ଭୋଟ ହାର କମ୍ ବ୍ୟବଧାନ ପରେ ଚିନ୍ତାରେ ହିଞ୍ଜିଳି ବିଜେଡି ନେତା

ହିଞ୍ଜିଳିକାଟୁ,(ସୁଧାନିଧି ଚୌଧୁରୀ): ରାଜନୈତିକ ଦୃଷ୍ଟିକୋଣରୁ ହିଞ୍ଜିଳି ବିଧାନସଭା କ୍ଷେତ୍ର ଓଡ଼ିଶା ରାଜନୀତିର ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ବିଜେଡି ସୁପ୍ରିମୋ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ବିଧାନସଭା ଆସନରୁ ଲଗାତାର ଭାବେ ୬ ଥର ବିଧାୟକ ଭାବେ ନିର୍ବାଚିତ ହେବା ସହ ଲଗାତାର ଧରି ୫ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଗୌରବ ଅର୍ଜନ କରିଛନ୍ତି । ଏହି ଦୃଷ୍ଟିକୋଣରୁ ସମଗ୍ର ଓଡିଶା ସମେତ ଜାତୀୟ ରାଜନୀତିର ଦୃଷ୍ଟି ହିଞ୍ଜିଳି ବିଧାନସଭା କ୍ଷେତ୍ର ଉପରେ ନିବିଦ୍ଧ । ଗତ ୨୦୦୦ ମସିହା ଠାରୁ ୨୦୧୪ ମସିହା ପର୍ଯ୍ୟନ୍ତ ୪ଟି ସାଧାରଣ ନିର୍ବାଚନରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୋଇ ସୁରୁଖୁରୁରେ ନିର୍ବାଚନ ଶେଷ ହୋଇଥିବା ବେଳେ ୫ମ ପାଳି ୨୦୧୯ ସାଧାରଣ ନିର୍ବାଚନ ପ୍ରାରମ୍ଭରୁ ହିଁ ବିଭିନ୍ନ ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଗତ ୨୦୦୦ ମସିହାରେ ହିଞ୍ଜିଳି ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଥିବା ନବୀନ ବାବୁ ୨୦୧୯ ମସିହାରେ ପ୍ରଥମ ଥର ପାଇଁ ହିଞ୍ଜିଳି ସମେତ ପଶ୍ଚିମ ଓଡିଶାର ବରଗଡ ଜିଲ୍ଲା ବିଜେପୁର ଆସନରୁ ପ୍ରତିଦ୍ୱନ୍ଦିତା କରିଥିଲେ । ସଂପୃକ୍ତ ନିର୍ବାଚନ ସମୟରେ ହିଞ୍ଜିଳି ବିଧାନସଭା ଆସନରୁ ନବୀନ ବାବୁଙ୍କ ବିରୋଧରେ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଥିବା ବିଜେପି ପ୍ରାର୍ଥୀ ଦଳୀୟ ମୁଖପାତ୍ର ତଥା ବରିଷ୍ଟ ଆଇନଜୀବି ପିତାମ୍ବର ଆଚାର୍ଯ୍ୟ ନିର୍ବାଚନ କାର୍ଯ୍ୟରେ ପ୍ରଥମ ଥର ପାଇଁ ହିଞ୍ଜିଳି ଗ୍ରସ୍ତରେ ଆସୁଥିବା ବାଟରେ ତାଙ୍କ ଗାଡିକୁ ପୁଲିସ ଅଟକାଇଥିଲା । ଏହାକୁ ନେଇ କିଛି ସମୟ ପାଇଁ ବିବାଦ ଉପୁଜିଥିଲା । କିଛି ସମୟ ପାଇଁ ବିଜେପି ପ୍ରାର୍ଥୀ ପିତାମ୍ବରଙ୍କ ସହ ପୁଲିସ ପ୍ରଶାସନ ମଧ୍ୟରେ କଥା କଟାକଟି ହୋଇଥିଲା । ଘଟଣା ନେଇ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରାଯିବା ପରେ ରାଜନୈତିକ ବାତାବରଣ ସ୍ଥାନୀୟ ଅଞ୍ଚଳରେ ବେଶ ଉଷ୍ମ ହୋଇପଡ଼ିଥିଲା । ପରବର୍ତ୍ତୀ ସମୟରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥୀପତ୍ର ଭୂଲ ଥିବା ଦର୍ଶାଇବା ସହ ଶେରଗଡ଼ ଥାନା ପରିସର ମଧ୍ୟରେ ଶେରଗଡ ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ସହ ଯୁକ୍ତିତର୍କ ହେବା ସମେତ ରାଜ୍ୟର ବହୁ ବଡ଼ ବଡ଼ ପୁଲିସ ଅଧିକାରୀଙ୍କୁ ଟାର୍ଗେଟ କରିଥିଲେ ବିଜେପି ପ୍ରାର୍ଥୀ ପିତାମ୍ବର । ଏପରିକି ଉଭୟ ବିଜେଡ଼ି ଓ ବିଜେପି ପରସ୍ପର ବିରୋଧରେ ଥାନାରେ ଏତାଲା ଦେବା ଘଟଣା ବେଶ ଚର୍ଚ୍ଚାରେ ରହିଥିଲା । ତେବେ ନିର୍ବାଚନରେ ମତଦାନ ଦିବସ ପରିସମାପ୍ତି ପରେ ପ୍ରାୟ ଉକ୍ତ ଘଟଣା ନୀରବ ପଡ଼ିଯାଇଥିଲା । ଚଳିତ ବର୍ଷ ସାଧାରଣ ନିର୍ବାଚନରେ ନବୀନ ପଟ୍ଟନାୟକ ହିଞ୍ଜିଳି ବିଧାନସଭା ଆସନ ସମେତ କଣ୍ଟାବାଞ୍ଜି ଆସନରୁ ପ୍ରତିଦ୍ବନ୍ଦିତା କରୁଥିଲେ। ମଙ୍ଗଳବାର ନିର୍ବାଚନ ଫଳ ଘୋଷଣା ହେବା ପରେ ହିଞ୍ଜିଳି ଅଞ୍ଚଳର ବିଭିନ୍ନ ଗ୍ରାମାଞ୍ଚଳ ସମେତ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗଳିକନ୍ଦିରେ ଏହାକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ନିର୍ବାଚନ ଫଳାଫଳ ଘୋଷଣା ପରେ କେଉଁ ଦଳ କେତେ ଭୋଟ ପାଇଲା, ପୂର୍ବ ନିର୍ଦ୍ଧାରିତ ଋଣକୌଶଳ ଅନୁସାରେ ସେହି ଦଳ ସେତିକି ଭୋଟ ପାଇଛି କି ନାହିଁ ଇତ୍ୟାଦିର ତର୍ଜମା ଆରମ୍ଭ ହୋଇଯାଇଛି । ହିଞ୍ଜିଳି ଆସନରୁ ବିଜୟୀ ହୋଇଥିବା ବିଜେଡି ପ୍ରାର୍ଥୀ ତଥା ନବୀନ ବାବୁ ବିଜୟୀ ହୋଇଥିଲେ ମଧ୍ୟ ଭୋଟ ହାର ପୂର୍ବ ନିର୍ବାଚନ ଫଳାଫଳ ଅପେକ୍ଷା ଯଥେଷ୍ଟ ହ୍ରାସ ପାଇଥିବାରୁ ସ୍ଥାନୀୟ ବିଜେଡି ନେତାଙ୍କ ମଧ୍ୟରେ ତର୍ଜମା ଆରମ୍ଭ ହୋଇଯାଇଛି । ପ୍ରକାଶ ଥାଉକି, ଗତ ୨୦୦୪ ମସିହା ନିର୍ବାଚନରେ ନବୀନ ବାବୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀଙ୍କ ଠାରୁ ୨୬ ହଜାର ୬୨୪ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ୨୦୦୯ ମସିହା ନିର୍ବାଚନରେ ୬୧ ହଜାର ୨୭୩ ଓ ୨୦୧୪ ମସିହା ନିର୍ବାଚନରେ ୭୬ ହଜାର ୫୮୬ ଭୋଟ , ୨୦୧୯ ମସିହାରେ ଭୋଟ ବ୍ୟବଧାନ ୬୧ ହଜାର ୧୬୦ ରହିଥିଲା । ନବୀନ ବାବୁ ୯୪ ହଜାର୦୬୫ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ପିତାମ୍ବର ଆଚାର୍ଯ୍ୟ ୩୩୯୦୫ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ଚଳିତ ନିର୍ବାଚନରେ ଲକ୍ଷାଧିକ ଭୋଟ ବ୍ୟବଧାନରେ ନବୀନ ବାବୁଙ୍କୁ ବିଜୟୀ କରିବାକୁ ସ୍ଥାନୀୟ ଅଞ୍ଚଳର ନେତା ମାନେ ଅଣ୍ଟା ଭିଡ଼ିଥିଲେ । କିନ୍ତୁ ନିର୍ବାଚନ ପଳାଫଳ ଘୋଷଣା ହେବା ପରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ନିଜର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଶିଶିର ମିଶ୍ରଙ୍କୁ ମାତ୍ର ୪୬୪୯ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିବା ସହ ବିଜୟ ମୁକୁଟ ପନ୍ଧିଛନ୍ତି । ହିଞ୍ଜିଳି ବିଧାୟକ ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ୬୬୩୫୮ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଶିଶିର ମିଶ୍ର ୬୧୭୦୯ ଭୋଟ, କଂଗ୍ରେସ ପ୍ରାର୍ଥୀ ରଜନୀକାନ୍ତ ପାଢି ୫୩୬୬ ଭୋଟ, ବହୁଜନସମାଜ ପାର୍ଟି ସମର୍ଥିତ ପ୍ରାର୍ଥୀ ବଳରାମ ନାହାକ ୬୪୨ ଭୋଟ. ଏସୟୁସିଆଇ(କମ୍ୟୁନିଷ୍ଟ)ର ନାରାୟଣ ସାହୁ ୧୨୫୨ ଭୋଟ, ଆମ ଆଦମୀ ପାର୍ଟୀର ଭଜରାମ ସାବତ ୫୯୧ ଭୋଟ, ସ୍ୱାଧିନ ପ୍ରାର୍ଥୀ ରାମ ନାରାୟଣ ବିଶ୍ୱାସରାୟ ୧୧୪୨ ଭୋଟ, ନବ ନିର୍ମାଣ କୃଷକ ସଂଘଠନ ପକ୍ଷରୁ ଚାଷୀ ନେତା ଅକ୍ଷୟ କୁମାର ୯୨୨ ଭୋଟ, ଏସ. ଲକ୍ଷ୍ମୀ ଆଚାରୀ ୮୮୪ , ଭୋଟ, ସବିତା କୁମାରୀ ସାହୁ ୮୨୨ ଭୋଟ ପାଇଥିବା ବେଳେ ନୋଟାରେ ୧୯୧୭ ଟି ଭୋଟ ପଡ଼ିଥିଲା । ପ୍ରକାଶ ଥାଉକି, ହିଞ୍ଜିଳି ବିଧାନସଭା ଆସନ ହିଞ୍ଜିଳି ବ୍ଳକର ସମୁଦାୟ ୨୧ ଟି ପଞ୍ଚାୟତ, ଶେରଗଡ଼ ବ୍ଳକର ୨୨ ଟି ପଞ୍ଚାୟତ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ୨୧ ଟି ୱାର୍ଡ଼କୁ ନେଇ ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠିତ । ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୩୨ ହଜାର ୧୦୯ ଭୋଟର(ପୁରୁଷ ଭୋଟର ୧ଲକ୍ଷ ୨୦ ହଜାର ୮୯୮, ମହିଳା ଭୋଟର ୧ଲକ୍ଷ ୧୧ ହଜାର ୧୦୨ ଓ ତୃତୀୟ ଲିଙ୍ଗୀ ୧୮ ଭୋଟର)ଙ୍କ ମଧ୍ୟରୁ ଚଳିତ ନିର୍ବାଚନରେ(୨ୟ ପର୍ଯ୍ୟାୟ ମଇ ମାସ ୨୦ ତାରିଖରେ ଅନୁଷ୍ଠିତ ହୋଇଥିବା) ୬୧.୦୨ ପ୍ରତିଶତ ମତଦାନ ହେବା ସହ ୧ ଲକ୍ଷ ୪୧ ହଜାର ୬୦୪ ଭୋଟର ମତଦାନ କରିଥିଲେ ।
। ସାଧାରଣ ନିର୍ବାଚନରେ ହିଞ୍ଜିଳି ବିଧାନସଭା ଆସନରେ ୨୨୯ ଟି ବୁଥ କରାଯାଇଥିଲା । ୨୨୯ ଟି ବୁଥରେ ୧୧୪୫ ଜଣ ପୁଲିଂ ଅଧିକାରୀ ଓ ୨୨୯ ଜଣ ପ୍ରିଜାଇଡିଂ ଅଧିକାରୀଙ୍କୁ ନିଯୁକ୍ତି କରାଯାଇଥିଲା । ୨୨୯ ଟି ବୁଥ ମଧ୍ୟରୁ ହଞ୍ଜିିଳିକାଟୁ ପୌରାଞ୍ଚଳରେ ୧୯ ଟି, ହିଞ୍ଜିଳିକାଟୁ ବ୍ଳକରେ ୧୦୦ ଟି ଓ ହିଂଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଳକରେ ୧୧୦ ଟି ବୁଥରେ ଭୋଟର ମାନେ ନିଜ ନିଜର ମତଦାନ କରିଥିଲେ
ନିର୍ବାଚନ ଫଳାଫଳ ଘୋଷଣା ପରେ ଭୋଟ ହାର ହ୍ରାସ ପାଇଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳର ବିଜେଡିର କିଛି ମୁଣ୍ଡିଆଳ ନେତାଙ୍କ ଚିନ୍ତା ବଢିବାରେ ଲାଗିଛି । ଚଳିତ ନିର୍ବାଚନ ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ବାବୁ ହିଞ୍ଜିଳି ଅଞ୍ଚଳରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ବିଧାନସଭା ଆସନର ବହୁ ଅଞ୍ଚଳକୁ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ପାଣ୍ଡିୟାନ ସମେତ ସିନେଷ୍ଟାର ଦମ୍ପତି ସବ୍ୟସାଚୀ ଓ ଅର୍ଚ୍ଚିତା ନିର୍ବାଚନ ପ୍ରଚାରରେ ଆସିଥିବା ବେଳେ ଭୋଟ ହାର କେଉଁ କାରଣରୁ ହ୍ରାସ ପାଇଛି, ତାହାକୁ ନେଇ ସ୍ଥାନୀୟ ଅଞ୍ଚଳର ବିଜେଡିର କିଛି ମୁଣ୍ଡିଆଳ ନେତା ସମୀକ୍ଷା କରିବାରେ ଲାଗି ପଡିଛନ୍ତି । ଏପରିକି ଖୋଦ୍ ହିଞ୍ଜିଳିକାଟୁ ପୌରାଞ୍ଚଳରେ ବିଜେଡିକୁ କମ୍ ଭୋଟ ମିଳିଥିବା ଜଣାପଡ଼ିଛି । ଭୋଟ ଗଣତି ସରିବା ପରେ ନିର୍ବାଚନର ଦାୟିତ୍ୱ ନେଇଥିବା ମୁଣ୍ଡିଆଳ ନେତାମାନେ ବୁଥୱାରୀ ସମୀକ୍ଷା କରିବାରେ ଲାଗି ପଡିଛନ୍ତି । କେଉଁ ବୁଥରେ କିଭଳି ସ୍ଥିତିରେ ଭୋଟ ହାର କମିଲା, କିଏ ଓ କେଉଁ ନେତା ଦଳ ପ୍ରତି ବିଶ୍ୱାସ ଘାତକତା କରିଛନ୍ତି , ଏହାକୁ ନେଇ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ବେଶ ଆଲୋଡ଼ନ ସୃଷ୍ଟି କରିଛି । ନବୀନ ବାବୁ ଚଳିତ ନିର୍ବାଚନରେ ହିଞ୍ଜିଳି ସମେତ କଣ୍ଟାବାଞ୍ଜି ଭଳି ୨ ଟି ଆସନୀରୁ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଥିଲେ। ହିଞ୍ଜିଳି ଆସନରୁ ବିଜୟୀ ହୋଇଥିବା ବେଳେ କଣ୍ଟାବାଞ୍ଜି ଆସନରୁ ଶୋଚନୀୟ ପରାଜୟ ହୋଇଛନ୍ତି । ହିଞ୍ଜିଳି ଆସନରେ ପୂର୍ବ ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ ଭୋଟ ହାର ଯଥେଷ୍ଟ ପରିମାଣରେ ହ୍ରାସ ପାଇଥିବାରୁ ଥିବା ଯୋଗୁଁ ହିଞ୍ଜିଳି ଆସନ ଛାଡିଦେବା ନେଇ ଅଞ୍ଚଳର ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଜୋର ଧରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ