ବିଜେଡିର ପ୍ରାର୍ଥୀ କିଏ ହେବ ତାହା ଅସ୍ପଷ୍ଟ, ବିଜେଡି ଟିକେଟ ହାତେଇବା ପାଇଁ ବହୁ ଆଶାୟୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ଆଜି ସୁଦ୍ଧା ବିଜେଡିର ଟିକେଟ କାହାକୁ ମିଳିବ ତାହା ଅସ୍ପଷ୍ଟ ରହିଚି. ବିଜେଡିରୁ ଟିକେଟ ପାଇବା ପାଇଁ ବହୁ ଆଶାୟୀ ରହିଛନ୍ତି ଓ ଏମାନଙ୍କ ମଧରେ ଟିକେଟ ପାଇବା ପାଇଁ ଭିର୍ନ୍ନ ଲବି ଓ କସରତ ଚାଲୁରହିଛି. ହେଲେ କଂଗ୍ରେସ ଓ ବିଜେପି ତରଫରୁ ପାରଳା ଆସନ ପାଇଁ ପ୍ରାର୍ଥୀ ଏକରକମର ସ୍ପଷ୍ଟ ହୋଇଯାଇଛି. କଂଗ୍ରେସରୁ ବିଜୟ କୁମାର ପଟ୍ଟନାୟକ ଓ ବିଜେପିରୁ ବର୍ତ୍ତମାନର ବିଧାୟକ କେ. ନାରାୟଣ ରାଓଙ୍କ ନାମ ସମ୍ପୂର୍ଣ ଭାବେ ସ୍ପଷ୍ଟ ହୋଇଯାଇଛି. ଏଥିସହ ବିଜେପି ଓ କଂଗ୍ରେସରୁ ଟିକେଟ ପାଇଁ ଅନ୍ୟ କେହି ଦାବିଦାର ନାହାନ୍ତି.ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଦଫାରେ ବିଜେଡି ଲୋକସଭା ଆସନ ପ୍ରାର୍ଥୀ ତାଲିକା ଓ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି. ହେଲେ ପାରଳାଖେମୁଣ୍ଡି ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଘୋଷଣା ହୋଇନାହିଁ. ପାରଳା ଆସନରୁ ବିଜେଡି ଟିକେଟ ପାଇବା ପାଇଁ ବହୁ ନେତା ଆଶାୟୀ ରହିଛନ୍ତି. ଏହି ନେତା ମାନେ ନିଜ ନିଜର ଲବି ଦ୍ୱାରା ଟିକେଟ ପାଇବା ପାଇଁ ହାଇକମାଣ୍ଡଙ୍କୁ ନିବେଦନ କରି ଚାଲିଛନ୍ତି. ପାରଳାଖେମୁଣ୍ଡି ବିଧାନସଭା ଆସନରୁ ଗତ ବିଧାନସଭା ନିର୍ବାଚନରେ ପାରଳା ଯୁବ ରାଣୀ କଲ୍ୟାଣୀ ଗଜପତି ପ୍ରତିଦ୍ୱନ୍ଦିତା କରି ପରାଜୟ ହୋଇଥିଲେ. ସେତେବେଳେ ସେ ରାଜନୀତିରେ ସମ୍ପୂର୍ଣ ଭାବେ ଅପରିଚିତା ଓ ନୂଆ ଥିଲେ.ତାଙ୍କ ପିତା ପାରଳା ମହାରାଜା ତଥା ପୂର୍ବତନ ସାସଂଦ ଗୋପୀନାଥ ଗଜପତିଙ୍କ ବିୟୋଗ ପରେ ପାରଳାଖେମୁଣ୍ଡି ଠାରେ ପହଞ୍ଚି ଥିଲେ. କଲ୍ୟାଣୀ ଗଜପତି ଏଥି ପୂର୍ବରୁ ଚେନ୍ନାଇରେ ରହୁଥିବା ଯୋଗୁଁ ପାରଳାଖେମୁଣ୍ଡି ଅଞ୍ଚଳ ପାଇଁ ଅପରିଚିତା ଓ ନୂଆ ଥିଲେ. ହେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତି ରହିଥିବା ଅତୁଟ ସମ୍ମାନ ଓ ଲୋକପ୍ରିୟତାକୁ ଲକ୍ଷ୍ୟ କରି କଲ୍ୟାଣୀ ଗଜପତି ସମ୍ପୂର୍ଣ ନୂତନ ଥିଲେ ମଧ୍ୟ ବିଜେଡି ତରଫରୁ ଟିକେଟ ଦିଆ ଯାଇଥିଲା. ବର୍ତ୍ତମାନ କଲ୍ୟାଣୀ ଗଜପତି ରାଜନୀତିରେ 5 ବର୍ଷ ପୂରଣ କରିବା ସହ ସାଧାରଣଙ୍କ ସହ ବିଭିନ୍ନ ଭାବେ ସମ୍ପର୍କ ବୃଦ୍ଧି କରିପାରିଛନ୍ତି. ଏଥିସହ ବର୍ତ୍ତମାନ ସୁଦ୍ଧା କଲ୍ୟାଣୀ ଗଜପତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅତ୍ୟନ୍ତ ସୁଦୃଷ୍ଟିରେ ରହିଛନ୍ତି. ତେଣୁ ପାରଳା ଆସନରେ ଯେତେଜଣ ଆଶାୟୀ ପ୍ରାର୍ଥୀ ଥିଲେ ସୁଦ୍ଧା ନବୀନଙ୍କ ସ୍ୱଦୃଷ୍ଟିରେ ଥିବା କଲ୍ୟାଣୀ ଗଜପତି ବିଜେଡିରୁ ଟିକେଟ ପାଇବାରେ ସମସ୍ତଙ୍କ ଠାରୁ ଆଗରେ ରହିଛନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତବ୍ୟକ୍ତ କରୁଛନ୍ତି. ସେହିପରି ପାରଳା ଆସନରୁ ବର୍ତ୍ତମାନର ଗଜପତି ଜିଲ୍ଲା ଅଧକ୍ଷ ଜି. ତିରୁପତି ରାଓ, ଗଜପତି ଜିଲ୍ଲା ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ତଥା ବର୍ତ୍ତମାନର ସମ୍ପାଦକ ପ୍ରଦୀପ ନାୟକ, ଗଜପତି ଜିଲ୍ଲା ବିଜେଡିର ଯୁବ ସଭାପତି ଏସ. ଲିଙ୍ଗରାଜ, ଯୁବ ଇଂଜିନିୟର ତଥା ବିଜେଡିର ଉପସଭାପତି ରୁପେଶ ପାଣିଗ୍ରାହୀ ମଧ୍ୟ ବିଜେଡିର ଟିକେଟ ଦୌଡରେ ରହିଛନ୍ତି. ଏହି ଆଶାୟୀ ମାନେ ଗତ କିଛି ମାସ ହେଲା ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା ପାରଳା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳକୁ ବାରମ୍ବାର ଗ୍ରସ୍ତ କରି ନିଜ ନିଜ ସପକ୍ଷରେ ଜନ ସମର୍ଥନ ବଢ଼ାଇବାରେ ଲାଗିଛନ୍ତି. ଅନ୍ୟପକ୍ଷରେ ଏହି ନେତାମାନେ ରାଜ୍ୟସ୍ତରୀୟ କିଛି ପ୍ରଭାବଶାଳୀ ନେତାଙ୍କ ଦ୍ୱାରା ବିଜେଡିରୁ ପାରଳା ଆସନ ପାଇଁ ଟିକେଟ ପାଇବା ପାଇଁ ଭିନ୍ନ ଭିନ୍ନ ଭାବେ ଲବି ଆରମ୍ଭ କରିଦେଇଛନ୍ତି. ଏପରି ସ୍ଥଳେ କିଏ ବିଜେଡିରୁ ଟିକେଟ ପାଇବ ତାହା ଅସ୍ପଷ୍ଟ ହୋଇରହିଛି. ହେଲେ ପାରଳା ଆସନ ପାଇଁ କଂଗ୍ରେସ ଦଳ ତରଫରୁ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବରିଷ୍ଠ କଂଗ୍ରେସ ନେତା ବିଜୟ କୁମାର ପଟ୍ଟନାୟକଙ୍କ ନାମ ଆପତିତ ଚୂଡାନ୍ତ ହୋଇଯାଇଛି. ସେହିପରି ଭାରତୀୟ ଜନତା ପାର୍ଟି ତରଫରୁ ବର୍ତ୍ତମାନର ପାରଳା ବିଧାୟକ ତଥା ଗଜପତି ଜିଲ୍ଲା ବିଜେପି ସଭାପତି କେ. ନାରାୟଣ ରାଓ ପୁଣି ଥରେ ରିପିଟ ହେବା ନିଶ୍ଚିତ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପୋଷଣ କରି କହିଛନ୍ତି ଯେ କଂଗ୍ରେସ ଓ ବିଜେପି ଦଳରୁ ପ୍ରାର୍ଥୀ ହେବା ପାଇଁ ଆଉ କେହି ଦାବିଦାର ନାହାନ୍ତି. ତେଣୁ ଏହି 2 ଜଣ ନିଜ ନିଜ ଦଳରୁ ପ୍ରାର୍ଥୀ ହେବା ନିଶ୍ଚିତ. ହେଲେ ଆଗାମୀ ଦିନରେ ଦେଖାଯିବ ପାରଳା ବିଧାନସଭା ଆସନରୁ କିଏ କେଉଁ ଦଳରୁ ପ୍ରାର୍ଥୀ ହେବେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ