ଟିୟୁଏସିସି ପକ୍ଷରୁ ମିଳିତଭାବେ ବିଶ୍ୱ ଶ୍ରମିକ ଦିବସ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା): ଆନ୍ତର୍ଯାତିକ ଶ୍ରମିକ ଦିବସକୁ ବାଲେଶ୍ୱର ଟ୍ରେଡ଼୍ ୟୁନିୟନ୍ ଆସୋସିଏସନ୍ କୋଡ଼ିନେସନ୍ କମିଟି (ଟିୟୁଏସିିସି) ଓ ୨୦୨୪ ମଇ ଦିବସ କମିଟି ପକ୍ଷରୁ ମହା ସମାରୋହରେ ପାଳନ କରାଯାଇଛି । ମଇ ପହିଲା ଦିନ ସକାଳ ୭ଟାରେ ବିଚାରଗଞ୍ଜ ଛକ ପାଶ୍ୱର୍ରେ ଥିବା ରିକ୍ସାଚାଳକ ସଂଘ ଅଫିସ୍ ସମ୍ମୁଖରେ କମିଟି ପକ୍ଷରୁ ଲାଲ୍ ପତାକା ଉତ୍ତୋଳନ କରାଯାଇଥିଲା । ସେଠାରୁ ଶୋଭାଯାତ୍ରାରେ ଯାଇ ଶ୍ରମିକନେତାମାନେ ବିଭିନ୍ନ ଶ୍ରମିକ ସଂଗଠନ, କଳକାରଖାନା ଓ ପୌର କର୍ମଚାରୀମାନଙ୍କ ସଂଘ ପକ୍ଷରୁ ମଇଦିବସର ପତାକା ଉତ୍ତୋଳନ କରିଥିଲେ ।ଅପରାହ୍ନ ୫ଟାରେ ବାଲେଶ୍ୱର ରେଳଷ୍ଟେସନ୍ ନିକଟରୁ ଶହଶହ ଶ୍ରମଜୀବୀ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ସହର ପରିକ୍ରମା କରିବାପରେ ସ୍ଥାନୀୟ ଗାନ୍ଧିସ୍ମୃତି ଭବନ ସମ୍ମୁଖରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗ ଦେଇଥିଲେ । ଟିୟୁଏସିସିର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ଏହି ସଭାରେ ଅଧ୍ୟକ୍ଷତା କରିଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଅତିଥିଭାବେ ଯୋଗଦେଇ ଶ୍ରମିକମାନଙ୍କର ସ୍ୱାଧୀନତା ଆନ୍ଦୋଳନରେ ଓ ସ୍ୱାଧୀନ ଭାରତରେ ଗୌରବମୟ ସଂଗ୍ରାମର ସ୍ମୃତିଚାରଣ କରିଥିଲେ । ମେହନତି ନାଗରିକମାନଙ୍କ ସ୍ୱାର୍ଥରେ ପ୍ରଣୀତ ସମସ୍ତ ଆଇନ ପ୍ରଣୟନରେ କେନ୍ଦ୍ର ଓ ରାଜ୍ୟମାନଙ୍କରେ ବାମପନ୍ଥୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସେ ପ୍ରଶଂସା କରିଥିଲେ । ଦେଶର ସଂବିଧାନ ପ୍ରଦତ୍ତ ନାଗରିକ ଅଧିକାରକୁ ବର୍ତ୍ତମାନର ବିଜେପି ସରକାର ସଂକୁଚିତ ପାଇଁ ବିଭିନ୍ନ ଆଇନ୍ କରୁଛନ୍ତି । ଓଡ଼ିଶାର ବିଜୁଜନତା ଦଳ କେନ୍ଦ୍ର ସରକାରଙ୍କୁ ସଂସଦରେ ଏଥିପାଇଁ ସମର୍ଥନ ଜଣାଉଛି ବୋଲି ଶ୍ରୀ ଜେନା କହିଥିଲେ । ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଥିଲେ ଯେ, ରତ୍ନଭଣ୍ଡାର କେବଳ ଶ୍ରୀମନ୍ଦିର ଭିତରେ ସୀମିତ ନୁହେଁ । ଓଡ଼ିଶାର ବିସ୍ତୀର୍ଣ୍ଣ ବେଳାଭୂମି, ଜଙ୍ଗଳ ଓ ଭୂତଳର ଖଣିଜ ସଂପଦ ହେଉଛି ଆମ ରାଜ୍ୟର ରତ୍ନଭଣ୍ଡାର । ଏହାର ସଠିକ୍ ବିନିଯୋଗ ହୋଇପାରିଲେ ଓଡ଼ିଆ ପୁଅ ଦାଦନ ଶ୍ରମିକ ହୁଅନ୍ତା ନାହିଁ । ତେଣୁ ଗଣତନ୍ତ୍ରର ମହାପର୍ବ ଚଳିତ ନିର୍ବାଚନରେ ଶ୍ରମଜୀବୀମାନେ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରି ଏକଛତ୍ରବାଦ କବଳରୁ ଦେଶ ଓ ରାଜ୍ୟକୁ ରକ୍ଷା କରିବାକୁ ଶ୍ରୀ ଜେନା ଆହ୍ୱାନ ଦେଇଥିଲେ । ଅନ୍ୟତମ ଅତିଥି ତଥା ସିଆଇଟିୟୁର ନେତା ନିର୍ମଳ ନାୟକ, ଏଆଇଟିୟୁର ଆଇନ୍ ପରାମର୍ଶଦାତା ନିରଞ୍ଜନ ପରିଡ଼ା, ଆଇଏନ୍‌ଟିୟୁସିର ଜିଲ୍ଲା ସଭାପତି ସୁରେଶ ଚନ୍ଦ୍ର ବେହେରା ଓ ଚାଷୀ ଏକତା ମଞ୍ଚର ସଭାପତି ଅରୁଣ ଜେନା ସେମାନଙ୍କ ବକ୍ତବ୍ୟରେ ଧର୍ମ ଓ ଜାତି ନାମରେ ଦେଶର ଜନଗଣ ମଧ୍ୟରେ ବିଭେଦ ସୃଷ୍ଟି କରୁଥିବା ଓ ପ୍ରଚଳିତ ଶ୍ରମ ଆଇନଗୁଡ଼ିକୁ ପୁଞ୍ଜିପତି ମାଲିକଙ୍କ ସ୍ୱାର୍ଥରେ ସଂଶୋଧନ କରୁଥିବା ସରକାରୀ ଦଳର ପ୍ରତିନିଧିମାନଙ୍କୁ ଚଳିତ ନିର୍ବାଚନରେ ଭୋଟରମାନେ ସଠିକ୍ ଜବାବ ଦେବାକୁ ସେମାନେ ଆହ୍ୱାନ ଦେଇଥିଲେ । ଟିୟୁଏସିିସିର ସାଧାରଣ ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ବାଲେଶ୍ୱରରେ ଗତ ୫୦ବର୍ଷ ଧରି ମିଳିତଭାବେ ମଇ ଦିବସ ପାଳନ ଓ ବହୁମିଳିତ ସଂଗ୍ରାମର ଐତିହ୍ୟକୁ ସ୍ମରଣ କରି ଆଗାମୀ ଦିନରେ ଶ୍ରମିକଶ୍ରେଣୀ ଅଧିକ ସଂଗଠିତ ହେବାକୁ ନିବେଦନ କରିଥିଲେ । ମଇ ଦିବସ କମିଟିର ସଂପାଦକ ଶରତ ଚନ୍ଦ୍ର ଦଳାଇ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସଭାକାର୍ଯ୍ୟ ଆରମ୍ଭ ପୂର୍ବରୁ ରୁପ୍ସା ଝୋଟ କାରଖାନାର ଶ୍ରମିକ ବୈଦ୍ୟନାଥ ପାତ୍ର ଓ ତାଙ୍କର ସାଥୀମାନେ ବୈପ୍ଳବିକ ସଂଗୀତ ଗାନ କରିଥିଲେ । ମଇଦିବସକୁ ସ୍ୱାଗତ ଜଣାଇ ୩୦ ତାରିଖ ସନ୍ଧ୍ୟାରେ ସହରରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମରେ ପ୍ରତିରକ୍ଷା, ବୀମା, ବ୍ୟାଙ୍କ, ଜୀବନବୀମା, ବିଦ୍ୟୁତ୍‌, ଉଠାଜଳସେଚନ, ପରିବହନ, ନିର୍ମାଣ ଶ୍ରମିକ, ସ୍କିମ୍ ୱାର୍କର୍‌ସ, କାଠ କାରିଗର, ରିକ୍ସା ଓ ଅଟୋଚାଳକ, ପୌର କର୍ମଚାରୀ, କ୍ଷେତ ମଜଦୂର, ମହିଳା ସଂଗଠନ ଓ ବହୁ କଳକାରଖାନାର ଶ୍ରମିକ କର୍ମଚାରୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ