କଂଗ୍ରେସ ର ଲୋକସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ସାମ୍ବାଦିକ ସମ୍ମିଳନୀ

ବାଲେଶ୍ୱର, (ସରୋଜ ପଣ୍ଡା):ଆଗାମୀ ୨୯ତାରିଖ ପୂର୍ବାହ୍ନ ଏଗାରଟା ସମୟରେ ଏଆଇସିସିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲୀକାର୍ଜୁନ ଖଡ଼ଗେ ରେମୁଣା ନିର୍ବାଚନ ମଣ୍ଡଳୀର କୁରୁଡ଼ା ହାଟ ପଡିଆରେ କଂଗ୍ରେସ ଦଳର ନିର୍ବାଚନୀ ସଭାରେ ଉଦବୋଧନ ଦେବେ । ଆଜି ଏକ ଖବର ଦାତା ସମ୍ମିଳନୀରେ କଂଗ୍ରେସର ଲୋକ ସଭା ଆସନର ପ୍ରାର୍ଥୀ ଶ୍ରୀକାନ୍ତ ଜେନା ସୂଚନା ଦେଇଛନ୍ତି । ଶ୍ରୀ ଜେନା କହିଛନ୍ତି କି ଆଗାମୀ ଜୁନ ପହିଲାରେ ସାରା ଦେଶରେ ଅନ୍ତିମ ପର୍ଯ୍ୟାୟ ମତ ଦାନ ହେବାକୁ ଯାଉଛି । ଆଗରୁ ହୋଇଯାଇଥିବା ନିର୍ବାଚନ ଗୁଡିକ ରେ ବିଜେପି ଓ ତାର ସହଯୋଗୀ ଦଳ ଗୁଡିକୁ ମତ ଦାତା ମାନେ ଉପଯୁକ୍ତ ଜବାବ ଦେଇସାରିଛନ୍ତି । ତେଣୁ ବିଜେପିର ମେଂଟ ସରକାର ଗଠନ କରିପାରିବ ନାହିଁ । ଶ୍ରୀ ଜେନା ୨୦୦୯ରୁ ୨୦୧୪ମଧ୍ୟରେ ସାଂସଦ ଥିବା ସମୟରେ ବାଲେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀ ରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ପରବର୍ତୀ ସମୟରେ ବିଜେଡି ଓ ବିଜେପି ଦଳର ସାଂସଦ ବାଲେଶ୍ୱରରୁ ନିର୍ବାଚିତ ହୋଇଥିଲେ ମଧ୍ୟ ଅଧୁରା କାର୍ଯ୍ୟଗୁଡିକୁ ପୂର୍ଣ୍ଣାଙ୍ଗ କରିପାରିଲେ ନାହିଁ । ବାଲେଶ୍ୱରରେ ଏମ୍ସର ଶାଖା ପ୍ରତିଷ୍ଠା କରାଗଲା, ମାତ୍ର ଏନଡିଏ ସରକାର ଏହାକୁ ଅନ୍ୟ ରାଜ୍ୟକୁ ଉଠାଇ ନେବାକୁ ଉଦ୍ୟମ କରୁଥିଲେ । ମାତ୍ର ପ୍ରବଳ ବିରୋଧ ଯୋଗୁଁ ତାହା ହୋଇପାରିଲା ନାହିଁ । ମାତ୍ର ପବ୍ଲିକ ହେଲଥ ସ୍କୁଲକୁ ଅନ୍ୟତ୍ର ଉଠାଇନେଲେ । ସେ ମନ୍ତ୍ରୀ ଥିବା ବେଳେ ପବ୍ଲିକ ହେଲଥ ସ୍କୁଲ ପ୍ରତିଷ୍ଠା କରିବାକୁ ଯୋଜନା କରିଥିଲେ । ଏହା ପ୍ରତିଷ୍ଠିତ ହୋଇଥିଲେ ଏହି ସ୍କୁଲ ରେ କୋଭିଡର ଟୀକା ପ୍ରସ୍ତୁତ ଓ ଉତ୍ପାଦନ ହୋଇପାରିଥାନ୍ତା । ଅନେକ ବୈଜ୍ଞାନିକ ନିଯୁକ୍ତି ପାଇଥାନ୍ତେ । ନାଗପୁର, ମୁମ୍ବାଇରେ ଏଭଳି ପବ୍ଲିକ ହେଲଥ ସ୍କୁଲ ରହିଛି । ଜଳ ସେଚନ, ଶିକ୍ଷା, ରାଜପଥ, ଜଳସେଚନ, ସୁବର୍ଣ୍ଣ ରେଖା ନଦୀ ସଂସ୍କାର, ବନ୍ୟା ନିୟନ୍ତ୍ରଣ, କୃଷିର ବିକାଶ ଦିଗରେ ସେ ଯୋଜନା ପ୍ରସ୍ତୁତ କରିଥିଲେ । ମାତ୍ର ପରବର୍ତୀ ସରକାର ଏବଂ ନିର୍ବାଚିତ ସାଂସଦ ଏ ଦିଗରେ କୌଣସି ପଦକ୍ଷେପ ନେଇ ନାହାନ୍ତି । ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କା ବ୍ୟୟରେ ସୁବର୍ଣ୍ଣରେଖା ନଦୀର ଜଳକୁ ଜଳସେଚନ କରିବା ପାଇଁ କେନାଲ ନିର୍ମାଣ କରିଥିଲେ । ହେଲେ ନଦୀରୁ କିଭଳି କେନାଲ ମାଧ୍ୟମରେ ଜଳସେଚନ ହୋଇପାରିବ ତା’ର ବ୍ୟବସ୍ଥା କରିନଥିବାରୁ ଏବେବି କେନାଲଗୁଡ଼ିକ ଶୁଖିଲା ପଡ଼ିଛି । ସେହିପରି ଉତରଓଡ଼ିଶାରେ କୃଷିର ବିକାଶ ପାଇଁ ସେ ୨୦୦୦ କୋଟି ଟଙ୍କାର ଏକ ପ୍ରକଳ୍ପ ପ୍ରସ୍ତୁତ କରିଥିଲେ ମଧ୍ୟ ସରକାର ଏ ଦିଗରେ ଜମି କିମ୍ବା ଅର୍ଥ ଯୋଗାଇ ପାରି ନାହାନ୍ତି । ବାଲେଶ୍ୱରରେ ଏକ ସଫ୍ଟ ୱେୟାର ଟେକ୍ନୋଲୋଜି ପାର୍କ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ ମଧ୍ୟ ତାହାକୁ ଅଦ୍ୟାବଧି କାର୍ଯ୍ୟକାରୀ କରିବା ଦିଗରେ କେନ୍ଦ୍ର ରାଜ୍ୟ ସରକାର ଆଗ୍ରହ ପ୍ରକାଶ କଲେ ନାହିଁ । ତେବେ ତାଙ୍କୁ ଏଥର ବାଲେଶ୍ୱରର ଜନସାଧାରଣ ଆଶୀର୍ବାଦ କଲେ ସେ ଅଧୁରା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବେ । ପୂର୍ବତଟ ରେଳବାଇରେ ବାଲେଶ୍ୱର ସମେତ ଅନ୍ୟାନ୍ୟ ରେଳଷ୍ଟେସନଗୁଡ଼ିକୁ ସାମିଲ କରିବା ପାଇଁ ସେ ଦାବି କରିଛନ୍ତି । ପୂର୍ବତଟ ରେଳବାଇ ପ୍ରତିବର୍ଷ ରେଳବାଇ ମନ୍ତ୍ରଣାଳୟକୁ ୨୫ ହଜାର କୋଟି ଟଙ୍କାର ରାଜସ୍ୱ ଦେଉଥିବା ବେଳେ ରେଳବାଇ ମନ୍ତ୍ରଣାଳୟ ଓଡ଼ିଶାକୁ ରେଳ ବିକାଶ ପାଇଁ ମାତ୍ର ୨୦୦୦ କୋଟି ଟଙ୍କା ଦେବା ଦୂର୍ଭାଗ୍ୟଜନକ । ପଂଜାବ ଓ ହରିୟାଣାରେ ଚାଷୀମାନେ କୃଷିଜାତ ଦ୍ରବ୍ୟ ମଧ୍ୟ ଉତ୍ପାଦନ କରି ଧନୀ ହେଉଥିବାବେଳେ ଓଡ଼ିଶାର କୃଷକ ଆଜି ଆତ୍ମହତ୍ୟା କରୁଛନ୍ତି । ନିଜର ଏକର ଏକର ଚାଷଜମି ଥାଇ ଯୁବକମାନେ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି । ଷାଠିଏ ଫୁଟ୍ ତଳେ ପାଣି ଥିବାବେଳେ ଏହାକୁ ଉତୋଳନ କରିବାପାଇଁ ଉଠା ଜଳସେଚନ ଓ ମାଗଣା ବିଦ୍ୟୁତ୍‌ର ଆବଶ୍ୟକତା ରହିଛି । ବାଲେଶ୍ୱରର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳିରେ ହଜାର ହଜାର ଏକର ଚାଷଜମି ଏବେ ପଡ଼ିଆ ପଡ଼ିଛି । ରାଜ୍ୟ ସରକାର ଲୋକଙ୍କୁ ମାଗଣା ବିଜୁଳି ନଦେଇ ଚାଷୀମାନଙ୍କୁ କେବଳ ଜଳସେଚନ ପାଇଁ ମାଗଣା ବିଜୁଳି ଯୋଜାଇ ଦେଲେ ସେମାନେ ଭଲ ଚାଷବାସ କରିପାରିବେ । ବାଙ୍କତିରା ପ୍ରକଳ୍ପ ପାଇଁ ଅର୍ଥ ମଂଜୁର ହୋଇଥିଲେ ମଧ୍ୟ ତାହା ପୂର୍ଣ୍ଣାଙ୍ଗ ହୋଇପାରୁନାହିଁ । ଉଭୟ କେନ୍ଦ୍ରର ଏନଡିଏ ସରକାର ଓ ରାଜ୍ୟର ବିଜେଡ଼ି ସରକାର ଏବଂ ସ୍ଥାନୀୟ ନିର୍ବାଚିତ ସାଂସଦମାନେ ପାରମ୍ପରିକ ଯୋଜନା ଓ କାର୍ଯ୍ୟକ୍ରମ ବ୍ୟତୀତ ନିର୍ବାଚନମଣ୍ଡଳି ପାଇଁ କୌଣସି ନୂତନ ପ୍ରକଳ୍ପ ଆଣିପାରି ନାହାନ୍ତି ବୋଲି ଶ୍ରୀ ଜେନା ଅଭିଯୋଗ କରିଛନ୍ତି । ବାଲେଶ୍ୱରରେ ଏକ ରେଳବାଇ ଡିଭିଜନ ପ୍ରତିଷ୍ଠା କରିବା ତାଙ୍କର ଲକ୍ଷ୍ୟ ବୋଲି ସେ ଉଲ୍ଲେଖ କରିଥିଲେ । ଏହି ନିର୍ବାଚନରେ ସେ ବିଜେଡ଼ି ଓ ବିଜେପିର ଲଫାପା ଅଭିଯାନ ବିରୋଧରେ ଲଢ଼ୁଥିବା ଦର୍ଶାଇଥିଲେ । ଆଜିର ସାମ୍ବାଦିକ ସମ୍ମିଳନୀରେ ଏଆଇସିସିର କର୍ମକର୍ତା ତଥା ବାଲେଶ୍ୱର ଲୋକସଭା ନିର୍ବାଚନମଣ୍ଡଳିର ପର୍ଯ୍ୟବେକ୍ଷକ ଅଜୟ ସଗେଜୀ, ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି, ଜିଲ୍ଲା ଉପସଭାପତି ଗୋପୀନାଥ ପାଢ଼ୀ ଓ ଜିଲ୍ଲା କଂଗ୍ରେସ ମିଡ଼ିଆ ଅଧ୍ୟକ୍ଷ ବିକାଶ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ