ଜୁନ୍ ୧ରେ ମତଦାନ ପାଇଁ ଇଭିଏମ୍ ପ୍ରସ୍ତୁତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜିଲ୍ଲାରେ ଜୁନ୍ ୧ ତାରିଖରେ ଭୋଟ୍‌ଗ୍ରହଣ ପାଇଁ ଇଭିଏମ୍ ମେସିନ୍‌ର କମିସନିଂ କାର୍ଯ୍ୟ ଶେଷ ହୋଇଛି । ଭାରତର ନିର୍ବାଚନ ଆୟୋଗଙ୍କ ନିୟମାନୁସାରେ ସାଧାରଣ ପର୍ଯ୍ୟବେକ୍ଷକ ଭରତ କୁମାର ଭାସବା ଓ ସାକେତ ମାଲବିୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ, ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ପ୍ରତିନିଧିମାନଙ୍କ ଉପସ୍ଥିତିରେ ଏବଂ ରିଟର୍ଣ୍ଣିଂ ଅଫିସରମାନଙ୍କ ପରିଚାଳନାରେ ଚୂଡ଼ାନ୍ତ ଇଭିଏମ୍ କମିସନିଂ କାର୍ଯ୍ୟ ସମ୍ପାଦିତ ହୋଇଛି । କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ କେନ୍ଦ୍ରାପଡ଼ା ଲୋକସଭା ଆସନର ରିଟର୍ଣ୍ଣିର୍ଂ ଅଫିସର ସୂର୍ଯ୍ୟବଂଶୀ ମୟୂର ବିକାଶ, ପାଟକୁରା ଓ କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ରବିନ୍ଦ୍ର କୁମାର ପ୍ରଧାନ, ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ପୀତାମ୍ବର ସାମଲ, ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ନୀଲୁ ମହାପାତ୍ର, ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ଅଶୋକ କୁମାର ଦାଶଙ୍କ ପରିଚାଳନାରେ ଗତ ବୁଧବାରଠାରୁ ଆରମ୍ଭ ହୋଇଥିବା କମିସନିଂ କାର୍ଯ୍ୟ ଶେଷ ହୋଇଛି । ପ୍ରାର୍ଥୀଙ୍କ ପ୍ରତିନିଧି, ରିଟର୍ଣ୍ଣିଂ ଅଫିସର, ସଶସ୍ତ୍ର ପୋଲିସ ଉପସ୍ଥିତିରେ ଭିଡିଓଗ୍ରାଫି କରାଯାଇ ଷ୍ଟ୍ରଙ୍ଗ୍‌ରୁମ୍ ଖୋଲାଯାଇଥିଲା । ଇଭିଏମ୍ ଗୁଡ଼ିକର ବାଲାଟ୍ ୟୁନିଟ୍‌, କଂଟ୍ରୋଲ୍ ୟୁନିଟ୍ ଓ ଭିଭିପାଟ ଆଣିବା ପରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କ ବାଲାଟ୍ ପେପର୍ ସେଟିଂ କରିବା, ରିଟର୍ଣ୍ଣିଂ ଅଫିସରଙ୍କ ଦସ୍ତଖତରେ ଆଡ୍ରେସ୍ ଟ୍ୟାଗ୍ କରିବା, ଯେତିକି ଜଣ ପ୍ରାର୍ଥୀ ଓ ଗୋଟିଏ ନୋଟାକୁ ମିଶାଇ ସେତିକି ପ୍ରାର୍ଥୀଙ୍କ ବାଲାଟ୍ ବଟନ୍ ବ୍ୟବହାର କରିବା ନିମନ୍ତେ ରଖି ଅନ୍ୟ ବଟନକୁ ବ୍ୟବହାର ଅଯୋଗ୍ୟ କରିବା, ବାଲାଟ୍ ୟୁନିଟ୍‌ର ଉପର ଓ ତଳମୁଣ୍ଡ ବଟନ୍‌କୁ ନଛୁଇଁ ପେପର ସିଲ୍ କରିବା ଓ ଆଡ୍ରେସ୍ ଟ୍ୟାଗ୍ ଲଗାଇବା, କଂଟ୍ରୋଲ୍ ୟୁନିଟ୍‌ରେ ବ୍ୟାଟେରୀ ସେଟ୍ କରିବା ଓ ପ୍ରତ୍ୟେକ ଆଡ୍ରେସ୍ ଟ୍ୟାଗ୍‌ରେ ଜଉମୁଦ ସିଲ୍ କରିବା ଓ ଭିଭିପାଟ୍ ଉପରେ ସମସ୍ତ ବିଧି ଅନୁଯାୟୀ କମିସନିଂ କରାଯାଇଥିଲା । ଶେଷରେ ରିଟର୍ଣ୍ଣିଂ ଅଫିସରଙ୍କ ପରିଚାଳନାରେ ପ୍ରାର୍ଥୀଙ୍କ ପ୍ରତିନିଧିମାନଙ୍କ ଉପସ୍ଥିତିରେ ଏକ ହଜାର ଲେଖାଏଁ ମକ୍ ପୋଲ୍ କରାଯାଇଥିଲା । ଏହି କାର୍ଯ୍ୟରେ ସମସ୍ତ ପ୍ରାର୍ଥୀଙ୍କ ପ୍ରତିନିଧିମାନେ ସନ୍ତୋଷ ପ୍ରକାଶ କରିବା ସହ ଜିଲ୍ଲା ପ୍ରଶାସନର ସମସ୍ତ ପଦକ୍ଷେପକୁ ଭୂୟସୀ ପ୍ରଂଶସା କରିଛନ୍ତି । ସୂଚନାଯୋଗ୍ୟ, ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର ଓ ମହାକାଳପଡ଼ା ପାଇଁ ଯଥାକ୍ରମେ ୩୦୯, ୨୪୬, ୩୧୯, ୨୮୭ ଓ ୨୮୪ଟି ମତଦାନ କେନ୍ଦ୍ର ରହିଛି । ପାଟକୁରା ପାଇଁ ୩୭୩ଟି ବାଲାଟ୍ ୟୁନିଟ୍‌, ୩୭୩ଟି କଂଟ୍ରୋଲ୍ ୟୁନିଟ୍ ଓ ୪୧୪ଟି ଭିଭିପାଟ୍‌; କେନ୍ଦ୍ରାପଡ଼ା ପାଇଁ ୨୯୭ଟି ବାଲାଟ୍ ୟୁନିଟ୍‌, ୨୯୭ଟି କଂଟ୍ରୋଲ୍ ୟୁନିଟ୍ ଓ ୩୨୯ଟି ଭିଭିପାଟ୍‌, ଆଳି ପାଇଁ ୩୮୫ଟି ବାଲାଟ୍ ୟୁନିଟ୍‌, ୩୮୫ଟି କଂଟ୍ରୋଲ୍ ୟୁନିଟ୍ ଓ ୪୨୭ଟି ଭିଭିପାଟ୍‌, ରାଜନଗର ପାଇଁ ୩୪୭ଟି ବାଲାଟ୍ ୟୁନିଟ୍‌, ୩୪୭ଟି କଂଟ୍ରୋଲ୍ ୟୁନିଟ୍ ଓ ୩୮୪ଟି ଭିଭିପାଟ୍‌, ମହାକାଳପଡ଼ା ପାଇଁ ୩୪୩ଟି ବାଲାଟ୍ ୟୁନିଟ୍‌, ୩୪୩ଟି କଂଟ୍ରୋଲ୍ ୟୁନିଟ୍ ଓ ୩୭୨ଟି ଭିଭିପାଟ୍ କମିସନିଂ ହୋଇ ରହିଛି । ଭୋଟ୍‌ଗ୍ରହଣ ସମୟରେ ଯାନ୍ତ୍ରିକ ତ୍ରୁଟିକୁ ଦୃଷ୍ଟିରେ ରଖି ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ଅଧିକ ପରିମାଣର ବାଲାଟ୍ ୟୁନିଟ୍‌, କଂଟ୍ରୋଲ୍ ୟୁନିଟ୍ ଓ ଭିଭିପାଟ୍ କମିସନିଂ କରାଯାଇଛି । ଜୁନ୍ ୧ ତାରିଖରେ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୋଇ ଶତପ୍ରତିଶତ ମତଦାନ କରିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ