ଗଜପତିରେ ଚାଷ କାର୍ଯ୍ୟ ପାଇଁ ଚାଷୀ ପ୍ରସ୍ତୁତ, ହେଲେ ଜଳସେଚନ ପାଇଁ କେନାଲ ସଫେଇରେ ଅନିଶ୍ଚିତତା ଚାଷ କାମ ହେବ କିପରି?

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଚାଷୀମାନେ ଚାଷ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି. ହେଲେ ଚାଷ ବେଉଷଣ ପାଇଁ ରହିଥିବା କେନାଲ ଗୁଡିକ ବର୍ତ୍ତମାନ ସୁଦ୍ଧା ସଫେଇ ହେଉନଥିବାରୁ ଚାଷ କାମ କେମିତି ଆରମ୍ଭ କରିବୁ ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି. ଚଳିତବର୍ଷ ପାଣିପାଗ ବିଭାଗର ପ୍ରାକ୍ ଆକଳନ ଅନୁସାରେ ଶୀଘ୍ର ମୌସୁମୀ ଆସିବାର ସମ୍ଭାବନା ରହିଛି । କୃଷକମାନେ ମଧ୍ୟ ଚାଷବାସ ପାଇଁ ଜମି ପ୍ରସ୍ତୁତ କରି ରଖିଲେଣି କିନ୍ତୁ, ଏଯାବତ୍ ଜଳସେଚନ ପାଇଁ ରହିଥିବା କେନାଲଗୁଡ଼ିକର ସଫେଇ ହୋଇ ନଥିବାରୁ ତାଙ୍କ ପାଖରେ ଜଳ କିଭଳି ପହଞ୍ଚିବ ସେ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି।ଦକ୍ଷିଣ ଓଡ଼ିଶାର ଭାତହାଣ୍ଡି ଗଜପତି ଜିଲ୍ଲାର ଗୋଷାଣୀ, କାଶୀନଗର ବ୍ଲକ୍ ଏବଂ ପାରଳାଖେମୁଣ୍ଡି ଉପଖଣ୍ଡରେ ୩୫ ହଜାର ହେକ୍ଟର ଚାଷ ଜମି ଥିବା ବେଳେ ସେଥିରୁ ୨୯ ହଜାର ହେକ୍ଟର ଜମିରେ ଧାନ ଚାଷ ହେଉଛି ବୋଲି ଚାଷୀମାନେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି ଯେ, ଏହି ଜମିଗୁଡ଼ିକ ମୌସୁମୀ ଆଗମନଜନିତ ବର୍ଷା ତଥା ବିଭିନ୍ନ କେନାଲର ପାଣି ଉପରେ ନିର୍ଭରଶୀଳା ଏଣୁ, ପାରଳାଖେମୁଣ୍ଡି ହେଉ କି ଗଜପତି ଜିଲ୍ଲାର ଅନ୍ୟାନ୍ୟ ବ୍ଳକ, ଜଳସେଚନ ପାଇଁ ସୁବିଧା ପ୍ରଦାନ କରୁଥିବା ସାଗରଗୁଡ଼ିକ ଅବା ନଦୀବନ୍ଧ ଯୋଜନାରେ ନିର୍ମିତ ବଡ଼ବଡ଼ ପୋଖରୀ ସହ ସଂଯୁକ୍ତ ଥିବା କେନାଲଗୁଡ଼ିକ ହେଉ, ସେଗୁଡ଼ିକ ମେ ଓ ଜୁନ ମାସ ସୁଦ୍ଧା ସଫା ହେବା କଥା । ବର୍ଷା ପରେ ଶୀତ ଓ ଗ୍ରୀଷ୍ମରେ ବଢ଼ି ଉଠିଥିବା ଛୋଟବଡ଼ ଗଛ କାଟି ଜଳ ବହିଯିବା ପାଇଁ ପୂର୍ବପ୍ରସ୍ତୁତି କରିବା କଥା। କିନ୍ତୁ, ଚଳିତବର୍ଷ ରାଜ୍ୟ ସରକାରଙ୍କ ଠାରୁ ଆସିଥିବା ଅନୁଦାନରେ ୩ଟି ସାଗର ଖୋଳା କାର୍ଯ୍ୟ ଚାଲୁ ରହିଛି ଅଥଚ କେନାଲଗୁଡିକ ଆଜି ପର୍ଯ୍ୟନ୍ତ ସଫା ହୋଇ ପାରିଲା ନାହିଁ। ଯଦି ଆଗାମୀ ଦିନରେ ନିର୍ଦ୍ଧାରିତ ସମୟ ଅନୁସାରେ ମୌସୁମୀ ବର୍ଷା ହୁଏ, ତା’ହେଲେ ସାଗରରେ ପାଣି ରହିବା କିନ୍ତୁ, କେନାଲଗୁଡ଼ିକ ସଫା ନଥିବାରୁ ଚାଷୀଙ୍କ ଜମିରେ ପାଣି ପହଞ୍ଚିବା କଷ୍ଟସାଧ୍ୟ ହୋଇପଡ଼ିବ ବୋଲି କୃଷକ ସଂଗଠନ ଆଶଙ୍କା ପ୍ରକାଶ କରିଛି। ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ଚଳିତବର୍ଷ ଅନୁଦାନ ଆସିନଥିବାରୁ ମରାମତି ହୋଇନାହିଁ। ନୂତନ ସରକାର ଗଠନ ପରେ କେନାଲ ସଫେଇ ସହ ମରାମତି କାମ ଆରମ୍ଭ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ