ବିଜ୍ଞପ୍ତି ପ୍ରକାଶ ଏବଂ ନାମାଙ୍କନ ନିମନ୍ତେ ଜିଲ୍ଲାପାଳ ଏବଂ ଏସପିଙ୍କ ଯୁଗ୍ମ ସାମ୍ବାଦିକ ସମ୍ମିଳନୀ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଆଶୀଷ ଠାକରେଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସଦ୍ଭାବନା ସଭାଗୃହ ଠାରେ ଅପରାହ୍ନ ଘ. ୫ ଟା ସମୟରେ ବିଜ୍ଞପ୍ତି ପ୍ରକାଶ ଏବଂ ନାମାଙ୍କନ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଏକ ଯୁଗ୍ମ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସାଗରିକା ନାଥ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ, ବାଲେଶ୍ୱର ଉପଜିଲ୍ଲାପାଳ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ ଓ ଡେପୁଟି କଲେକ୍ଟର (ନିର୍ବାଚନ) ଶ୍ରୀମତୀ ରାଇମତ ଟୁଡୁ ପ୍ରମୁଖ ମଞ୍ଚାସୀନ ଥିଲେ Iଏହି ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀ ଠାକରେ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସ୍ୱାଗତ ଜଣାଇ ସାଧାରଣ ନିର୍ବାଚନର ସପ୍ତମ ପର୍ଯ୍ୟାୟରେ ବାଲେଶ୍ୱର ଜିଲ୍ଲାରେ ହେବାକୁ ଥିବା ମତଦାନ ପାଇଁ ପ୍ରସ୍ତୁତି ଏବଂ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଏସପିଙ୍କ ସହିତ ମିଳିତ ଭାବରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ। ପ୍ରାୟ ୧୩୯୨୦ ଜଣ ପୋଲିଂ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯାଇଛି ଏବଂ ସେମାନଙ୍କୁ ମତଦାନ ପ୍ରକ୍ରିୟାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ନିୟୋଜିତ କରାଯାଇଛି ବୋଲି ଜିଲ୍ଲାପାଳ ସଭା ପ୍ରାରମ୍ଭରେ ସୂଚନା ଦେଇଥିଲେ। ପ୍ରତି ମତଦାନ କେନ୍ଦ୍ରରେ ଜଣେ ପ୍ରିଜାଇଡିଂ ଅଫିସର ଓ ପାଞ୍ଚ ଜଣ ପୋଲିଂ ଅଫିସର ରହିବେ। ଜିଲ୍ଲାରେ ୩୫୬ଟି ଆଦର୍ଶ ମତଦାନ କେନ୍ଦ୍ର ନିର୍ଦ୍ଧାରଣ କରାଯାଇଛି ଯେଉଁ ଥିରେ ସଖୀ ମତଦାନ କେନ୍ଦ୍ର (୨୮୦), ଯୁବବର୍ଗଙ୍କ ଦ୍ୱାରା ପରିଚାଳିତ ମତଦାନ କେନ୍ଦ୍ର (୧୬), ପରିବେଶ ଅନୁକୂଳ ମତଦାନ କେନ୍ଦ୍ର(୨୨), ଜାତିଗତ ମତଦାନ କେନ୍ଦ୍ର (୧୫) ଏବଂ ଅନ୍ୟାନ୍ୟ ଥିମ୍ ଆଧାରିତ ମତଦାନ କେନ୍ଦ୍ର (୧୫) ରହିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ I ବିଜ୍ଞପ୍ତି ପ୍ରକାଶ ପରେ ନାମାଙ୍କନ ଗ୍ରହଣ କରାଯିବ । ଏହି ସମୟରେ ଛୁଟି ଦିନଗୁଡିକୁ ଛାଡି ସମସ୍ତ ଅଫିସ ଦିନ ଗୁଡିକରେ ଆସନ୍ତା ମଇ ୧୪ ତାରିଖ ଯାଏଁ ନାମାଙ୍କନ ଦାଖଲ କରାଯାଇପାରିବ । ପାର୍ଥୀ ଦିନ ୧୧ ଘଟିକା ରୁ ଅପରାହ୍ନ ୩ ଟା ଯାଏଁ ନିଜ ନାମାଙ୍କନ ପତ୍ର ସମ୍ପୃକ୍ତ ରିଟର୍ନିଙ୍ଗ ଅଧିକାରୀଙ୍କ ପାଖରେ ଦାଖଲ କରିପାରିବେ । ମଇ ୧୫ ତାରିଖ ନାମାଙ୍କନ ଯାଞ୍ଚ ଏବଂ ୧୭ ତାରିଖ ପାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ । ଏହା ପରେ ଜୁନ ୧ ତାରିଖ ଜିଲ୍ଲାରେ ମତଦାନ ହେବ । ନାମାଙ୍କନ କେନ୍ଦ୍ରର ୧୦୦ ମିଟର ଦୂରତା ଭିତରେ ପାର୍ଥୀ ୩ଟି ଗାଡି ସହ ୪ ଜଣଙ୍କୁ ସାଥିରେ ଆଣିପାରିବେ । ସେହିପରି ୩ ଟା ପରେ କୌଣସି ନାମାଙ୍କନ ଗ୍ରହଣ କରାଯିବନି I ଏଥିସହିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଜର ପରିଚୟ ପତ୍ର ସହ ନାମାଙ୍କନ ସ୍ଥଳୀରେ ପ୍ରବେଶ କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଥିଲେ I ଜିଲ୍ଲାର ଚିହ୍ନଟ ହୋଇଥିବା ୨୩୭ଟି କ୍ରିଟିକାଲ ମତଦାନ କେନ୍ଦ୍ର ସମେତ ସମସ୍ତ ୧୯୧୩ଟି ମତଦାନ କେନ୍ଦ୍ରରେ ପର୍ଯ୍ୟାପ୍ତ ସୁରକ୍ଷା ବଳ ମୁତୟନ କରାଯିବ ବୋଲି ଏସପି ସୂଚନା ଦେଇଥିଲେ। ଏହି ୨୩୭ଟି କ୍ରିଟିକାଲ ମତଦାନ କେନ୍ଦ୍ର ମୂଲ୍ୟାଙ୍କନ ଅନୁଯାୟୀ ପରିବର୍ତ୍ତନ ହୋଇପାରେ ବୋଲି ମଧ୍ୟ ଏସପି ସୂଚାଇ ଦେଇଥିଲେ I ସାଧାରଣ ନିର୍ବାଚନକୁ ନେଇ ପେଡ୍ ନ୍ୟୁଜ୍, ଫେକ୍ ନ୍ୟୁଜ୍ ଓ ଫେକ୍ ମର୍ଫଡ୍ ଇମେଜ୍ ମାମଲା ଉପରେ ନଜର ରଖିବା ପାଇଁ ସୋସିଆଲ୍ ମିଡିଆ ମନିଟରିଂ ସେଲ୍ ଗଠନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ସୋସିଆଲ ମେଡିଆ ସାଇଟରୁ ୩୨ଟି ପୋଷ୍ଟ ଡିଲିଟ୍ କରାଯାଇଛି ବୋଲି ଏସପି ସୂଚନା ଦେଇଥିଲେ। ଏହି ସମ୍ମିଳନୀରେ ନିର୍ବାଚନ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କ ସମେତ ଜିଲ୍ଲା ସଦର ମହକୁମାର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ