ଆଜି ହେଉଛି ବିଶ୍ୱ ରକ୍ତଦାତା ଦିବସ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଏମିତି ଏକ ଗାଆଁ ଯେଉଁଠି ଲୋକମାନେ ରକ୍ତଦାନ କ’ଣ ଜାଣନ୍ତି ନାହିଁ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ । ଏହା କୌଣସିି ଉପାନ୍ତ ଅଞ୍ଚଳ ଗାଆଁର କଥା ନୁହେଁ । ଖୋଦ୍ ରାଜ୍ୟ ରାଜଧାନୀ ଭୁବନେଶ୍ୱରର ଛାତି ଉପରେ ରହିଛି ଏହି ଗାଆଁଟି । ଉକ୍ତ ଗାଆଁଟି ହେଉଛି ଚନ୍ଦକା ଥାନା ଅନ୍ତର୍ଗତ ଛତାବର ଗ୍ରାମ ପଞ୍ଚାୟତ ଅଧିନରେ ଥିବା କନ୍ଦଳେଇ ଗ୍ରାମ । ବଣ ପାହାଡ ଘେରା ହିଂସ୍ର ଜନ୍ତୁ ଭରା ଚନ୍ଦକା -ଡମପଡା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ରହିଛି ଏହି ଗାଆଁ । ୨ଶହ ଜନସଂଖ୍ୟା ବିଶିଷ୍ଟ ଗାଆଁଟିରେ ମୋଟ ୫୦ଟି ଆଦିବାସୀ ପରିବାର ବସବାସ କରିଥାନ୍ତି । ସବୁଠାରୁ ବଡ କଥା ହେଲା ଏଯାଏଁ ଗାଆଁକୁ ଭଲ ରାସ୍ତାଟିଏ ନାହିଁ । ଆଜି ପ୍ରଥମ କରି ଗାଆଁ ପାଳିଛି ବିଶ୍ୱ ରକ୍ତଦାତା ଦିବସ । ପ୍ରତିବର୍ଷ ଜୁନ୍‌ମାସ ୧୪ ତାରିଖକୁ ସମଗ୍ର ବିଶ୍ୱ ରକ୍ତଦାତା ଦିବସ ରୂପେ ପାଳନ କରୁଥିବା ବେଳେ ଏହି ଦିବସ ପାଳନର ଅବ୍ୟବହିତ ପୂର୍ବରୁ ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ବୁଲ୍‌ସଆଇ” ପକ୍ଷରୁ ରକ୍ତଦାନ, ଜୀବନ ଦାନ ସଂପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରକ୍ତବୀର ଗୋପୀମୋହନ ପଟ୍ଟନାୟକ, ସମ୍ମାନିତ ଅତିଥି ରୂପେ “ବୁଲସ୍‌ଆଇ”ର ଚେୟାରମ୍ୟାନ୍ ତ୍ରିଲୋଚନ ବେଉରା ଯୋଗଦେଇ ରକ୍ତଦାନର ମହତ୍ୱ ସଂପର୍କରେ ଆଲୋକପାତ କରିଥିଲେ । ଶ୍ରୀ ପଟ୍ଟନାୟକ ଏହି ଅବସରରେ କହିଥିଲେ ଜୀବନର ଅନ୍ୟନାମ ହେଉଛି ରକ୍ତ । ରକ୍ତଦାନ ଏକ ପୁଣ୍ୟ କାର୍ଯ୍ୟ । ରକ୍ତ ଦେଲେ ଶରୀରରୁ ରକ୍ତ କମିଯାଏ ନାହିଁ ବରଂ ଶରୀରକୁ ଫିଟ୍ ରଖିବାରେ ସାହାଯ୍ୟ କରିଥାଏ । ରକ୍ତ ଗଢିଥାଏ ରକ୍ତଦାତା ଓ ରକ୍ତ ଗ୍ରହୀତାଙ୍କ ଭିତରେ ଅମୂଲ୍ୟ ସଂପର୍କ । ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ଶତାଧିକ ଲୋକ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମକୁ ଗ୍ରାମବାସୀମାନେ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ