ପ୍ରବଳ ଗ୍ରୀଷ୍ମପ୍ରବାହ ବେଳେ ପାନୀୟଜଳରୁ ବଞ୍ଚିତ ଆୟତପୁର ପଞ୍ଚାୟତବାସୀ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):୧ଲକ୍ଷ ଲିଟରର ଉଚ୍ଚକ୍ଷମତା ସମ୍ପନ୍ନ ପାଣିଟାଙ୍କି ଥାଇବି ଗତ ଦୁଇଦିନ ହେବ ପ୍ରବଳ ଗ୍ରୀଷ୍ମପ୍ରବାହ ବେଳେ ପିଇବା ପାଣିରୁ ବଞ୍ଚିତ ହୋଇ ଡହଳବିକଳ ହେଉଛନ୍ତି ଆୟତପୁର ପଞ୍ଚାୟତବାସୀ । ଏ ନେଇ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଜନର ନିର୍ବାହୀ ଯନ୍ତ୍ରୀ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଆୟତପୁର ପଞ୍ଚାୟତର ବାଳିସିଙ୍ଗି ଓ ଆୟତପୁର ଗ୍ରାମର ଅଧିବାସୀମାନେ ପିଇବା ପାଣି ଅଭାବରୁ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଗତ ଦୁଇଦିନ ହେବ ପିଇବା ପାଣି ଯୋଗାଣ ପ୍ରକଳ୍ପକୁ ବିଦ୍ୟୁତ ଯୋଗାଉଥିବା ଟାନ୍ସଫର୍ମରଟି ପୋଡିଯିବାରୁ ପ୍ରକଳ୍ପର ପମ୍ପ୍ ଚାଲିନପାରିବାରୁ ଲୋକମାନଙ୍କୁ ପିଇବା ପାଣି ଯୋଗାଇ ଦିଆଯାଇପାରୁନାହିଁ । ଫଳରେ ଏହି ଅଞ୍ଚଳର ୩ଶହରୁ ଉର୍ଦ୍ଧ୍ୱ ପରିବାରର ପ୍ରାୟ ଦୁଇହଜାର ଲୋକ ପିଇବା ପାଣି ଟୋପେ ନପାଇ ଡହଳବିକଳ ହେଉଥିବା ଅଭିଯୋଗ ହୋଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଲୋକମାନଙ୍କୁ ପିଇବା ପାଣି ଯୋଗାଇ ଦିଆନଯିବା ହେତୁ ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏଥିସହିତ ସଂପୃକ୍ତ ଯୋଗାଣ ପ୍ରକଳ୍ପର ଚାଳକ ଟାଙ୍କିରେ ପିଇବା ପାଣି ଷ୍ଟକ କରି ରଖୁନଥିବାରୁ ଜଳ ଯୋଗାଣରେ ବାରମ୍ବାର ବ୍ୟାହତ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ପଞ୍ଚାୟତବାସୀଙ୍କ ପକ୍ଷରୁ ପଦ୍ମ ଚରଣ ସାମନ୍ତରାୟ, ଦିପ୍ତିମୟୀ ସାମନ୍ତରାୟ, ବାବାଜି ଦାସ, ଅଲେଖ ଜେନା, ଜନ୍ମେଜୟ ସାମନ୍ତରାୟ, ପରେଶ ବରାଳ ଓ ଶୁଭେନ୍ଦୁ ସାମନ୍ତରାୟ ପ୍ରମୁଖ ଜିଲ୍ଲାପାଳ ଏବଂ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଜନର ନିର୍ବାହୀ ଯନ୍ତ୍ରୀ ନିକଟରେ ଅଭିଯୋଗ କରି ତୁରନ୍ତ ପ୍ରତିକାର ପାଇଁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ