ରେଡିମେଡି ପୋଷାକର ଚାହିଦା ବୃଦ୍ଧି କୌଳିକ ବୃତ୍ତି ହରାଇବାକୁ ବସିଲେଣି ଦରଜୀ

ହିଞ୍ଜିଳିକାଟୁ,(ସେସଦେବ ସାହୁ): ଆଧୁନିକ ଯୁଗରେ ରେଡିମେଡି ପୋଷାକର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସିଲେଇ କେନ୍ଦ୍ର କରି ଗୁଜୁରାଣ ମେଣ୍ଟାଉଥିବା ଦରଜୀ ମାନେ କୌଳିକ ବୃତ୍ତି ହରାଇବାକୁ ବସିଲେଣି । ଦରଜୀ ବୃତ୍ତିକୁ ଆଦରି ନେଇ ଯେଉଁମାନେ ଲୋକଙ୍କ ପୋଷାକ ମାପ ନେଇ ସିଲେଇ ମେସିନରେ କାମ କରି ଯାହା କିଛି ଉପାର୍ଜନ କରୁଥିଲେ , ସେଥିରେ ସେମାନଙ୍କ ପରିବାର ପ୍ରତିପୋଷଣ କରି ଆସୁଥିଲେ । ସାମାଜିକ ଚଳଣି ବଦଳିବା ସହ ଲୋକ ମାନେ ଆଉ ପୂର୍ବପରି ପୋଷାକ ସିଲେଇ କରି ପିନ୍ଧିବା ପାଇଁ ଇଛା ପ୍ରକାଶ କରୁନାହାନ୍ତି । ପୂର୍ବେ ବଜାରରୁ ପୋଷାକ କପଡ଼ା କିଣିବା ପରେ ଦରଜୀ ନିକଟକୁ ଯାଇ ନିଜକୁ ସୁଟ୍ କରିବା ଭଳି ସିଲେଇ କରି ପିନ୍ଧୁଥିଲେ । ବିଶେଷ କରି ବିଭିନ୍ନ ପର୍ବ ପର୍ବ ପର୍ବାଣୀରେ ଦରଜୀ ବୃତ୍ତିକୁ ଆଦରି ନେଇଥିବା କାରିଗର ମାନଙ୍କୁ କିଛିକ୍ଷଣ ପାଇଁ ମଧ୍ୟ ବିଶ୍ରାମ ମିଳୁନଥିଲା । ଦରଜୀ କାରିଗର ମାନେ ଦିନରାତି ଏକାକାର କରି ପରିଶ୍ରମ କରିବା ସହ ବେଶ୍ କିଛି ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରିବା ସହ କିଛି ଅର୍ଥ ସଞ୍ଚୟ କରି ପାରୁଥିଲେ । କିନ୍ତୁ କିଛି ବର୍ଷ ମଧ୍ୟରେ ସ୍ଥାନୀୟ ପୌରାଞ୍ଚଳରେ ବହୁ ସପିଙ୍ଗ ମଲ୍ ଖୋଲିବା ସହ ନିକଟସ୍ଥ ଗ୍ରାମାଞ୍ଚଳ ଗୁଡିକରେ ବହୁ ରେଡିମେଡି୍ ପୋଷାକର ଦୋକାନ ବଜାର ଗଢି ଉଠିଛି । ରେଡ଼ିମେଡ଼୍ ଦୋକାନ ଗୁଡ଼ିକରେ ଖୁବ୍ ନିଖୁଣ ଡ଼ିଜାଇନ୍ ସହ କମ୍ ମୂଲ୍ୟରେ ଗ୍ରାହକଙ୍କୁ ଆକୃଷ୍ଟ କଲାଭଳି ପୋଷାକ ଉପଲବ୍ଧ ହୋଇପାରୁଛି । ଜନସାଧାରଣ ପୋଷାକ କପଡା କିଣି ଦରଜୀଙ୍କ ନିକଟକୁ ସିଲେଇ କରିବା ପାଇଁ ଦେବା ପରେ କିଛି ଦିନ ପରେ ଦରଜୀ ସିଲେଇ କରି ଦେବା ପରେ ସଂପୃକ୍ତ ବ୍ୟକ୍ତି ମାନେ ଏହାକୁ ବ୍ୟବହାର କରି ପାରୁଥିଲେ । ହେଲେ ବର୍ତ୍ତମାନ ସମୟ ବଦଳିଯାଇଛି । ଆବଶ୍ୟକ ସମୟରେ ପୋଷାକ ପରିଧାନ କରିବା ଲାଗି ବହୁ ସମୟ ଧରି ଅପେକ୍ଷା କରିବାକୁ ପଡୁନାହିଁ । ଯେତେବେଳେ ଇଛା ସେତେବେଳେ ବଜାରରେ ଉପଲବ୍ଧ ବିଭିନ୍ନ ସପିଂ ମଲ୍ ବା ରେଡ଼ିମେଡ଼୍ ଦୋକାନରୁ ପୋଷାକ କିଣି ପିନ୍ଧି ହେଉଛି । ତାହା ବି ପୁଣି କମ୍‌ଖର୍ଚ୍ଚ ସାଙ୍ଗକୁ ଆଧୁନିକ ଓ ନିଖୁଣ ଡ଼ିଜାଇନର ପ୍ରସ୍ତୁତି ପୋଷାକ । ଲୋକଙ୍କ ଚାହିଦାକୁ ଆଖି ଆଗରେ ରଖି ଦିନକୁ ଦିନ ରେଡ଼ିମେଡ଼୍ ପୋଷାକ ଦୋକନ ଖୋଲିବାରେ ଲାଗିଛି । ଦେଖିବାକୁ ଗଲେ କେବଳ ହିଞ୍ଜିଳିକାଟୁ ପୌରାଞ୍ଚଳରେ ୬୦ରୁ ଉର୍ଦ୍ଧ୍ୱ ରେଡ଼ିମେଡ଼୍ ପୋଷାକ ଦୋକନ ରହିଥିବା ବେଳେ ସ୍ଥାନୀୟ ବ୍ଳକର ପ୍ରତ୍ୟେକ ପଞ୍ଚାୟତରେ ୨ରୁ ୩ଟି ଲେଖାଏଁ ରେଡ଼ିମେଡ଼୍ ପୋଷାକ ଦୋକନ ରହିଥିବାର ଦେଖିବାକୁ ମିଳୁଛି ।
ସେହିପରି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମେତ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକରେ ସରକାର, ଶିକ୍ଷାର୍ଥୀ ମାନଙ୍କୁ ମାଗଣାରେ ପୋଷାକ ବଣ୍ଟନ କରୁଛନ୍ତି । ସ୍ଥାନୀୟ ଅଞ୍ଚଳରେ ବିଶେଷ କରି ସ୍ୱଂୟ ସହାୟିକା ଗୋଷ୍ଠୀ ଏବଂ ଦକ୍ଷତା ବିକାଶ ତାଲିମ ମାଧ୍ୟମରେ ପୋଷାକ ତିଆରି କରିବା ଶିଖିବା ପରେ ଆତ୍ମ ନିର୍ଭରଶୀଳ ହେବାକୁ ସଂଘର୍ଷ କରୁଥିବା ବ୍ୟକ୍ତି ବା ଗୋଷ୍ଠୀ ହାତ ତିଆରି ପୋଷାକ ଯୋଗାଇଦେବା ଏମାନଙ୍କ ଆର୍ଥୀକ ସମୃଦ୍ଧି କଥା ମୂଳ ଯୋଜନାରେ ରହିଥିଲା । ତେବେ ପରବର୍ତ୍ତୀ ସମୟରେ ସୂତା କିମ୍ବା ଖଦିର ପୋଷାକ ନଦେଇ ଓଡ଼ିଶା ବାହାରର ବହୁ ସଂସ୍ଥା ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମେତ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକୁ ପୋଷାକ ଯୋଗାଇ ଦେବା ଫଳରେ ଅଞ୍ଚଳର ଦରଜୀ ମାନଙ୍କର ପେଟପାଟଣା ଏକ ପ୍ର୍ରକାର ବନ୍ଦ ହେବାରେ ଲାଗିଛି । ସେହିପରି ଯୁବପିଢିଙ୍କ ଫେସନକୁ ଆଖି ଆଗରେ ରଖି ପୁଞ୍ଜିପତି ମାନଙ୍କ ଦ୍ୱାରା ପରିଚାଳିତ ବଡ଼ବଡ଼ ଶିଳ୍ପାନୁଷ୍ଠାନ ଏବେ ପୋଷାକ ତିଆରି ଓ ବିପଣନରେ ବ୍ୟସ୍ତ । ଏମିତିକି ଗ୍ରାହକ ମାନଙ୍କୁ ଆକର୍ଷିତ କରିବା ପାଇଁ ଏମାନଙ୍କ ବ୍ରାଣ୍ଡର ଗୋଟିଏ ପୋଷାକ କିଣିଲେ ଆଉ ଏକ ପୋଷାକ ମାଗଣାରେ ମିଳିବ ବୋଲି ପ୍ରଚାର ଚାଲିଛି । ଫଳରେ ଜାମା ପଟା ଠାରୁ ଆରମ୍ଭ କରି କୁର୍ତା, ପାଇଜାମା ଏମିତି ସୁଟ୍‌, କୋଟ ପର୍ଯ୍ୟନ୍ତ ବିଭିନ୍ନ ମାପର ପୋଷାକକୁ କମ୍ପାନୀ ତିଆରି ପୋଷାକ ମିଳିଯାଉଛି । ବରକନ୍ୟାଙ୍କ ପାଇଁ ମଧ୍ୟ ବଜାରରେ ବିଭିନ୍ନ ପ୍ରଜାତିର ପୋଷାକ ସହଜରେ ମିଳିପାରୁଛି । ଫଳରେ ଦରଜୀ ବୃତ୍ତିକୁ ଆପଣେଇ ନେଇଥିବା ଲୋକମାନଙ୍କ ଦାନାପାଣି ଦିନକୁ ଦିନ ବୁଡ଼ିବାରେ ଲାଗିଛି । ଗତ କିଛି ବର୍ଷ ମଧ୍ୟରେ ସ୍ଥାନୀୟ ପୌରାଞ୍ଚଳ ସମେତ ସ୍ଥାନୀୟ ବ୍ଳକର ବହୁ ଦରଜୀ ବୃତ୍ତିକୁ ଆଦରି ନେଇଥିବା ବ୍ୟକ୍ତି ସେମାନଙ୍କ ବୃତ୍ତିକୁ ଛାଡ଼ି ରାଜ୍ୟ ବାହାକୁ ଯାଇ କାମ କରୁଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ