ମା’ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଆରମ୍ଭ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା’ରାମାୟାଣାମ୍ମା ଠାକୁରାଣୀଙ୍କ ଦ୍ୱିବାର୍ଷିକୀ ଯାତ୍ରା ଆଜିଠୁ ଆରମ୍ଭ ହୋଇଛି । ଏହି ଯାତ୍ରା ଚଳିତ ବର୍ଷ ମେ ୨୭ ତାରିଖଠୁ ଆରମ୍ଭ ହୋଇ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପରିପ୍ରେକ୍ଷୀରେ ଆଜି ଯାତ୍ରା କମିଟି ପକ୍ଷରୁ ଅସ୍ଥାୟୀ ଯାତ୍ରା ମଣ୍ଡପକୁ ପ୍ରତିଷ୍ଠା କରାଯାଇଥିଲା । ଯାତ୍ରା କମିଟିର ମ୍ୟାନଜର ସିଏଚ୍‌.ଦୟାନନ୍ଦ ରେଡ୍ଡୀ ଓ ତାଙ୍କରି ଧର୍ମପତ୍ନୀ ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ଏମ୍‌.ସମରେନ୍ଦ୍ର ସେନାପତି ଓ ତାଙ୍କ ଧର୍ମପତ୍ନୀ ଅସ୍ଥାୟୀ ଯାତ୍ରା ମଣ୍ଡପରେ ପୂଜାଅର୍ଚନା କରିଥିଲେ । ଏହି ଅବସରରେ ୨୪ ପ୍ରହର ନାମଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଅପରପକ୍ଷରେ ସନ୍ଧ୍ୟାରେ ଏକ ଶୋଭାଯାତ୍ରା ମାଧ୍ୟମରେ ମା’ଙ୍କ ଯାତ୍ରା ଉପଲକ୍ଷେ ସହରର ୪ ଦିଗକୁ ବନ୍ଧନ କରାଯାଇଥିଲା । ଶେଷରେ ଚଣ୍ଡିଛକ ସ୍ଥିତ ମା’ରାମାୟାଣାମ୍ମା ଠାକୁରାଣୀଙ୍କୁ ପ୍ରସନ୍ନ କରି ବିଳମ୍ବିତ ରାତିରେ ଏକ ବିରାଟ ପଟୁଆରରେ ମା’ଙ୍କୁ ଯାତ୍ରା ମଣ୍ଡପକୁ ନିଆଯିବାର କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ, ବିଧି ଅନୁସାରେ ଯାତ୍ରା ସମୟରେ ରାମାୟାଣାମ୍ମା ଠାକୁରାଣୀ ମନ୍ଦିରରୁ ଅର୍ଥାତ୍ ଶାଶୁଘରୁ ମା’ଘରକୁ ଆସନ୍ତି । ଏହି ସମୟରେ ଯାତ୍ରା କମିଟି ବାପା ଘରର ଭୂମିକା ନିର୍ବାହ କରିଥାନ୍ତି । ଠାକୁରାଣୀଙ୍କୁ ମା’ଘର ଯାତ୍ରା ମଣ୍ଡପକୁ ଡାକିବା ଅବସରରେ ପ୍ରଥମେ ଠାକୁରାଣୀଙ୍କ ମସ୍ତକରେ ଇଟାଳା ଫୁଲ ପେନ୍ଥା ରଖାଯାଏ । ମା’ଙ୍କ ମୁଣ୍ଡରୁ ଇଟାଳା ଫୁଲର ପେନ୍ଥା ଚାଙ୍ଗୁଡିକୁ ଖସି ଆସିଲେ ମା’ ପ୍ରସନ୍ନ ହୋଇଥାନ୍ତି । ଏହାପରେ ମା’ଙ୍କୁ ପଟୁଆରରେ ବାପଘର ଅର୍ଥାତ୍ ଅସ୍ଥାୟୀ ଯାତ୍ରା ମଣ୍ଡପକୁ ନିଆଯାଏ ଓ ସେହି ଦନିଠାରୁ ଯାତ୍ରା ଆରମ୍ଭ ହୁଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ