଚନ ବିଭାଗର ବିନା ଅନୁମତିରେ କରିଥିବା ଓ ଏଥିନିମନ୍ତେ ସାଢେ ୮ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଏତଦବ୍ୟତିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ୩୦ପ୍ରତିଶତ ପିସି ନିଆଯାଉଥିବା ମଧ୍ୟ ଅଭିଯୋଗ ହୋଇଛି । ଏସମ୍ପର୍କରେ ପୈାରନିର୍ବାହୀ ଅଧିକାରୀ ଶ୍ରୀ କରଙ୍କୁ ପଚରାଯିବାରେ ସେ ଏସମ୍ପର୍କରେ ଜାଣି ନଥିବା କହିଛନ୍ତି । କିନ୍ତୁ ସରକାରୀ ଦଳ ସମେତ ଅଧିକାଂଶ କାଉନସିଲର ଏସବୁ କାର୍ଯ୍ୟକୁ ବିରୋଧ କରି ବୈଠକରେ ଯୋଗଦେଇନଥିବା କହିଛନ୍ତି । ବୈଠକରେ ପ୍ରଥମେ ପୈାରାଧ୍ୟକ୍ଷା ସରିତା ସାହୁ, କାଉନସିଲର ଉମେଶ ଚନ୍ଦ୍ର ନାୟକ, ସେକ ଅସଲମ, ସୁକୁମାର ଦାସ ପ୍ରଦୀପ୍ତ ଜେନା ପ୍ରମୁଖ ଉପସ୍ଥିତ ଥିବା ବେଳେ ପରେ ପୁଷ୍ପାଞ୍ଜଳୀ ବସ୍ତିଆ ଓ ରମେଶ ଦାସ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ