ଚିକିତ୍ସା ନ ମିଳିବା ପ୍ରତିବାଦରେ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ପକାଇଲେ ଅଞ୍ଚଳବାସୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଦିବାସୀ ବହୁଳ ଗଜପତି ଜିଲ୍ଲାରେ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ ରୂପେ ବିପଯ୍ୟସ୍ତ ହୋଇପଡିଛି. ସରକାରୀ ଡାକ୍ତରମାନେ ଅନେକ ଅଞ୍ଚଳରେ ଘରୋଇ ଚିକିତ୍ସାକୁ ଅଧିକ ଗୁରୁତ୍ୱ ଦେଇ ସରକାରୀ ଡାକ୍ତରଖାନାକୁ ଆସୁନଥିବା ସହ ଅନେକ ଡାକ୍ତରଖାନା ଫାର୍ମାସିଷ୍ଟ ଓ ତଳିଆ କର୍ମଚାରୀଙ୍କ ଦ୍ୱାରା ଚାଲୁ ରହିଥିବା ଆଦି କାରଣରୁ ଗଜପତିରେ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ ଠପ ହୋଇଯାଇଛି. ଗଜପତି ଜିଲ୍ଲାର କଇଁପୁର ଡାକ୍ତରଖାନାକୁ ଦୁର୍ଘଟଣାରେ ଗୁରୁତର ଜଣେ ରୋଗୀ ଜରୁରୀ ଚିକିତ୍ସା ପାଇଁ ଆସିଥିଲେ. ହେଲେ ଡାକ୍ତରଖାନରେ ଡାକ୍ତର ଅନୁପସ୍ଥିତ ଥିବା ଯୋଗୁଁ ସମ୍ପର୍କୀୟ ଓ ଉପସ୍ଥିତ ଲୋକେ ଡାକ୍ତରଙ୍କୁ ମୋବାଇଲ ଦ୍ୱାରା ଜରୁରୀ ଚିକିତ୍ସା ପାଇଁ ନିବେଦନ କରିଥିଲେ. ଡାକ୍ତର ଏହାକୁ କୌଣସି ଗୁରୁତ୍ବ ନ ଦେଇ ମୋର ଛୁଟି ଅଛି ବୋଲି କହି ମୋବାଇଲକୁ କାଟିଦେଇଥିଲେ. ଏଥିରେ ଗୁରୁତର ଆହତ ବ୍ୟକ୍ତିଙ୍କ ସମ୍ପର୍କୀୟ, ଅଞ୍ଚଳବାସୀ ଏହାର ପ୍ରତିବାଦ ଜଣାଇ ଡାକ୍ତରଖାନାରେ ଚାବି ପକାଇ ଦେଇଥିଲେ. ଅଞ୍ଚଳବାସୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତିଯେ, ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ କଇଁପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଆଗରେ ବୁଧବାର ପ୍ରାୟ ଦୁଇ ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା କଲେ ଗୁରୁତର ବ୍ୟକ୍ତି ଓ ତାଙ୍କ ସମ୍ପର୍କୀୟ | ଡାକ୍ତର ନ ଆସିବାରୁ ଲୋକେ ଉଭ୍ୟକ୍ତ ହୋଇ ଡାକ୍ତରଖାନାରେ ତାଲା ପକାଇଲେ ଲୋକପ୍ରତିନିଧ୍ ଓ ଅଞ୍ଚଳବାସୀ । ପ୍ରକାଶ ଯେ, କଇଁପୁର ପଞ୍ଚାୟତର ଚିତ୍ରାଙ୍ଗ ଗ୍ରାମର ପ୍ରଦୀପ ଭୂୟାଁ (୨୫) କୌଣସି କାମରେ ବାଇକ୍‌ରେ କଇଁପୁର ଆସି କାମ ସାରି ନିଜ ଗ୍ରାମକୁ ଫେରୁଥିଲା ବେଳେ ଦିନ ୧.୩୦ ସମୟରେ କଇଁପୁର ଗ୍ରାମର ହାଟପଦା ନିକଟରେ ଭାରସାମ୍ୟ ହରାଇ କଲଭର୍ଟକୁ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। କିନ୍ତୁ ସେଠାରେ କେହି ନଥିବା ବେଳେ ତାଲା ଝୁଲି ଥିବା ଦେଖ୍ ସ୍ଥାନୀୟ ଲୋକେ ଫୋନ ଯୋଗେ ଡାକ୍ତରକୁ ଯୋଗାଯୋଗ କରିବାରୁ ଆଜି ଛୁଟି ଅଛି କହି ଫୋନ କାଟି ଦେଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି | ଟାଣ ଖରାରେ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଗୁରୁତର ଆହତ ବ୍ୟକ୍ତି ଛଟପଟ୍ହେଉଥିବା ବେଳେ ସମ୍ପର୍କୀୟ ଡାକ୍ତରଙ୍କୁ ଅପେକ୍ଷା କରିବା ପରେ ମଧ୍ୟ କୌଣସି କର୍ମଚାରୀଙ୍କ ଦେଖା ମିଳି ନ ଥିଲା । ଏଥ୍‌ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାପ ଉତ୍ତେଜନା ପ୍ରକାଶ ପାଇଥିଲା । ଗଙ୍ଗାବାଡ଼ ସରପଞ୍ଚ ହରିବନ୍ଧୁ କାର୍ଯା ଓ କଇଁପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ କୈଳାସ ଶବରଙ୍କ ସମେତ ଅଞ୍ଚଳବାସୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକରେ ତାଲା ପକାଇଥିଲେ। ପରେ ଗଙ୍ଗାବାଡ଼ ପଞ୍ଚାୟତର ଆମ୍ବୁଲାନ୍ସ ଡାକି ଜିରାଙ୍ଗ ସ୍ବସ୍ଥ୍ୟକେନ୍ଦ୍ରକୁ ନେଇ ସେଠାରେ ପ୍ରାଥମିକ ଚିକିତ୍ସା କରାଇ ତାଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇ ଥିବାବେଳେ ସେଠାରେ ମଧ୍ୟ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ଵରର ପଠାଯାଇଥିବା ଜଣାପଡିଛି। ଘଟଣାସ୍ଥଳରେ ବ୍ଳକ ଉପାଧ୍ଯକ୍ଷ ଜ୍ୟୋତି ପ୍ରସାଦ ପାଣି ଏବଂ ଡ. ପି. ଶ୍ରବଣ କୁମାର ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିବା ପରେ ରାତି ୭ଟା ବେଳେ ତାଲା ଖୋଲିଥିବା ଜଣାପଡିଛି । ତେବେ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଲକ୍ଷ୍ମୀ ପୁର, କଇଁପୁର, କେରାଣ୍ଡି ଓ ସୀମାନ୍ତ ଗଙ୍ଗାବାଡ ପଞ୍ଚାୟତବାସୀଙ୍କ ସ୍ବାସ୍ଥ୍ୟ ସେବାରେ ବଞ୍ଚିତ ନ ହେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ସ୍ବାସ୍ଥ୍ୟକେନ୍ଦ୍ର ଖୋଲିଥିବା ବେଳେ ଡାକ୍ତର ଓ ସ୍ଥାନୀୟ କର୍ମଚାରୀଙ୍କ ଅବହେଳା ଯୋଗୁଁ ସ୍ଥାନୀୟ ଲୋକେ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଏଭଳି ଡାକ୍ତରଙ୍କ ଉପରେ ଭରସା ନରଖ୍ ସୀମାନ୍ତ ଗଙ୍ଗାବାଡ ଓ କେରାଣ୍ଡି ପଞ୍ଚାୟତର ପ୍ରାୟ ଲୋକେ ଆନ୍ଧ୍ରର ମଞ୍ଜୁସା ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ନଜିର ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ