ରାକେଶପଙ୍କା ଗାଁରେ ୧୫୦ କୁଇ ଆଦିବାସୀ ପରିବାର ପାଣି ପାଇଁ ଡହଳବିକଳ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଏବେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ସମସ୍ତ ଜଳ ଉତ୍ସ ସହ ନଇ, ନାଳ ଆଦି ଶୁଖି ଯାଇଛି. ପାଣି ଟୋପାଏ ପାଇଁ ଲୋକେ ଡହଳବିକଳ ହେଉଛନ୍ତି. ଆଦିବାସୀ କୁଇ ସମ୍ପ୍ରଦାୟର ୧୫୦ ପରିବାର ୨ କିମି ଦୂରର ପାହାଡିଆ ଅଞ୍ଚଳର ବିପଦପୂର୍ଣ୍ଣ ସ୍ଥାନରେ ଥିବା ଏକ ଚୁଆଁର ଦୂଷିତ ପାଣିକୁ ଲୋକେ ବ୍ୟବହାର କରୁଛନ୍ତି. ଏଥିଯୋଗୁଁ ୧୦ ଜଣ ଗ୍ରାମବାସୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି. ପ୍ରଚଣ୍ଡ ଖରା ଯୋଗୁଁ ଲୋକେ ବାହାରକୁ ବାହାରିବା କଷ୍ଟସାଧ୍ୟ ହେଉଥିବା ବେଳେ ଟୋପାଏ ପାଇଁ ଡହଳ ବିକଳ ହୋଇ ଗାଁର ମହିଳାମାନେ ଜଙ୍ଗଲ ରାସ୍ତାରେ ୨ କିମି ଯାଇ ଚୁଆଁରୁ ପାଣି ଆଣୁଥିବା ଲକ୍ଷ୍ୟ କରାଯାଇଛି. ଏଭଳି ସମସ୍ୟା ଦେଖୁବାକୁ ମିଳିଛି ଗଜପତି ଜିଲ୍ଲାର ମୋହନା ବ୍ଲକ କର୍ଜବାଡ଼ି ପଞ୍ଚାୟତର ରାକେଶପଙ୍କା ଗାଁରେ । ଗାଁରେ ପ୍ରାୟ ୧୦ ଗୋଟି ନଳକୂପ ରହିଛି. ହେଲେ ୧୦ଗୋଟି ନଳକୂପ ଅଚଳ ହୋଇପଡିଛି ବୋଲି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ଗ୍ରାମବାସୀ ସୂଚନା ପ୍ରଦାନ କରି କହିଛନ୍ତି ଅନ୍ୟ କୌଣସି ରାସ୍ତା ନ ପାଇ ବାଧ୍ୟ ହୋଇ ଗ୍ରାମର ମହିଳା ମାନେ ଗାଁ ଠାରୁ ପ୍ରାୟ ୨ କିଲୋମିଟର ଦୂରରେ ବନ, ପାହାଡ଼ ଘେରା ଅଞ୍ଚଳରେ ଥ‌ିବା ଏକ ବିପଦପୂର୍ଣ୍ଣ ନାଳରେ ଚୁଆଁ ଖୋଳି ପାଣି ଆଣୁଛନ୍ତି । ଗାଁର ପାଣି ସମସ୍ୟା ନେଇ ବାରମ୍ବାର ଗୁହାରି କଲେ ମଧ୍ୟ କେହି ଶୁଣୁନାହାନ୍ତି. ରାକେଶପଙ୍କା ଗାଁରେ ପ୍ରାୟ ୧୫୦ରୁ ଅଧିକ କୁଇ ଆଦିବାସୀ ପରିବାର ଅଛନ୍ତି । ପିଇବା ପାଣି ସମସ୍ୟା ଦୀର୍ଘ ଦିନ ହେଲା ଲାଗିରହିଛି । ଗୋଟିଏ ନଳକୂପ ଚାଲୁଥିବା ବେଳେ ସେଥ୍‌ରେ ମଧ୍ୟ ଗତ କିଛିଦିନ ହେଲା ପାଣି ବାହାରୁନି । ଏଭଳି କି ଲୋକେ ଗାଧୋଇବା ପାଇଁ ପୋଖରୀ ବି ନାହିଁ । ପ୍ରଚଣ୍ଡ ଖରାରେ ଗାଁ ନିକଟରେ ଥିବା ନଦୀ, ନାଳ ଶୁଖୂଯାଇଛି । ଏଭଳି ପରିସ୍ଥିତିରେ ଗାଁ ଲୋକେ ବାଧ୍ଯ ହୋଇ ଗାଁ ଠାରୁ ୨ କିମି ଦୂରରେ ଥ‌ିବା ଏକ ନାଳରେ ଚୁଆଁ ଖୋଳି ପାଣି ଆଣୁଛନ୍ତି । ସେହି ପାଣି ଗୋଳିଆ ଥୂବା ସହ କାଠିକୁଟା ଥିବା ସତ୍ତ୍ୱେ ସେହି ପାଣିକୁ ରୋଷେଇ କରିବା ସହ ପିଉଥ‌ିବା କହିଛନ୍ତି । ଫଳରେ ଗାଁର ପ୍ରାୟ ୧୦ରୁ ଅଧିକ ଲୋକ ଓ ଛୋଟ ପିଲା ରୋଗରେ ପଡ଼ିଥ‌ିବା ମଧ୍ୟ ଗ୍ରାମବାସୀ କହିଛନ୍ତି । ପାନୀୟ ଜଳ ସମସ୍ୟା ଦୂର ପାଇଁ ସ୍ଥାନୀୟ ୱାର୍ଡ ସଭ୍ୟ ଠାରୁ ଆରମ୍ଭ କରି ସରପଞ୍ଚ ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ସତ୍ତ୍ୱେ କେହି ହେଲେ ଗୁହାରି ଶୁଣୁନଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ | ତେଣୁ ବାଧ୍ୟହୋଇ ଗାଁ ଲୋକେ ମୋହନା ବିଡ଼ିଓଙ୍କୁ ଗୁହାରି ଜଣାଇବା ପାଇଁ ବ୍ଳକ କାର୍ଯ୍ୟାଳୟକୁ ଆସିଥିଲେ । ହେଲେ ବିଡ଼ିଓଙ୍କୁ ନ ପାଇ ନିରାଶ ହୋଇ ଗାଁକୁ ଫେରିଥିଲେ । ଦୁଇ ଦିନ ମଧ୍ୟରେ ଗାଁର ପାଣି ସମସ୍ୟା ଦୂର ନ ହେଲେ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେବୁ ବୋଲି ଚେତାବନୀ ଦେଇଛନ୍ତି ଗାଁ ଲୋକେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ