ପ୍ରବଳ ବର୍ଷା ପାଇଁ ପ୍ରସ୍ତୁତ ବାଲେଶ୍ୱର ପ୍ରଶାସନ

ବାଲେଶ୍ୱର, (ସରୋଜ ପଣ୍ଡା):ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୨୫ ଓ ୨୬ ତାରିଖରେ ହେବାକୁ ଥିବା ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଜି ଆଭାସୀ ମାଧ୍ୟମରେ ଜିଲ୍ଲାପାଳ ଶ୍ରୀ ଆଶୀଷ ଠାକରେଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ଆୟୋଜିତ ଏହି ବୈଠକରେ ଅଗ୍ନିଶମ, ପୋଲିସ, ସ୍ୱାସ୍ଥ୍ୟ, କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, ଟିପିଏନଓଡିଏଲ, ସୂଚନା ଓ ଲୋକସମ୍ପର୍କ, ଶିକ୍ଷା, ବେସାମରିକ ଯୋଗାଣ, ଆଞ୍ଚଳିକ ପରିବହନ ଓ ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ ଆଦି ବିଭାଗର ବରିଷ୍ଠ ଅଧିକାରୀଗଣ ଯୋଗ ଦେଇଥିଲେ Iଉକ୍ତ ବୈଠକରେ ଜିଲ୍ଲା ଜରୁରୀକାଳୀନ ଅପରେସନ ସେଣ୍ଟର, ବ୍ଲକ, ତହସିଲ ଏବଂ ସମସ୍ତ ଲାଇନ ବିଭାଗର କଣ୍ଟ୍ରୋଲ ରୁମର ୨୪/୭ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦିଆ ଯାଇଥିଲା I ଆବଶ୍ୟକସ୍ଥଳେ ଉଦ୍ଧାର ଓ ସ୍ଥାନାନ୍ତର କାର୍ଯ୍ୟରେ ସହାୟତା ନିମନ୍ତେ ସମସ୍ତ ଅଗ୍ନିଶମ କେନ୍ଦ୍ର ପ୍ରସ୍ତୁତ ରହିବେ। ସମସ୍ତ ବିଡ଼ିଓ, ତହସିଲଦାର ଓ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ନିର୍ବାହୀ ଅଧିକାରୀଙ୍କୁ ବିପର୍ଯ୍ୟୟ ପ୍ରବଣ ଗ୍ରାମ ଓ ବାସସ୍ଥାନ ପାଇଁ ସ୍ଥାନାନ୍ତର ଯୋଜନା ପ୍ରସ୍ତୁତ କରିବା ପାଇଁ ଆଦେଶ ଦିଆଯାଇଛି । ବୃଦ୍ଧ, ଅଶକ୍ତ, ଶାରିରୀକ ଅକ୍ଷମ, ମହିଳା ଓ ଶିଶୁଙ୍କୁ ସ୍ଥାନାନ୍ତର ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ଦିଗରେ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ବୈଠକରେ ମତ ପ୍ରକାଶ କରାଯାଇଥିଲା। ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ପର୍ଯ୍ୟାପ୍ତ ଜଳ ଯୋଗାଣ, ଆଲୋକୀକରଣ, ପରିମଳ ବ୍ୟବସ୍ଥା ଏବଂ ମୌଳିକ ସୁବିଧା ଉପଲବ୍ଧ କରାଯିବ। ଅନ୍ୟ ସରକାରୀ କୋଠାଗୁଡ଼ିକୁ ମଧ୍ୟ ଆଶ୍ରୟସ୍ଥଳ ଭାବେ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି। ଶୁଖିଲା ଖାଦ୍ୟ ଓ ଶିଶୁ ଖାଦ୍ୟ ସମେତ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ସାମଗ୍ରୀ ମହଜୁଦ ରଖିବା ପାଇଁ ବ୍ୟବସ୍ଥା କରାଯିବ।ପ୍ରଭାବିତ ଅଞ୍ଚଳଗୁଡିକରେ ନିରାପଦ ପାନୀୟ ଜଳ, ଔଷଧ, ଗୋଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରାଯିବା ପାଇଁ ଆଦେଶ ଦିଆଯାଇଛି। ଭ୍ରାମ୍ୟମାଣ ଡାକ୍ତରୀ ଦଳ ଓ ଗୋ-ସ୍ୱାସ୍ଥ୍ୟ ଶିବିର ପାଇଁ ଆଗୁଆ ବ୍ୟବସ୍ଥା କରାଯିବ। ପ୍ରଭାବିତଙ୍କୁ ରିଲିଫ୍ ସାମଗ୍ରୀ ପରିବହନ ପାଇଁ ତୁରନ୍ତ ସଡ଼କ ଯୋଗାଯୋଗ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ବିଶେଷ ଗୁରୁତ୍ୱ ବହନ କରୁଥିବା ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅଧିକାରୀମାନଙ୍କୁ ସେଥି ପ୍ରତି ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ଆଦେଶ ଦେଇଥିଲେ I ବୈଠକରେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଏବଂ ଉଦ୍ଧାର କାର୍ଯ୍ୟରେ ପିଆରଆଇ ସଦସ୍ୟ, ସ୍ୱେଚ୍ଛାସେବୀ ଏବଂ ଗୋଷ୍ଠୀ ସ୍ୱେଚ୍ଛାସେବୀଙ୍କୁ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଶେଷରେ ଲୋକମାନେ ଭୟଭୀତ ନହେବା ପାଇଁ ଏବଂ ଆବଶ୍ୟକସ୍ଥଳେ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ପାଇଁ ସରକାରୀ ଅଧିକାରୀଙ୍କ ନିର୍ଦ୍ଦେଶ ପାଳନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ