ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମ ବିଜେଡିଙ୍କୁ ଫରକ ପଡିବନି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ମୋଦୀ ଲହରରେ ଓଡିଶା ଭରପୁର ବୋଲି ବିଜେପି ନେତା ଡିଣ୍ଡିମ ପିଟୁଥିବା ବେଳେ ବିଜେପି ହେଭିୱେଟ୍ ନେତାଙ୍କ ଜନସଭାରେ ମାତ୍ର ୨ଶହ ଲୋକ ଦେଖିବାକୁ ମିଳିଛି । ବିଜେପି ନେତାମାନେ ଏପରି ସ୍ଥିତି ଦେଖି ନିରାଶ ହୋଇଛନ୍ତି । ନିର୍ବାଚନ ବୈତରଣୀ କିପରି ପାର ହେବେ ସେ ନେଇ ନେତାମାନେ କେନ୍ଦ୍ରାପଡାଠାରେ କବାଟ କିଳା ବୈଠକରେ ବିଚାର ବିମର୍ଶ କରିଛନ୍ତି । ଓଡିଶା ବିଜେପି ମଧ୍ୟରେ ଥିବା ଗୋଷ୍ଠୀକନ୍ଦଳ ଦଳକୁ ଦୁର୍ବଳ କରୁଥିବା ଅନୁଭବ କରି ଦୁଇଦିନ ପୂର୍ବେ ବିଭିନ୍ନ ଗୋଷ୍ଠୀର ଛାମୁଆଁ ବିଜେପି ନେତାମାନେ ଭୁବନେଶ୍ୱରଠାରେ ମିଳିତ ହୋଇ ଏକ ସାମ୍ବାଦିକ ସମ୍ମିଳନୀ ଡାକି କଂଗ୍ରେସ ପରିବର୍ତ୍ତେ ବିଜେଡି ସରକାରକୁ ତୀବ୍ର ସମାଲୋଚନା କରିଥିଲେ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟରେ ବିଜେପିର ସ୍ଥିତି ଭଲ ନଥିବା ଅନୁଭବ କରି ଓଡିଶାକୁ ନିଜ ଆୟତକୁ ନେବା ପାଇଁ କେନ୍ଦ୍ରର ବିଜେପି ନେତୃତ୍ୱ ଓଡିଶାର ବିଜେପି ନେତୃମଣ୍ଡଳୀଙ୍କୁ ମିଳିମିଶି କାମ କରି ଅଧିକ ଆସନ ଅକ୍ତିଆର କରିବା ପାଇଁ ଚାପ ସୃଷ୍ଟି କରିଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡାରେ ରାଜ୍ୟ ବିଜେପିର ଛାମୁଆଁ ନେତାମାନେ ଏକ ଜନସଭାରେ ଲୋକଦେଖାଣିଆ ରଣହୁଙ୍କାର ଦେଇଛନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ତାଙ୍କ ରଣହୁଙ୍କାର ଶୁଣିବା ପାଇଁ କେବଳ ମାତ୍ର ୨ଶହ ବିଜେପି କର୍ମୀ ଉପସ୍ଥିତ ଥିଲେ । ଏହି ଜନସଭାରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ପ୍ରତାପ ଷଢଙ୍ଗୀ, ସାଂସଦ ଅପରାଜିତା ଷଢଙ୍ଗୀ, ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ମୋଦୀ ସରକାରଙ୍କ ଗ୍ୟାରେଣ୍ଟି ଓଡିଶାର ବିକାଶ ପାଇଁ ବିଜେପିକୁ ଭୋଟ ଦେବାକୁ ନିବେଦନ କରିଛନ୍ତି । ବିଜେଡି ସରକାରର ଅପାରଗତାର ତୀବ୍ର ସମାଲୋଚନା କରିଥିଲେ । ବିଜେପି ପ୍ରାର୍ଥୀଙ୍କ ସ୍ଥିତି ଜିଲ୍ଲାରେ ଭଲ ନଥିବାରୁ ଭୟରେ ବିଜେପି କର୍ମୀମାନେ ଏହି ଜନସଭାରେ ଯୋଗ ଦେଇନଥିଲେ ବୋଲି ଜନୈକ ବିଜେପି କର୍ମୀ କହିଛନ୍ତି । ଏମାନଙ୍କ ମଧ୍ୟରେ ସହମତି ନଥିବା ବେଳେ ଗୋଷ୍ଠୀ କନ୍ଦଳ ଦଳକୁ ଦୁର୍ବଳ କରୁଛି । ବିଜେପି କର୍ମୀମାନେ ଧିରେଧିରେ ଅନ୍ୟ ଦଳରେ ସାମିଲ ହେଉଛନ୍ତି । ଗତ ସପ୍ତାହରେ ପୂର୍ବତନ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଦିଲ୍ଲୀପ ଦାସ, ବିଜେପି ପୌରସଭ୍ୟଙ୍କ ସ୍ୱାମୀ ବରିଷ୍ଠ ବିଜେପି ନେତା ପ୍ରଦୀପ ନାୟକଙ୍କ ନେତୃତ୍ୱରେ ଶହଶହ ବିଜେପି କର୍ମୀ ଶଙ୍ଖ ଭବନରେ ବିଜେଡି ଦଳରେ ସାମିଲ ହୋଇଥିଲେ । ନଗର ବିଜେପି ସାଧାରଣ ସମ୍ପାଦକ ବିଜେଡି ଦଳରେ ସାମିଲ ହୋଇ ବିଜେପିକୁ ତୀବ୍ର ସମାଲୋଚନା କରିବା ସହିତ ବିଜେଡି କେବଳ ରାଜ୍ୟ ତଥା ଜିଲ୍ଲାର ବିକାଶକୁ ଆଗକୁ ନେଇପାରିବ ବୋଲି କହିଛନ୍ତି । ପୂର୍ବତନ ୱାର୍ଡ ମେମ୍ବର ବିଜେପିରେ ସାମିଲ କରି ବୈଜୟନ୍ତ ଭୋଟରଙ୍କୁ ବାର୍ତ୍ତା ଦେଇ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି । ବହୁ ଆଡମ୍ବରରେ ଆୟୋଜନ ହୋଇଥିବା ବିଜେପି ଜନସଭା ନିର୍ବାଚନ ପ୍ରଚାରକୁ ପାଣିଚିଆ କରିଦେଇଛି । ଯେତେ ବଡବଡ ନେତାଙ୍କୁ ଆଣି ବାଡେଇ ହେଲେ ମଧ୍ୟ କୌଣସି ଫଳ ମିଳିବ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି । ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମ ବିଜେଡିକୁ ଫରକ ପଡିବନି ବୋଲି ଜିଲ୍ଲା ବିଜେଡି ସଭାପତି ଧିରେନ ସାହୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ