ଯୋଗ ମହୋତ୍ସବ ସମିତି, ବାଲେଶ୍ୱର ଦ୍ୱାରା ଅନୁଷ୍ଠିତ ଯୋଗ ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ପ୍ରାତଃ କାଳରେ ବିବେକାନନ୍ଦ ମାର୍ଗସ୍ଥିତ କାଳୀ ମନ୍ଦିର ପ୍ରାଙ୍ଗଣରେ ଏକ ଯୋଗଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରାର୍ଥୀମାନେ ଜଗିଙ୍ଗ୍ ଓ ସୂର୍ଯ୍ୟ ନମସ୍କାର ମାଧ୍ୟମରେ ଶରୀରକୁ ସନ୍ତୁଳିତ କରିବା ପରେ ପ୍ରାଣାୟାମ ଅଭ୍ୟାସ କରିଥିଲେ । ଯୋଗ ମହୋତ୍ସବ ସମିତି ବାଲେଶ୍ୱର ଦ୍ୱାରା ନିକଟରେ ଅନୁଷ୍ଠିତ ହୋଇଥିବା ତୀର୍ଥଦର୍ଶନରେ ତୀର୍ଥଯାତ୍ରୀମାନଙ୍କର ଅନୁଭୂତି ଆଦାନ ପ୍ରଦାନ କରାଯାଇଥିଲା । ଚନ୍ଦ୍ରଭାଗା ସମୁଦ୍ର ତଟରେ ସାଧକ ସାଧିକାମାନଙ୍କ ଦ୍ୱାରା ଉଦିତ ସୂର୍ଯ୍ୟଙ୍କୁ ସ୍ୱାଗତ ଜଣାଇ ୧୦୮ସମୂହ ସୂର୍ଯ୍ୟ ନମସ୍କାର ଅଭ୍ୟାସ ସହିତ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ ଓ ପରିକ୍ରମା ପରିଭ୍ରମଣର ଅନୁଭୂତିକୁ ଶ୍ରୀଜଗନ୍ନାଥଙ୍କ ଅପାର କୃପା ବୋଲି ଦର୍ଶାଇଥିଲେ । ଏଥିରେ ଯୋଗ ମହୋତ୍ସବ ସମିତିର ସଭାପତି ସୁଜିତ କୁମାର ଜେନା ଉପସଭାପତି ଦମୟନ୍ତୀ ମହାପାତ୍ର, ଯୁଗ୍ମ ସମ୍ପାଦକ ସଞ୍ଜିବ କୁମାର ତାଲଦିଙ୍କ ସମେତ ବିଭିନ୍ନ ଯୋଗ କେନ୍ଦ୍ରକର ସାଧକ ସାଧିକା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତା ସପ୍ତାହରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ମ୍ୟୁନିସିପାଲିଟି ଗୁଡ଼ିକରେ ଏହିଭଳି ଯୋଗଶିବିରମାନ ଅନୁଷ୍ଠିତ କରାଇ ଯୋଗକୁ ସାର୍ବଜନୀନ କରି ବିଶ୍ୱ ଯୋଗଦିବସ ଜୁନ୍ ୨୧ ତାରିଖକୁ ସଫଳ କରାଇବାରେ ପ୍ରଚେଷ୍ଟା କରାଯିବାକୁ ସିଦ୍ଧାନ୍ତ ନିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ