ଅଘୋଷିତ ବାରମ୍ବାର ବାରମ୍ବାର ବିଦ୍ୟୁତ କାଟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଗଜପତି ଜିଲ୍ଲାର 7 ଗୋଟି ବ୍ଲକ ଯଥା ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡ, ଗୋଶାଣୀ, ଗୁମ୍ମା, କାଶୀନଗର ଆଦି ଅଞ୍ଚଳରେ ଗ୍ରୀଷ୍ମ ଋତୁ ଆରମ୍ଭରୁ ହିଁ ଅଘୋଷିତ ଭାବେ ବାରମ୍ବାର ବିଦୁତ କାଟ ହେବାରେ ଲାଗିଛି. ଉତ୍ତାପ ବୃଦ୍ଧି ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ ଲୋକଙ୍କୁ ଅତିଷ୍ଠ କରିଛି. ଲୋକେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତି ଯେ ଗତ କିଛିଦିନ ହେଲା ପ୍ରତି ଦିନ ୨ରୁ ୩ଘଣ୍ଟା ବିଦ୍ୟୁତ କାଟ ହେଉଛି। ବର୍ତ୍ତମାନ ପିଲାଙ୍କ ପରୀକ୍ଷା ସମୟ ସନ୍ଧ୍ୟାରେ ବିଦ୍ୟୁତ କାଟ ଯୋଗୁ ପାଠପଢ଼ା ସମ୍ପୂର୍ଣ୍ଣ ବ୍ୟାଘାତ ଘଟୁଛି। ଏହି ପରମ୍ପରା ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଦେଖିବାକୁ ମିଳୁଛି। ଗ୍ରୀଷ୍ମ ଦିନେ ୨୪ଘଣ୍ଟିଆ ବିଦ୍ୟୁତ ସେବା ଯୋଗାଇ ଦିଆଯିବ ବୋଲି କୁହାଯାଉଛି। ଏହା ଏଠାରେ କେବଳ ବାକ୍ୟରେ ସୀମିତ ରହିଲା ଭଳି ଲାଗୁଛି। ବଜ୍ରପାତ କିମ୍ବା ପବନ ବର୍ଷା ହେଲେ ବିଦ୍ୟୁତ କାଟ ସ୍ଵାଭାବିକ କଥା। କିନ୍ତୁ ଏଠାରେ ସାମାନ୍ୟ ବର୍ଷା ପବନ ହେଲେ ବିଦ୍ୟୁତ କାଟର ଭୟ ରହିଥାଏ। ଅନ୍ୟପକ୍ଷରେ ପରିଚାଳନା ଗତ କାରଣ ବା ମେଣ୍ଟେନଂସ୍ ନାମରେ ଡ଼ାକବାଜି ଯନ୍ତ୍ରରେ ଘୋଷଣା କରାଯାଇ ପ୍ରତିମାସରେ ୬ରୁ ୭ଘଣ୍ଟା ବିଦ୍ୟୁତ କାଟ କରାଯାଏ। ଏହି ନିକଟ ଅତୀତରେ ଲଗାତାର ଭାବେ ଏପରି ହେଇଚି। ଏଠାରେ ପ୍ରଶ୍ନ ଉଠେ ଘୋଷିତ ଭାବେ ବିଦ୍ୟୁତ କାଟ କରି କିପରି କାର୍ଯ୍ୟ ହୁଏ ଯେ ଅଘଷିତ କାଟ କରିବାକୁ ପଡେ ଯାହା ଦ୍ଵାରା ସାଧାରଣ ଲୋକେ ଅସୁବିଧାର ସମ୍ମୁଖିନ ହୁଅନ୍ତି। କିଛି ସାଧାରଣ ଲୋକଙ୍କ କହିବା କଥା ହେଲା ବିଦ୍ୟୁତ ଵିଲ ସଠିକ ଆଦାୟ ହେଉଛି କି ନାହିଁ ତାହା ନିରୀକ୍ଷଣ କରିବାକୁ ଅଧିକାରୀ ତଥା ଯନ୍ତ୍ରୀ ମାନେ ଯେତିକି ତତ୍ପରତା ଦେଖନ୍ତି ସଠିକ ବିଦ୍ୟୁତ ସେବା ଲୋକଙ୍କ ପାଖରେ କିପରି ପହଞ୍ଚିବ ସେ ଦିଗରେ ଏତେଟା ଆଗ୍ରହ ଦେଖିବାକୁ ମିଳେ ନାହିଁ। ଏହି ଅଘୋଷିତ ବିଦ୍ୟୁତ କାଟ ସାଧାରଣ ଲୋକଙ୍କ ମନରେ ଅସନ୍ତୋଷ ବଢ଼ାଉଛି। ଏହା ତେଜିବା ପୂର୍ବରୁ ଏହି ସମସ୍ୟାର ସମାଧାନ କରିବାକୁ ବୁଦ୍ଧିଜୀବୀ ଏଵଂ ସାଧାରଣ ଲୋକେ ପ୍ରଶାସନକୁ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ