ପ୍ରଚାର ଶେଷ ଦିନରେ ଲୋକଙ୍କ ମନ କିଣିବା ପାଇଁ ପ୍ରାର୍ଥୀଙ୍କ ପ୍ରାଣମୂର୍ଛା ଉଦ୍ୟମ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ଆସନ୍ତା ସୋମବାର ଦିନ ଓଡ଼ିଶାରେ ଅନୁଷ୍ଠିତ ହେବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ I ଏହି ପ୍ରରିପ୍ରେକ୍ଷୀରେ ଆଜି ସନ୍ଧ୍ୟାରେ ପ୍ରାର୍ଥୀ ମାନଙ୍କରେ ପ୍ରଚାର କାର୍ଯ୍ୟକ୍ରମ ଶେଷ ହୋଇଛି I ସୋରଡ଼ା ବିଧାନସଭା ମଣ୍ଡଳୀ ବେଲଗୁଣ୍ଠା ବ୍ଳକ୍ ରେ ପ୍ରଚାରର ଶେଷ ଦିନରେ ବିଭିନ୍ନ ଦଳୀୟ ଏବଂ ସ୍ୱାଧୀନ ପ୍ରାର୍ଥୀ ଭୋଟର୍ ଙ୍କ ମନ କିଣିବା ପାଇଁ ପ୍ରାଣମୂର୍ଛା ଉଦ୍ୟମ କରିଛନ୍ତି I ବେଲଗୁଣ୍ଠା ବ୍ଳକ୍, ଏନ୍ଏସି ଏବଂ ସୋରଡ଼ା ବ୍ଳକ୍, ଏନ୍ଏସି କୁ ନେଇ ଗଠିତ ସୋରଡ଼ା ନିର୍ବାଚନ ମଣ୍ଡଳୀରେ ଗତ ତିନି ନିର୍ବାଚନରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଏବଂ ବିରୋଧୀ ନୀଳମଣି ବିଷୋୟୀଙ୍କ ମଧ୍ୟରେ କଡ୍ଡା ଟକ୍କର ହୋଇ ଆସୁଥିବା ବେଳେ ଚଳିତ ନିର୍ବାଚନରେ ମଧ୍ୟ ଏହି ଧାରା ଜାରି ରହିଛି I ଚଳିତ ଥର ବିଜେଡ଼ି ପକ୍ଷରୁ ତିନି ଥରର ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ଧର୍ମପତ୍ନୀ ସଂଘମିତ୍ରା ସ୍ୱାଇଁ ଏବଂ ବିଜେପି ପକ୍ଷରୁ ନୀଳମଣି ବିଷୋୟୀଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ଵନ୍ଦିତା ଦେଖିବାକୁ ମିଳିଛି I ଉଭୟଙ୍କର ପ୍ରଚାର ମଧ୍ୟ ଜୋରଦାର୍ ରହିଛି I ସଂଘମିତ୍ରାଙ୍କ ପାଇଁ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆସି ପ୍ରଚାର କରିଥିବା ବେଳେ ଏହି ଆସନକୁ ବିଜେଡ଼ି ହାତରୁ ଛଡ଼ାଇବା ପାଇଁ ବିଜେପିର କେନ୍ଦ୍ରୀୟ ନେତାମାନେ ଆପ୍ରାଣ ଚେଷ୍ଟା କରିଛନ୍ତି I ବିଜେଡ଼ିକୁ ଟକ୍କର ଦେବାକୁ କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହା, କେନ୍ଦ୍ରୀୟ ନେତା ଜେପି ନଡ୍ଡା ଏବଂ ଗୋପାଳପୁର ବିଧାୟକ ଡ.ପ୍ରଦୀପ ପାଣିଗ୍ରାହୀ ଆସି ନୀଳମଣିଙ୍କ ସକାଶେ ପ୍ରଚାର କରିଛନ୍ତି I ଆଜି ପ୍ରଚାର ଶେଷ ହେବା ପୂର୍ବରୁ ଶୁକ୍ରବାର ବିଜେଡ଼ି ପକ୍ଷରୁ ଓଲିଉଡ଼୍ ଦମ୍ପତି ସବ୍ୟସାଚୀ,ଅର୍ଚ୍ଚିତାଙ୍କ ସମେତ ବିଭିନ୍ନ ଧାରବାହିକ କଳାକାରଙ୍କୁ ନେଇ ଉଭୟ ବେଲଗୁଣ୍ଠା ଏବଂ ସୋରଡ଼ାର ବିଭିନ୍ନ ଗ୍ରାମରେ ମେଗା ରୋଡ଼୍ ଶୋ କରାଯାଇଛି I ସେହିପରି ନୀଳମଣି ମଧ୍ୟ ବିଭିନ୍ନ ଧାରାବାହିକ କଳାକାରଙ୍କୁ ନେଇ ବାଇକ୍ ରାଲୀ କରି ଶେଷ ଦିନରେ ନିଜ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି I ସେହିପରି ଭାରତୀୟ ଜାତୀୟ କଂଗ୍ରେସ୍ ପ୍ରାର୍ଥୀ ହରିକୃଷ୍ଣ ରଥ ମଧ୍ୟ ବେଲଗୁଣ୍ଠାରେ ଘରକୁ ଘର ବୁଲି ଭୋଟର୍ ଙ୍କ ଆଶୀର୍ବାଦ ନେବା ସହିତ ନିଜ ପାଇଁ ଭୋଟ୍ ମାଗିଛନ୍ତି I ଉଭୟ ବିଜେପି ଏବଂ ବିଜେଡ଼ିର ଭୋଟ୍ ବ୍ୟାଙ୍କ୍ କୁ ପ୍ରଭାବିତ କରିବା ପାଇଁ କିଛି ସ୍ୱାଧୀନ ପ୍ରାର୍ଥୀ ନିଜସ୍ୱ ପ୍ରଚେ଼ଷ୍ଟା ଏବଂ ପ୍ରଚାର କରିଛନ୍ତି I ଆଜି ଆନୁଷ୍ଠାନିକ ପ୍ରଚାର ସରିଥିଲେ ମଧ୍ୟ ଦଳୀୟ ପ୍ରାର୍ଥୀ ମାନେ ବିଭିନ୍ନ ଗ୍ରାମରେ ଅନ୍ଧାରୀ ବିଜେ କରି ପାରନ୍ତି ବୋଲି ସୂଚନା ମିଳିଛି I ଅନ୍ୟ ପକ୍ଷରେ ନିର୍ବାଚନକୁ ସୁରୁଖୁରୁରେ କରିବା ପାଇଁ ବେଲଗୁଣ୍ଠା ବ୍ଳକ୍ ଏବଂ ସୋରଡ଼ା ବ୍ଳକ୍ ର ବିଭିନ୍ନ ବୁଥ୍ ରେ ଆଜି ସନ୍ଧ୍ୟା ସୁଦ୍ଧା ପୋଲିଂ ଅଧିକାରୀ ମାନେ ପହଞ୍ଚି ସାରିଥିବା ବେଳେ ବଳକା ବୁଥ୍ ରେ ରବିବାର ମଧ୍ୟାହ୍ନ ସୁଦ୍ଧା ପୋଲିଂ ଅଧିକାରୀ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ