ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି, ଅଘୋଷିତ ବିଦ୍ୟୁତ୍ କାଟ ଦାଉ ସାଧୁଛି

ହିଞ୍ଜିଳିକାଟୁ,(ସୁଧାନିଧି ଚୌଧୁରୀ): ଅସହ୍ୟ ଗ୍ରୀଷ୍ମ ପ୍ରବାହ ବେଳେ ଘନ ଘନ ହେଉଛି ବିଦ୍ୟୁତ୍‌ କାଟ। ଗ୍ରାମାଞ୍ଚଳ ତ ଦୂରର କଥା ହିଞ୍ଜିଳିକାଟୁ ସହରରେ ଦୀର୍ଘ ସମୟ ଧରି ବିଦ୍ୟୁତ୍‌ ଗାଏବ ହୋଇଯିବା ସହରବାସୀଙ୍କ ଚିନ୍ତାର କାରଣ ହୋଇଛି। ଯେଉଁ ସମୟରେ ୨୪ ଘଣ୍ଟିଆ ବିଦ୍ୟୁତ୍‌ ଯୋଗାଣ କରାଯିବା କଥା, ସେହି ସମୟରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ଗ୍ରୀଷ୍ମ ଯନ୍ତ୍ରଣାକୁ ଅଧିକ ବଢ଼ାଇ ଦେଉଛି। ଗୋଟିଏପଟେ ପୁରା ଓଡ଼ିଶା ତତଲା କଡାଇରେ ଭାଜି ହେଉଥ‌ିବା ବେଳେ ଅନ୍ୟ ପଟେ ଘଡିଘଡିକୁ ବିଜୁଳି କାଟ ଜନସାଧାରଣଙ୍କୁ ଅତିଷ୍ଠ କରି ଦେଲାଣି। ଏପରିକି ଉଭୟ ଦିନ ଓ ରାତ୍ର ସମୟରେ ଘନଘନ ଅଘୋଷିତ ବିଦ୍ୟୁତ୍ କାଟ ହେଉଥ‌ିବା ଦେଖିବାକୁ ମିଳିଛି। ବୁଧବାର ରାତ୍ରିରେ ହିଞ୍ଜିଳିକାଟୁ ସହରରେ ଦୀର୍ଘ ଘଣ୍ଟା ରୁ ଅଧିକ ସମୟ ଧରି ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ଯୋଗୁଁ ଅସ୍ତବ୍ୟସ୍ତ କରିଲାଣି ଜନଜୀବନ। ପ୍ରବଳ ଗ୍ରୀଷ୍ମପ୍ରବାହ ଓ ଗୁଳଗୁଳିରେ ଦିନବେଳେ ଲୋକେ ଆଉଟୁ ପାଉଟୁ ହେଉଥ‌ିବା ବେଳେ ରାତି ହେଲେ ସ୍ଥିତି ସାଙ୍ଘାତିକ। ତା ସାଙ୍ଗକୁ ବାରମ୍ବାର ବିଜୁଳି କାଟ ଯୋଗୁଁ ଦହଗଞ୍ଜ ହୋଇ ଗଲେଣି ସହର ବାସିନ୍ଦା। ଏ ନେଇ ଟାଟା ପାୱାରକୁ ଅଭିଯୋଗ କଲେ ଜାମ୍ଫର ଛିଣ୍ଡି ଯାଇଛି କାମ ଚାଲିଛି ଏଭଳି ଉତ୍ତରମାନ ଉପଭୋକ୍ତାମାନଙ୍କୁ ମିଳୁଛି। ହିଞ୍ଜିଳିକାଟୁ ରେ ଗତ ୭ ଦିନ ହେବ ତାପମାତ୍ରା ଅଧିକ ରହୁଛି। ଆକାଶରୁ ଅଗ୍ନିବର୍ଷା ହେଲା ଭଳି ଲୋକଙ୍କୁ ଅନୁଭବ ହେଉଛି। ଵୁଧବାର ହିଞ୍ଜିଳିକାଟୁରେ ତାପମାତ୍ରା ୪୨.୭ ଡିଗ୍ରୀ ରହିଥିଲା। ମଧ୍ୟାହ୍ନ ୧୨ଟା ବେଳକୁ ସହର ତତଲା କଡ଼େଇ ପାଲଟିଯାଇଥିଲା। ରାସ୍ତାରେ ଯାତାୟାତ କରିବା ମୁସ୍କିଲ ହୋଇ ପଡ଼ିଥିଲା। ଫଳରେ ଅଧିକାଂଶ ରାସ୍ତା ଖାଁ ଖାଁ ରହିଥିଲା। ଏପରି ସମୟରେ ବିଦ୍ୟୁତ୍‌ କଟିଯିବା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା। ସହରବାସୀଙ୍କ କହିବା ଅନୁଯାୟୀ, ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ୟୋଲୋ ଓ୍ବାର୍ଣ୍ଣି ଜାରି କରାଯାଇଛି। ଏପରି ସମୟରେ ବିଦ୍ୟୁତ୍‌ର ଆବଶ୍ୟକତା ଅଧିକ ବଢ଼ିଯାଉଛି। ହେଲେ ସହରରେ ବିଭିନ୍ନ ସମୟରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ସାଙ୍ଗକୁ ଲୋ ଭୋଲଟେଜ୍‌ ଗ୍ରୀଷ୍ମ ଯନ୍ତ୍ରଣାକୁ ବହୁଗୁଣିତ କରିଦେଉଛି। ପୂର୍ବରୁ କୌଣସି ସୂଚନା ପ୍ରଦାନ କରାନଯାଇ ଘଣ୍ଟା ଘଣ୍ଟା ବିଦ୍ୟୁତ୍‌ କାଟ କରାଯାଉଛି। ପ୍ରତିଦିନ ରାତିରେ ଘଣ୍ଟା ଘଣ୍ଟା ଧରି ଅଘୋଷିତ ଭାବେ ବିଦ୍ୟୁତ୍ କାଟ କରାଯାଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଲୋକମାନେ ଅଭିଯୋଗ କରିବାକୁ ଫୋନ୍‌ କଲେ ବିଦ୍ୟୁତ୍‌ କାର୍ଯ୍ୟାଳୟରେ କେହି ଫୋନ୍‌ ଉଠାଉ ନାହାନ୍ତି। ଥରେ ବିଜୁଳି ଗଲେ କେତେବେଳେ ଆସିବ, ତାହା ଲୋକେ ଜାଣିପାରୁନାହାନ୍ତି। ବିଦ୍ୟୁତ୍‌ ବିଭାଗର ଏପରି ମନମୁଖୀ କାର୍ଯ୍ୟ ଯୋଗୁ ଗରମ ଓ ଗୁଳୁଗୁଳିରେ ସୁସ୍ଥ ଲୋକମାନେ ମଧ୍ୟ ଅସୁସ୍ଥ ହୋଇପଡ଼ୁଛନ୍ତି। ଏହାକୁ ନେଇ ଉପଭୋକ୍ତାମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ କୁହାଯାଇଛି, ଓଭର ଲୋଡ ଯୋଗୁଁ ଜାମ୍ଫର ଛିଣ୍ଡି ଯାଇଛି ଓ ବିଦ୍ୟୁତ୍‌ ତାର ଲୋଡ୍‌ ନେଲା ନାହିଁ। ନୂଆ କେବୁଲ ଟଣାଯାଇ ପୁନଃ ସଂଯୋଗ ଦିଆଯାଇଥିଲେ ମଧ୍ୟ ତାହା ଲୋଡ୍‌ ନେଇ ନ ଥିଲା ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ ସଫେଇ ଦେଇଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ପାଞ୍ଚ ବର୍ଷ ହେଲାଣି ବିଦ୍ୟୁତ୍ ବିତରଣ ଦାୟିତ୍ଵ ନେଲାଣି ଟାଟା ପାୱାର। କାହିଁକି ଖରାଦିନ ପୂର୍ବରୁ ଆଗୁଆ ମେଣ୍ଡନାନ୍ସ କରୁନଥିଲା ଟାଟା ପାୱାର। ବାସ୍ତବିକ ମ୍ୟାଣ୍ଟେନାନ୍ସ ପାଇଁ ବିଜୁଳି କାଟ ହେଉଛି ନାଁ ଉପଭୋକ୍ତା ମାନଙ୍କୁ ଭକୁଆ ବନେଇବ ପାଇଁ ଇଏ ଏକ ଭେଳିକି। ତାକୁ ନେଇ ଏବେ ଉଠିଛି ପ୍ରଶ୍ନ। ତେବେ ଆଗାମୀ ଦିନରେ ଏଭଳି ଅଘୋଷିତ ବିଦ୍ୟୁତ୍ କାଟ ଜାରୀ ରହିଲେ ଆଗାମୀ ଦିନରେ ଏକ ବିରାଟ ଜନ ଆନ୍ଦୋଳନ ଗଢି ଉଠିବ ବୋଲି ହିଞ୍ଜିଳି ବିଧାନସଭା ଆସନ କଂଗ୍ରେସ ପ୍ରାର୍ଥୀ ରଜନୀକାନ୍ତ ପାଢି ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ