ବାଲେଶ୍ୱର ମୋଦି ଓ ନବୀନ ସରକାର ବିରୁଦ୍ଧରେ ଗର୍ଜିଲେ ସଚ୍ଚିନ ପାଇଲଟ

ବାଲେଶ୍ୱର, (ସରୋଜ ପଣ୍ଡା):ମିଶନ ପଡ଼ିଆ ଠାରେ ବାଲେଶ୍ୱର ଜିଲ୍ଲା କଂଗ୍ରେସ ତରଫରୁ ଏକ ବିଶାଳ ନିର୍ବାଚନୀ ସାଧାରଣ ସଭା ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜୀବ ଗିରି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇ ଅଛି।ଏହି ସଭାରେ ଜାତୀୟ କଂଗ୍ରେସ ର ସାଧାରଣ ସମ୍ପାଦକ ତଥା ତାରକା ପ୍ରଚାରକ ସଚ୍ଚିନ ପାଇଲଟ ଙ୍କ ସହ ବାଲେଶ୍ୱର ସାଂସଦ ପ୍ରାର୍ଥୀ ପୂର୍ବତ୍ତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ,ସଦର ବିଧାୟିକା ପ୍ରାର୍ଥୀନୀ ଇଂ ମୋନାଲିଶା ସାମଲ,ରେମୁଣା ବିଧାୟକ ପ୍ରାର୍ଥୀ ସୁଦର୍ଶନ ଜେନା, ବସ୍ତା ବିଧାୟକ ପ୍ରାର୍ଥୀ ବିଜନ ନାୟକ, ଜଳେଶ୍ୱର ବିଧାୟକ ପ୍ରାର୍ଥୀ ସୁଦର୍ଶନ ଦାସ, ନୀଳଗିରି ବିଧାୟକ ପ୍ରାର୍ଥୀ ଅକ୍ଷୟ ଆଚାର୍ଯ୍ୟ, ବଡ଼ସାହି ବିଧାୟକ ପ୍ରାର୍ଥୀ କ୍ଷୀରୋଦ ପାତ୍ର, ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ବିଶ୍ୱରଞ୍ଜନ ମହାନ୍ତି, ଏ,ଆଇ,ସି,ସି ବାଲେଶ୍ୱର ଜିଲ୍ଲା ପର୍ଯ୍ୟବେକ୍ଷକ ଅଭୟ ଚହଲ, ମଞ୍ଚଆସିନ ଥିଲେ।ସଚ୍ଚିନ ପାଇଲଟ ତାଙ୍କ ବକ୍ତବ୍ୟରେ କହିଲେ ୨୫ ବର୍ଷ ଧରି ରାଜ୍ୟରେ ବିଜେଡି ସରକାର କରୁଛି । ତାଙ୍କ ଉପରେ ବହୁ ଅଭିଯୋଗ ରହିଛି । ଅବୈଧ ଖଣି ଉତ୍ତୋଳନ, ଚିଟ୍‌ଫଣ୍ଡ, ବିଭିନ୍ନ ପ୍ରକାର ସ୍କାଣ୍ଡାଲ ସ୍କାମର ତଦନ୍ତ ପାଇଁ ରାଜ୍ୟ ସରକାର ଆଶ୍ୱାସନା ଦେଇ ଚୁପ୍ ରହିଛନ୍ତି । ଏଥିପାଇଁ ଲୋକମାନଙ୍କ ମନ ମଧ୍ୟରେ ଅସନ୍ତୋଷ ଭରି ରହିଛି । ସରକାରକୁ ବଦଳାଇବା ପାଇଁ ଆଶା ବାନ୍ଧିଛନ୍ତି । ସେହିପରି କେନ୍ଦ୍ରରେ ଭାଜପା ସରକାର ଦଶ ବର୍ଷ ଧରି ରହିଛି । ସରକାର ଗଢ଼ିବା ବେଳେ ଦରଦାମ୍ ନିୟନ୍ତ୍ରଣ, ବେରୋଜଗାରୀ, କଳାଧନ ଫେରସ୍ତ, ଭ୍ରଷ୍ଟାଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଯେଉଁ ଆଶ୍ୱାସନା ଦେଇଥିଲେ । ଦଶ ବର୍ଷ ମଧ୍ୟରେ ଏସବୁର ରିପୋର୍ଟ ଦେଖାଇବା ପାଇଁ ସରକାରଙ୍କ ପାଖରେ ରିପୋର୍ଟ କାର୍ଡ଼ ନାହିଁ । ଆଜି କୃଷକ ସଙ୍କଟରେ, ଓଡ଼ିଶାର ଲୋକମାନଙ୍କ ପାଇଁ କେନ୍ଦ୍ରସରକାର ୧୦ ବର୍ଷ ପରେ ମଧ୍ୟ କୌଣସି ବିଶେଷ କାମ କରି ନାହାନ୍ତି । ଯେତେବେଳେ କଂଗ୍ରେସ ସରକାର ଥିଲା ରାଜ୍ୟରେ ବଡ଼ବଡ଼ ଉଦ୍ୟୋଗ, କଳକାରଖାନା ଗଢ଼ି ଉଠିଥିଲା । ଲୋକମାନଙ୍କ ପାଇଁ ଉନ୍ନତି କରିବାର ସୂଯୋଗ ରହିଥିଲା । ଏହି ରାଜ୍ୟରେ ଜଙ୍ଗଲ, ପାଣି, କୋଇଲା ଭଳି ଖଣିଜ ପଦାର୍ଥ ଭରି ରହିଛି । କିନ୍ତୁ ଏଠାକାର ସରକାର ୨୫ ବର୍ଷ ଧରି ଲୋକଙ୍କୁ ଶୋଷଣ କରିଆସୁଛନ୍ତି । କେବଳ ରାଜ୍ୟରେ ନୁହେଁ ଦେଶ ସାରା ଲୋକ ପରିବର୍ତ୍ତନ ଚାହୁଁଛନ୍ତି । କଂଗ୍ରେସର ସ୍ଥିତି ଭଲ । ଭୋଟ୍‌ରେ ଉତ୍ତମ ପ୍ରଦର୍ଶନ କରିବୁଁ । କଂଗ୍ରେସ ଦଳ ଦେଶର ବଡ଼ ବିରୋଧୀ ଦଳ ଭାବେ କାର୍ଯ୍ୟ କରୁଛି । ଏହାପରେ ମଧ୍ୟ ଭାଜପା ସରକାର ଆଚରଣ ବିଧିକୁ ଆଳ କରି ଆକାଉଣ୍ଟ ସିଜ୍ କରିଦେଇଛି । ସେଥିପାଇଁ ଆମକୁ ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହେବାକୁ ପଡ଼ିଲା । ଏହାପରେ ମଧ୍ୟ ମଜବୁତ ସହକାରେ କଂଗ୍ରେସ ଓ ଇଣ୍ଡିଆ ଏଲାଏନ୍ସ ପ୍ରାର୍ଥୀ ସହଭାଗିତାରେ ନିର୍ବାଚନ ଲଢୁଛୁ । ଯେଉଁଠି ଯେଉଁଠି ନିର୍ବାଚନ ସରିଲାଣି ସେଠାରେ ଭାଜପା ପଛୁଆ ରହିଛି । ଭାଜପା ନେତାମାନେ ସେଥିପାଇଁ ଧର୍ମକୁ ନେଇ ମନ୍ଦିର ଓ ମସଜିଦ୍ ଏବଂ ହିନ୍ଦୁ ଓ ମୁସଲମାନ ସମ୍ପର୍କରେ କଥା ରଖୁଛନ୍ତି । ବିକାଶ ଓ ଲୋକଙ୍କ କଥା କହିବା ବନ୍ଦ କରିଦେଲେଣି । ଚଳିତ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ । ବାଲେଶ୍ୱରରେ କଂଗ୍ରେସ ଜିତିବ । ଲୋକ ଜାଣିଗଲେଣି ବିଜେଡି ଓ ଭାଜପା ଗୋଟିଏ ମୁଦ୍ରାର ଉଭୟ ପାଶ୍ୱର୍ । ଏଥିସହିତ କଂଗ୍ରେସ ସରକାରକୁ ଆସିଲେ ପ୍ରତି ଗରିବ ପରିବାରର ଆକାଉଣ୍ଟକୁ ୧ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ, ଏମ୍‌ଏସ୍‌ପି ପାଇଁ ନିର୍ଦ୍ଦିଷ୍ଟ ନିୟମ ବନାଯାଇ ଗ୍ୟାରେଣ୍ଟି ଦିଆଯିବ । ଦେଶରେ ୩୦ଲକ୍ଷ ଖାଲି ପଡ଼ିଥିବା ସରକାରୀ ପଦବୀ ପୂରଣ କରାଯିବ ଭଳି ମୁଦ୍ଦା ରଖିଥିଲେ ,ମଞ୍ଚ ବ୍ୟବସ୍ଥା କୁ ଜିଲ୍ଲା କଂଗ୍ରେସ ର ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଜିଲ୍ଲା ଅଧ୍ୟକ୍ଷ ବିକାଶ କୁମାର ଦାସ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ