ରାସ୍ତାର ଉନ୍ନତି ପାଇଁ ଥାନାର ଦ୍ବାରସ୍ଥ ହେଲେ ଗୁରାଣ୍ଡି ଗ୍ରାମବାସୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଗ୍ରାମବାସୀ ରାସ୍ତାଘାଟ ସମସ୍ୟାକୁ ନେଇ ଥାନାର ଦ୍ବାରସ୍ଥ ହୋଇଥିବାର ଜଣାପଡିଛି । ପୂର୍ତ୍ତବିଭାଗ ମୁଖ୍ୟ ରାସ୍ତାରେ ଦୀର୍ଘ ଦିନ ହେଲା ଖାଲଖମା ଓ କାଦୁଅ ଭରା ରାସ୍ତା ଯୋଗୁଁ ଲୋକେ ଯାତାୟତରେ ନାନାଦି ସମସ୍ୟା ଭୋଗୁଥିବା ବେଳେ ଏପରି ରାସ୍ତା ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣାମାନ ଘଟି ଖଣ୍ଡିଆ ଖାବରା ହେଉଛନ୍ତି । ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଉଥିଲେ ମଧ୍ୟ ବିଭାଗ କର୍ଣ୍ଣପାତ କରୁ ନଥିବା ଯୋଗୁଁ ଶେଷରେ ଲୋକେ ବାଧ୍ୟ ହୋଇ ଥାନାର ଦ୍ବାରସ୍ଥ ହୋଇଥିବାର ଜଣାପଡିଛି । ଗ୍ରାମବାସୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଗୁରାଣ୍ଡି ଗ୍ରାମ ଠାରୁ ଗୋଷାଣି ଗ୍ରାମ ଛକ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗର ପ୍ରାୟ ତିନି କିମି ରାସ୍ତା ଖାଲଖମା ସୃଷ୍ଟି ହୋଇ ଯାତାୟତରେ ନାନାଦି ସମସ୍ୟା ଉପୁଜୁଅଛି । ଏହି ଖାଲଖମା ସମ୍ପର୍କରେ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନ ନିକଟରେ ଅନେକ ଥର ଅଭିଯୋଗ ମଧ୍ୟ କରିଆସୁଅଛୁ । ହେଲେ କେହି କର୍ଣ୍ଣପାତ କରୁନାହାନ୍ତି । ଉକ୍ତ ରାସ୍ତାର ଖାଲଖମା ଯୋଗୁଁ ବହୁ ଲୋକେ ପଡି କ୍ଷତବିକ୍ଷତ ହେଉଛନ୍ତି । ଯାହାର କି ବହୁ ନଜିର ରହିଛି । ବର୍ତ୍ତମାନ ଗୁରାଣ୍ଡି-ଗୋଷାଣି ଗ୍ରାମ ରାସ୍ତାର ଗୁରାଣ୍ଡି ଠାରେ ଏକ କଲଭର୍ଟ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ କାମ ଆରମ୍ଭ କରିଛି । ଏଥି ପାଇଁ ଅସ୍ଥାୟୀ ମାଟି ରାସ୍ତା ମଧ୍ୟ ନିର୍ମାଣ କରିଛି । ହେଲେ କୌଣସି ଅସ୍ଥାୟୀ ପାଚେରୀ ମଧ୍ୟ ନାହିଁ । ସେହିପରି ଏହି ଅସ୍ଥାୟୀ ରାସ୍ତା ବହୁ ଉଚ୍ଚତାରେ ନିର୍ମିତ ହୋଇଛି । ଗତକାଲି ଠାରୁ ଆରମ୍ଭ ହୋଇଥିବା ବର୍ଷା ଯୋଗୁଁ ଏହି ରାସ୍ତା କାଦୁଅଭରା ହୋଇ ପଡିଥିବାରୁ ଯାତାୟତ କରୁଥିବା ପଥଚାରୀମାନେ ନାନାଦି ସମସ୍ୟାରେ ପଡିଥିବା ବେଳେ ଅନେକ ଦୁଇଚକିଆ ଗାଡି ଗୁଡିକ ଖସିପଡି ଦୁର୍ଘଟଣାଗ୍ରସ୍ତ ମଧ୍ୟ ହେଉଅଛି । ଏହା ସହ ଏହି ଅସ୍ଥାୟୀ ରାସ୍ତା ଉପରେ ୧୧କେଭି ବିଦ୍ୟୁତ ତାର ଯାଇଛି । ବଡଯାନବାହାନ ଏହି ଅସ୍ଥାୟୀ ରାସ୍ତାରେ ଯିବା ବେଳେ କେତେବେଳେ ଯେ ବଡ଼ ଦୁର୍ଘଟଣା ଘଟି ପାରେ ଏହାକୁ ଏଡାଯାଇନପାରେ । ରାସ୍ତାର ଉଚ୍ଚତା ଯୋଗୁ ଗାଡି ଯଥା ଟ୍ରକ ବସ୍ ଆଦି ଏହାର ସଂଷ୍ପର୍ଶରେ ଆସି ଅଘଟଣର ଆଶଙ୍କା ମଧ୍ୟ ରହିଛି । ଏହି ରାସ୍ତାଟି ଗୁରାଣ୍ଡି ଗ୍ରାମାଞ୍ଚଳର ଲାଇଫ୍ ଲାଇନ୍ ଅଟେ । ଏହି ମୁଖ୍ୟ ରାସ୍ତା ଉପରେ ଗୁରାଣ୍ଡି ଗ୍ରାମ ସମେତ ଗୋଷାଣି ବ୍ଲକ ସଦରକୁ ସଂଯୋଗ କରୁଥିବାରୁ ଏହା ଏକ ଗୁରୁତ୍ବ ପୂର୍ଣ୍ଣ ରାସ୍ତା ଅଟେ । ରାସ୍ତାରେ ଖାଲଖମା ଠାରୁ ଆରମ୍ଭ କରି ନବନିର୍ମିତ ଏହି ଅସ୍ଥାୟୀ ରାସ୍ତା ଘାତକ ସାଜୁଛି । ଲୋକେ ପଡି ଖଣ୍ଡିଆ ଖାବରା ହେଉଥିବା ବେଳେ ଯାନବାହାନ ଗୁଡିକ ମଧ୍ୟ କ୍ଷତି ହେଉଛି । ଏପରି ସ୍ଥଳେ ଏ ସବୁ ପାଇଁ ଦାୟୀ କିଏ ରହିବ ବୋଲି ପ୍ରଶ୍ନ କରିବା ସହ ଏହାର ବିଧିବଧ ଭାବେ ତଦନ୍ତ କରି ଏଥି ପାଇଁ ଦାୟୀ ଯିଏ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଥାନା ଅଧିକାରୀଙ୍କୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ