ତୃତୀୟ ବିଶ୍ୱଯୁଦ୍ଧ ବନ୍ଦ ହେଉ

କଟକ,(ଯୁଗାବ୍ଦ ନ୍ୟୁଜ) : ମଙ୍ଗଳାବାଗ ସ୍ଥିତ ଅହମଦୀୟା ମୁସଲିମ ମିଶନ ଠାରେ ତୃତୀୟ ବିଶ୍ୱଯୁଦ୍ଧ ବନ୍ଦହେଉ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ କଟକ ଅହମଦୀୟା ମୁସଲିମ ସଂଗଠନର ସଭାପତି ସୟଦ ତୟବ ଅହମଦ ସଲିମ ପୌରୋହିତ୍ୟ କରିଥିଲେ । ପବିତ୍ର କୋରାନ ପାଠ ଅବରାର ଅଲ୍ଲି କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୁରୁଲ ଇସଲାମ ବିଭାଗର ଦାଇଏ ଖୋସୁସି ମୌଲାନା ନବିଦୁଲ ଫତହ କହିଲେ, ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ଅହମଦୀୟା ମୁସଲିମ ସଂଗଠନର ଏହି ଶାନ୍ତି ଅଲୋଚନାଚକ୍ର ନିଶ୍ଚିତ ଏକ ମାଇଲ ଖୁଂଟ ହେବ । ଶାନ୍ତି ପ୍ରାପ୍ତ ସମ୍ବନ୍ଧରେ ଗୀତାରେ ଲେଖାଅଛି; ତମେବ ଶରଣଂ ଗଚ୍ଛ, ସର୍ବଭାବେନ ଭାରତ / ତତ୍‌ପ୍ରସାଦାତ୍ ପରାଂଶାନ୍ତି, ସ୍ଥାନଂ ପ୍ରାପ୍ସ୍ୟସି ଶାଶ୍ୱତଂ ।ା ଅର୍ଥାତ୍ ହେ ଭାରତ ! ତୁମ୍ଭେ ସର୍ବତୋ ଭାବରେ ସେହି ପରମେଶ୍ୱରଙ୍କ ଠାରେ ଶରଣ ପଶ । ତାହାଙ୍କ ଅନୁଗ୍ରହରୁ ତୁମ୍ଭେ ପରମ ଶାନ୍ତି ଓ ନିତ୍ୟଧାମ ପ୍ରାପ୍ତ ହେବ । (ଶ୍ରୀମଦ୍‌ଭଗବଦ୍‌ଗୀତା, ଅଧ୍ୟାୟ ୮, ଶ୍ଳୋକ୬୨) ସେହିଭଳି ପବିତ୍ର କୋରାନରେ ଲେଖାଅଛି; “ଅଲା ବିଜିକ୍‌ରିଲ୍ଲାହି ତତ୍‌ମଇନ୍ନଲ୍‌କୁଲୁବ୍‌” ଅର୍ଥାତ୍ ମନେରଖ ଯେ ଅଲ୍ଲାଃଙ୍କ ସ୍ମରଣରେ ହିଁ ହୃଦୟ ସନ୍ତୋଷ ଲାଭ କରେ । ଅହମଦୀୟା ମୁସଲିମ ସଂପ୍ରଦାୟର ପ୍ରତିଷ୍ଠାତା ହଜରତ ମିର୍ଜା ଗୁଲାମ ଅହମଦ ବିଶ୍ୱ ସମାଜକୁ ମହା ବିଶ୍ୱଯୁଦ୍ଧର ଚେତାବନୀ ଦେଇ କୁହନ୍ତି, ହେ ୟୁରୋପ ! ତୁ ମଧ୍ୟ ଶାନ୍ତିରେ ନାହୁଁ । ହେ ଏସିଆ ! ତୁ ମଧ୍ୟ ନିରାପଦ ନାହୁଁ । ହେ ଦ୍ୱୀପପୁଞ୍ଜବାସୀ ! କୌଣସି କୃତ୍ରିମ ଈଶ୍ୱର ତୁମକୁ ସାହାଯ୍ୟ କରିବେ ନାହିଁ । ମୁଁ ମହାନଗରୀ ସବୁ ଟଳି ପଡ଼ୁଥିବାର ଦେଖି ପାରୁଛି ଓ ଆବାଦି ବସ୍ତିକୁ ପରିତ୍ୟକ୍ତ ଓ ଅନାବାଦି ଅବସ୍ଥାରେ ଦେଖିବାକୁ ପାଉଛି । ପରମେଶ୍ୱର ବହୁ ସମୟ ଧରି ନୀରବ ରହିଲେ ଏବଂ ତାଙ୍କ ସମ୍ମୁଖରେ ବିଭତ୍ସ ଓ ଘୃଣିତ କାର୍ଯ୍ୟ କରାଗଲା, କିନ୍ତୁ ସେ ବାକ୍‌ସ୍ଫୁର୍ତି କଲେ ନାହିଁ । ବର୍ତମାନ ସେ ନିଜର ରୋଷଯୁକ୍ତ ମୁଖମଣ୍ଡଳ ଦେଖାଇଲେ । ଯାହାର କାନ ଅଛି, ସେ ଶୁଣୁ ଯେ ସେ ସମୟ ଏବେ ଆଉ ବେଶୀ ଦୂର ନାହିଁ । ମୁଁ ଯଥା ସାଧ୍ୟ ପ୍ରୟାସ କରିଛି ଯେ ପ୍ରଭୁଙ୍କ ଶାନ୍ତିପ୍ରଦ ଛାୟା ତଳେ ସମସ୍ତଙ୍କୁ ଏକତ୍ରିତ କରିବି । କିନ୍ତୁ ପରମେଶ୍ୱର ପ୍ରକୋପ ସାଧନରେ ମନ୍ଥର ଗତିକୁ ପସନ୍ଦ କରନ୍ତି । ଏଣୁ ଅନୁତାପ କର । ଫଳରେ ତୁମ ପ୍ରତି ଦୟା କରା ଯାଇପାରିବ ।
ମୁଖ୍ୟ ବକ୍ତାଭାବେ ଯୋଗଦେଇ ମୌଲାନା ଫଜଲ ହକ ଖାଁ କହିଲେ, ଆତ୍ମଶାନ୍ତି ହିଁ ପ୍ରକୃତ ଶାନ୍ତି । ଆମେ ଭାରତ ବର୍ଷର ନାଗରିକ ହୋଇ ଏହି ଆଶାବ୍ୟକ୍ତ କରୁଁ କି ଆମ ଦେଶ ଭାରତ ମହାନ ହେଉ । ଶକ୍ତିଶାଳୀ ଓ ବାହୁବଳୀ ଦ୍ୱାରା ବିଜୟ ହାସଲ କରିବା, କେବଳ ମହାନତାର ପରିଚୟ ନୁହେଁ ବରଂ ବିନା ରକ୍ତପାତରେ ମାନବିକତାକୁ ବଂଚାଇ, ହୃଦକୁ ଜୟ କରିବା ହିଁ ପ୍ରକୃତ ଜୟ ଓ ମହାନତାର ପରିଚୟ ହୋଇଥାଏ । ମିର୍ଜା ମସରୁର ଅହମଦ କହିଛନ୍ତି; ବିଶ୍ୱଶାନ୍ତି ପ୍ରତିଷ୍ଠା ପାଇଁ ୧୦ଗୋଟି ମୌଳିକ ନୀତି ରହିଛି । ତାହା ହେଲା ନିଜ ସୃଷ୍ଟିକର୍ତାଙ୍କୁ ଚିହ୍ନିବା । ପୂର୍ଣ୍ଣ ନ୍ୟାୟ ପ୍ରତିଷ୍ଠା କରିବା । ବିଶ୍ୱବ୍ୟାପୀ ଏକତାକୁ ପ୍ରଶୟ ଦେବା । ପରମାଣୁ ଅସ୍ତ୍ର ବର୍ଜନ କରିବା । ଅସ୍ତ୍ରଶସ୍ତ୍ରର ବ୍ୟବସାୟରୁ ଲାଭ ଉପାର୍ଜନ ବନ୍ଦ କରିବା । ଅର୍ଥନୈତିକ ସମାନତା ସୃଷ୍ଟି କରିବା ଏବଂ ଦାରିଦ୍ର ଦୂର କରିବା । ଦେଶର ବିକାଶ ଓ ଉନ୍ନତି ସକାଶେ ଉଦ୍ୟମ କରିବା । ଚରମପନ୍ଥୀ ଦଳର ପ୍ରତିବାଦ କରିବା । ପାରସ୍ପାରିକ ଆସ୍ଥା ପ୍ରତି ସମ୍ମାନ ପ୍ରଦର୍ଶନ କରିବା । ଏବଂ ମାନବ ଜାତିର ସେବା କରିବା ।
ପୌରୋହିତ୍ୟ ଭାଷଣରେ ସୟଦ ତୟବ ଅହମଦ ସଲିମ କହିଲେ,ଯଦି ବିଶ୍ୱବାସୀ ହଜରତ ଅହମଦଙ୍କ ଏହି ଅମୂଲ୍ୟ ବାର୍ତାକୁ ବୁଝି ତଦନୁଯାୟୀ କାର୍ଯ୍ୟ ନିର୍ବାହ କରନ୍ତେ ତାହେଲେ ବିଶ୍ୱରେ ଶାନ୍ତି ବିିରାଜି ପାରନ୍ତା ଏବଂ ମନୁଷ୍ୟ ଜାତି ଆଉ ଅଧିକ ଦିନ ତିଷ୍ଠି ରହି ପାରନ୍ତା । ପରମତପ ଅଲ୍ଲାଃଙ୍କ ନିକଟରେ ଏତିକି ପ୍ରାର୍ଥନା ଯେ ସେ ସମସ୍ତ ମାନବ ସମାଜକୁ ଏଥିପାଇଁ ସାମର୍ଥ୍ୟ ପ୍ରଦାନ କରନ୍ତୁ । ବିଶ୍ୱବାସୀ ନିଜର ବ୍ୟକ୍ତିଗତ ସ୍ୱାର୍ଥ ଓ ବସ୍ତୁବାଦର ଲାଳସାକୁ ଜଳାଞ୍ଜଳୀ ଦେଇ ନିଜର ଦାୟିତ୍ୱ ପ୍ରତି ସଚେତନ ରହିବା ସଂଗେ ସଂଗେ ନିଜ କର୍ତବ୍ୟକୁ ସୁଚାରୁ ରୂପେ ସଂପାଦନ କରିବା ପାଇଁ ପ୍ରୟାସ କରିବେ । ଆସନ୍ତୁ ଆମେ ସମସ୍ତେ ମିଳି ମିଶି ସ୍ଥାୟୀ ବିଶ୍ୱଶାନ୍ତି ପ୍ରତିଷ୍ଠା ଦିଗରେ ନିଜ ନିଜର କର୍ତବ୍ୟ ବହନ କରିବା ଏବଂ ମିର୍ଜା ମସରୁର ଅହମଦଙ୍କ ଏହି ଚିନ୍ତାଧାରାକୁ ସ୍ୱାଗତ କରିବା ସହ ଏହାର ସଦ୍‌ଉପଯୋଗ କରି ବିଶ୍ୱ କଲ୍ୟାଣ ଦିଗରେ ପ୍ରୟାସ ଜାରି ରଖିବା । ପରମବ୍ରହ୍ମ ଆମ ସମସ୍ତଙ୍କୁ ବିଶ୍ୱଯୁଦ୍ଧ ଜନିତ ଧ୍ୱଂସର ବିଭୀଷିକାର କୁପ୍ରଭାବରୁ ସୁରକ୍ଷିତ ରଖନ୍ତୁ । ଏହା ହିଁ ଆମର କାମନା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ