ପର୍ଯ୍ୟବେକ୍ଷକ, ପ୍ରାର୍ଥୀ ଓ ରାଜନୈତିକ ଦଳ ଉପସ୍ଥିତିରେ ଦ୍ୱିତୀୟ ରାଣ୍ଡମାଇଜେସନ୍‌

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଭାରତର ନିର୍ବାଚନ କମିଶନ୍ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପର୍ଯ୍ୟବେକ୍ଷକ, ସମସ୍ତ ରାଜନୈତିକ ଦଳ ଓ ସାଧାରଣ ନିର୍ବାଚନ-୨୦୨୪ରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ଉପସ୍ଥିତିରେ ବାଲାଟ୍ ୟୁନିଟ୍ (ବିୟୁ), କଂଟ୍ରୋଲ ୟୁନିଟ୍‌(ସିୟୁ) ଓ ଭିଭିପାଟ୍‌ର ଦ୍ୱିତୀୟ ପର୍ଯ୍ୟାୟ ରାଣ୍ଡମାଇଜେସନ୍ ଆଜି ଶେଷ ହୋଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ଜିଲ୍ଲା ନିର୍ବାଚନ ଅଧିକାରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଣ୍ଡମାଇଜେସନ୍ ପ୍ରକ୍ରିୟାରେ ସାଧାରଣ ପର୍ଯ୍ୟବେକ୍ଷକ ଭରତ କୁମାର ଭାସବା ଓ ସାକେତ ମାଲବିୟ, ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭୁବନେଶ୍ୱରୀ ଏସ୍‌, ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଓ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ଉପସ୍ଥିତିରେ ଏହା ସମ୍ପାଦନ କରାଯାଇଥିଲା । ପ୍ରତିଟି ବାଲାଟ୍ ୟୁନିଟ୍‌, କଂଟ୍ରୋଲ ୟୁନିଟ୍ ଓ ଭିଭିପାଟ୍‌ର କ୍ରମିକ ନମ୍ବରକୁ ର‌୍ୟାଣ୍ଡମ୍‌ଲି ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର ଓ ମହାକାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍ ସହ ଅନ୍‌ଲାଇନ୍ ମାଧ୍ୟମରେ ସ୍ୱଚ୍ଛ ଓ ନିରପେକ୍ଷ ଭାବରେ ସଂଯୋଗ କରାଯାଇଥିଲା । ସୂଚନାଯୋଗ୍ୟ ଗୋଟିଏ ବୁଥ୍ ପାଇଁ ବାଲାଟ୍ ୟୁନିଟ୍‌, କଂଟ୍ରୋଲ ୟୁନିଟ୍ ଓ ଭିଭିପାଟ୍‌ର ଆବଶ୍ୟକତା ରହିଥାଏ । ମାତ୍ର ବିୟୁ/ସିୟୁ/ଭିଭିପାଟ୍ କେଉଁ କ୍ରମିକ ନମ୍ବର କେଉଁ ବୁଥ୍‌କୁ ଯିବ ତାହା ମନୁଷ୍ୟକୃତ ହେଲେ ନିରପେକ୍ଷ ହୋଇନପାରିବାର ସମ୍ଭାବନା ଥିବାରୁ ତାହାକୁ ଅନ୍‌ଲାଇନ୍ ଯୋଗେ କମ୍ପୁଟର୍‌ରେ କରିବାକୁ ନିର୍ଦ୍ଦେଶ ରହିଛି । ପ୍ରଥମ ରାଉଣ୍ଡରେ ବିୟୁ/ସିୟୁ/ଭିଭିପାଟ୍ କ୍ରମିକ ନମ୍ବର ଗୋଟିଏ ବୁଥ୍ ପାଇଁ ଯାହା ରହିଥିବ ପରବର୍ତ୍ତି ରାଉଣ୍ଡରେ ତାହା ଅନ୍ୟତ୍ର ପରିବର୍ତ୍ତନ ହୋଇଥାଏ । ଅର୍ଥାତ୍ କେଉଁ କ୍ରମିକ ନମ୍ବର କେଉଁ ବୁଥ୍‌କୁ ଯିବ ତାହା କେହି କହିପାରିବେ ନାହିଁ । ରାଣ୍ଡମ୍‌ଲି ଏହି କ୍ରମିକ ନମ୍ବର ସ୍ୱଚ୍ଛ ଓ ନିରପେକ୍ଷ ଭାବରେ ସଂଯୋଗ ହେଉଥିବାରୁ ଏହାର ନାମ ରାଣ୍ଡମାଇଜେସନ୍ । ନିୟମାନୁସାରେ ମୋଟ୍ ୫ଟି ରାଉଣ୍ଡ ରାଣ୍ଡମାଇଜେସନ୍ ହୋଇପାରିବ । ମାତ୍ର ଯେଉଁ ରାଉଣ୍ଡରେ ସମସ୍ତ ରାଜନୈତିକ ଦଳ ସହମତି ପ୍ରକାଶ କରିବେ ସେହି ରାଉଣ୍ଡର ତଥ୍ୟ ଅନୁସାରେ ବିୟୁ/ସିୟୁ/ଭିଭିପାଟ୍‌ର ନମ୍ବରିଙ୍ଗ୍ କରାଯାଇ ସେହି ବୁଥ୍‌କୁ ପଠାଯିବ । ପୁନଶ୍ଚ ସେହି ନମ୍ବରର ବିୟୁ/ସିୟୁ/ଭିଭିପାଟ୍ ବାସ୍ତବରେ ସେହି ବୁଥ୍‌କୁ ଯାଇଛି ନା ନାହିଁ ତାହାକୁ ଭୋଟ୍‌ଗ୍ରହଣ ଦିନ ବୁଥ୍‌ର ନିୟୋଜିତ ହୋଇଥିବା ପଲିଟିକାଲ୍ ଏଜେଣ୍ଟମାନେ ଚେକ୍ କରିପାରିବେ । ଏହି ରାଣ୍ଡମାଇଜେସନ୍ କାର୍ଯ୍ୟକ୍ରମରେ ଅତିରିକ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ପୀତାମ୍ବର ସାମଲ, ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ନୀଲୁ ମହାପାତ୍ର, କେନ୍ଦ୍ରାପଡ଼ା ଓ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ରବିନ୍ଦ୍ର କୁମାର ପ୍ରଧାନ, ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ଅଶୋକ କୁମାର ଦାଶ, ଉପ-ଜିଲ୍ଲା ନିର୍ବାଚନ ଅଧିକାରୀ ରମେଶ ଚନ୍ଦ୍ର ପଣ୍ଡା, କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ଏଆର୍‌ଓ, ଜିଲ୍ଲା ଇ-ଗଭର୍ଣ୍ଣାସ୍ ପରିଚାଳକ ଜ୍ଞାନରଞ୍ଜନ ସେଠୀ, ଡେପୁଟି କଲେକ୍ଟର ପଲ୍ଲବୀ ପାତ୍ର ଓ ପଲ୍ଲବୀ ପ୍ରିୟଦର୍ଶିନୀ ପ୍ରମୂଖ ଉପସ୍ଥିତ ଥିଲେ । ସେହିପରି ପଫୁଲ୍ଲ କୁମାର ଦାସ, ଜ୍ୟୋତି ପ୍ରକାଶ ଘୋଷ, ଶେଖ୍ ସାଦିକା ହୁସେନ୍‌, ସୁପ୍ରଭା ଦାସ, ସୌଭାଗ୍ୟ କେତନ ସାମଲ, ସନ୍ତୋଷ କୁମାର ପାତ୍ର, ନାରାୟଣ ଚନ୍ଦ୍ର ରାଉତ, ଧିରେନ୍ କୁମାର ସାହୁ, ପ୍ରଦୀପ କୁମାର ଦାସ, ପ୍ରଶାନ୍ତ କୁମାର ପାତ୍ର, ମନୋଜ କୁମାର ରାଉତ, ମହେନ୍ଦ୍ର ବାଇ ପ୍ରମୁଖ ସଦ୍‌ଭାବନା ସଭାକକ୍ଷରେ ଉପସ୍ଥିତ ଥିଲେ । ସେମାନେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଣ୍ଡମାଇଜେସନ୍ ପାଇଁ ନିଆଯାଇଥିବା ସମସ୍ତ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିବା ସହ ନିଜ ନିଜର ଆତ୍ମ ସନ୍ତୋଷ ପ୍ରକଟ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ ରାଣ୍ଡାମାଇଜେସନ ପରେ ଗରାପୁର କପାଳେଶ୍ୱରସ୍ଥିତ ୱେୟାରହାଉସରେ ଗଛିତ ଥିବା ସମସ୍ତ ଇଭିଏମ୍ ମେସିନ୍‌କୁ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ପୂର୍ଣ୍ଣ ପ୍ରସ୍ତୁତ ଷ୍ଟ୍ରଙ୍ଗ୍ ରୁମ୍‌କୁ ସ୍ଥାନାନ୍ତର କରାଯାଇଛି । ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଏହାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସମସ୍ତଙ୍କ ଉପସ୍ଥିତିରେ ମଧ୍ୟ ଏହାକୁ ଷ୍ଟ୍ରଙ୍ଗ୍ ରୁମ୍‌ରେ ରଖି ତାଲା ଦିଆଯିବ । ସ୍ୱଚ୍ଛ, ଅବାଧ, ନିରପେକ୍ଷ ନିର୍ବାଚନ ପାଇଁ ୨୪ ଘଂଟିଆ ସଶସ୍ତ୍ର ପୋଲିସ ବାହିନୀର କଡ଼ା ସୁରକ୍ଷାବଳୟ ଏବଂ ସିସିଟିଭି ସୁପରିଭିଜନ ମଧ୍ୟରେ ଏହି ମେସିନ୍ ରହିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ