ବାପାଙ୍କୁ ଗୁଣି କରି ହତ୍ୟା ଘଟଣାର ପ୍ରତିଷୋଧ ପାଇଁ ହତ୍ୟା

ଛୁରୀ ଭୁଷି ହତ୍ୟା ଘଟଣା, ମାମୁଁ, ଭଣଜା ସମେତ ୪ଗିରଫ
ହିଞ୍ଜିଳିକାଟୁୂ, (ସୁଧାନିଧି ଚୌଧୁରୀ): ଗତ ମାର୍ଚ୍ଚ ମାସ ୩୦ ତାରିଖ ଶନିବାର ଅପରାହ୍ନରେ ଗଞ୍ଜାମ ଜିଲ୍ଲା ବେଲଗାଁ ଥାନା ଡି. ପାଟପୁର ଗ୍ରାମର ଏକ ନିର୍ମାଣଧିନ କୋଠାରୁ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହକୁ ପୁଲିସ ଉଦ୍ଧାର କରିଥିଲେ । । ମୃତକ ଜଣଙ୍କ ହେଲେ ବେଲଗାଁ ଥାନା ହନ୍ତୋଷ ଗ୍ରାମର ସଞ୍ଜୟ ନାୟକ(୩୦) । ଘଟଣା ନେଇ ମୃତକଙ୍କ ଭଉଣୀ ବବିତା ନାୟକ ବେଲଗାଁ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ବେଲଗାଁ ଥାନା କେସ ନଂ -୨୮/୨୪ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା। ରବିବାର ହତ୍ୟା ଘଟଣାରେ ସଂଶ୍ଲିଷ୍ଟ ମାମୁଁ, ଭଣଜାଙ୍କ ସମେତ ୪ ଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ମାନେ ହେଲେ ଷଡ଼ଯନ୍ତ୍ରକାରୀ ମାମୁଁ ବେଲଗାଁ ଥାନା ଡି.ପାଟପୁର ଗ୍ରାମର ଯୁଧିଷ୍ଠିର ପ୍ରଧାନ (୪୩), ହତ୍ୟାକାରୀ ଯୁଧିଷ୍ଟିରଙ୍କ ଭଣଜା ପୁରୁଷୋତ୍ତମପୁର ଥାନା ଗାଙ୍ଗଦହଣୀ ଗ୍ରାମର ନିଲୁ କୁମାର ସାମଲ ଓ ୨ ସହଯୋଗୀ ପୁରୁଷୋତ୍ତମପୁର ଥାନା ଗାଙ୍ଗଦହଣୀ ଗ୍ରାମର ସନ୍ତୋଷ ବେହେରା (୩୫) ଓ ଅଜିତ ଭୂୟାଁ @ପାଣ୍ଡା (୧୯) । ଗିରଫ ସମସ୍ତଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଥିବା ବେଲଗାଁ ଥାନା ଆଇଆଇସି ସ୍ମିତାଞ୍ଜଳି ପ୍ରଧାନଙ୍କ ସୂତ୍ରରୁ ପ୍ରକାଶ। ଗତ କିଛି ବର୍ଷ ପୂର୍ବେ ମୃତ ସଞ୍ଜୟ, ଗିରଫ ଯୁଧିଷ୍ଠିରଙ୍କ ବାପାଙ୍କୁ ଗୁଣି କରି ହତ୍ୟା କରିଥିବା ନେଇ ସନ୍ଦେହ କରି ଆସୁଥିଲେ। ବାପାଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ଯୁଧିଷ୍ଠିର ଦୀର୍ଘ ଦିନ ଧରି ସୁଯୋଗ ଉଣ୍ଡୁଥିଲେ। ମାର୍ଚ୍ଚ ୨୯ ତାରିଖ ବିଳମ୍ବିତ ରାତ୍ରରେ ବେଲଗାଁ ଥାନା ଡି. ପାଟପୁର ଗ୍ରାମରେ ନିର୍ମାଣଧୀନ ଏକ ଘରେ ସଞ୍ଜୟ ଏକାକୀ ଶୋଇଥିବା ବେଳେ ଯୁଧିଷ୍ଠିରଙ୍କ ପ୍ରରୋଚନାରେ ତାଙ୍କ ଭଣଜା ନିଲୁ ଘର ଭିତରେ ପଶି ସଞ୍ଜୟ ଶୋଇଥିବା ବେଳେ ତାଙ୍କୁ ଛୁରୀ ଭୁଷି ହତ୍ୟା କରିଥିବା ନେଇ ନିଲୁ, ପୁଲିସ ନିକଟରେ ସ୍ବୀକାର କରିଥିବା ପୁଲିସ ସୂତ୍ରରୁ ପ୍ରକାଶ।
ପ୍ରକାଶ ଯେ, ଗତ ମାର୍ଚ୍ଚ ୨୯ ତାରିଖ ବିଳମ୍ବିତ ରାତ୍ରିରେ ଗଞ୍ଜାମ ଜିଲ୍ଲା ବେଲଗାଁ ଥାନା ଡି. ପାଟପୁର ଗ୍ରାମର ନିର୍ମାଣଧୀନ ଗ୍ରେ ସଞ୍ଜୟ ଏକାକୀ ଶୋଇଥିଲେ। ସଞ୍ଜୟ ଘର ଭିତରେ ଖଟ ଉପରେ ଶୋଇଥିବା ଅବସ୍ଥାରେ ଦୁର୍ବୃତ୍ତ ମାନେ ତାଙ୍କୁ ଛୁରୀରେ ଭୁଷି ହତ୍ୟା କରିଥିଲେ। । ଘଟଣା ସ୍ଥଳରେ ଚଳନ୍ତା ପଙ୍ଖା, ମୋବାଇଲ ପଡିଥିବା ଦେଖିବାକୁ ମିଳିଥିବା ବେଳେ ଖଟ ଉପରେ ପ୍ରଚୁର ରକ୍ତସ୍ରାବ ହୋଇଥିବା ଦେଖିବାକୁ ମିଳିଥିଲା । ଅପରାଧୀ ଗୋଷ୍ଠୀ ପେଟକୁ ଛୁରାମାଡ କରିଥିବା ବେଳେ ମୃତ ସଞ୍ଜୟଙ୍କ ଡାହାଣ ହାତ ପାପୁଲି ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି । ଅପରାଧୀଙ୍କ ମାରଣାସ୍ତ୍ରରେ ସଞ୍ଜୟଙ୍କ ଅନ୍ତବୁଜୁଳା ପଦାକୁ ବାହାରି ଆସିଥିବା ବେଳେ ତାଙ୍କୁ ଘରଭିତରୁ ପଦାକୁ ଟାଣିଆଣି ଘର ବାରଣ୍ଡାରେ ଫୋପାଡି ଘଟଣା ସ୍ଥଳରୁ ଅପରାଧୀ ଗୋଷ୍ଠୀ ଫେରାର ହୋଇଯାଇଥିଲେ । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ବିଷୟ ହେଲା ଘଟଣାସ୍ଥଳ ଠାରୁ ପ୍ରାୟ ୫୦ ମିଟର ଦୂରତାରେ ଏକ କ୍ରସର ଫେକ୍ଟ୍ରି ଓ ସଂପୃକ୍ତ ଗ୍ରାମର ବଜାର ଗହଳ ଚହଳ ଥିବା ବେଳେ ନିର୍ମାଣଧିନ କୋଠାଘରେ ସଞ୍ଜୟଙ୍କୁ ପ୍ରାଣନ୍ତକ ଆକ୍ରମଣ କରି ନିର୍ମମ ହତ୍ୟା କରାଯାଇଥିଲା କିନ୍ତୁ କେହି ଏହାର କାଣିଚାଏ ସୁରାକ ପାଇପାରିନଥିଲେ ।
ହିଞ୍ଜିଳିକାଟୁ ବ୍ଳକ ତଥା ବେଲଗାଁ ଥାନା ହନ୍ତୋଷ ଗ୍ରାମର ସଞ୍ଜୟ ସବୁଦିନ ଭଳି ଘରେ ଭୋଜନ କରି ଡି. ପାଟପୁର ଠାରେ ନିର୍ମାଣଧିନ କୋଠାରେ ରାତ୍ରି ବିଶ୍ରାମ କରୁଥିଲେ । ଶୁକ୍ରବାର ରାତି ପ୍ରାୟ୧୧ଟାରେ ଘରୁ ଖାଇପିଇ ଡି. ପାଟପୁରରେ ନିର୍ମାଣଧିନ କୋଠାକୁ ଫେରିଥିଲେ । ଶନିବାର ସକାଳେ ଘରକୁ ନଫେରିବାରୁ ମୃତକଙ୍କ ଭଉଣୀ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା । ଅପରାହ୍ନ ପ୍ରାୟ ସାଢେ ୩ଟାରେ ନିର୍ମାଣଧିନ କୋଠାକୁ ଆସି ଘର ବାରଣ୍ଡାରେ ସଞ୍ଜୟଙ୍କ ମୃତଦେହକୁ ଦେଖିଥିଲେ । ଘଟଣା ନେଇ ସଞ୍ଜୟଙ୍କ ଭଉଣୀ, ଏ ନେଇ ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ବେଲଗାଁ ଥାନା ଆଇଆଇସି ସ୍ମିତାଞ୍ଜଳି ପ୍ରଧାନ ଓ ତାଙ୍କ ଟିମ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ସରଜମିନ ତଦନ୍ତ ଆରମ୍ଭ କରିଥିଲେ । ପରେ ଆସିକା ଏସଡିପିଓ ସଞ୍ଜୟ କୁମାର ମହାପାତ୍ର, ହିଞ୍ଜିଳି ଆଇଆଇସି ଶ୍ରୀନିବାସ ସେଠି, ସାଇଣ୍ଟଫିକ୍ ଟିମ୍ ଓ ପୁଲିସ ଫୋର୍ସ ପହଞ୍ଚି ଘଟଣାର ଛାନଭିନ କରିଥିଲେ । ମୃତକଙ୍କ ଭଉଣୀ ବବିତା ନାୟକଙ୍କ ଅଭିଯୋଗ କ୍ରମେ ବେଲଗାଁ ଥାନାରେ କେସ ନଂ ୨୮/୨୪ରେ ଏକ ମାମଲା ରୁଜୁ କରିଥିଲା । ପୁଲିସ ମୃତଦେହକୁ ଜବତ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇ ଆସୁଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ