ବାଲେଶ୍ୱରରେ କୃଷି ମହାବିଦ୍ୟାଳୟ ଦାବିରେ ବିଧାୟକଙ୍କୁ ସାକ୍ଷାତ ଓ କ୍ରିୟାନୁଷ୍ଠାନ ସମିତିର ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ଉତ୍ତର ଓଡ଼ିଶାର ପ୍ରାଣକେନ୍ଦ୍ର ବାଲେଶ୍ୱରରେ ଏକ କୃଷି ମହାବିଦ୍ୟାଳୟ ଓ କୃଷି ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଦାବିରେ ଗତ ତିନିବର୍ଷ ଧରି ଦାବି ଓ ଗଣତାନ୍ତ୍ରିକ ଆନ୍ଦୋଳନ ହୋଇଆସୁଛି । ଏଥିପାଇଁ ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ସମେତ ବାଲେଶ୍ୱର ଜିଲ୍ଲାପାଳ ଅନୁକୂଳ ମତାମତ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି । ଗତ ସାଧାରଣ ନିର୍ବାଚନରେ ବିଜେପିର ଦଳୀୟ ଇସ୍ତାହାରରେ ଏଥିପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ଉକ୍ତ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଗଠିତ କ୍ରିୟାନୁଷ୍ଠାନ ସମିତି ପକ୍ଷରୁ ପ୍ରତିନିଧିମାନେ ନବନିର୍ବାଚିତ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଓ ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତଙ୍କୁ ଅଭିନନ୍ଦନ ଜଣାଇ ଦାବିପତ୍ର ପ୍ରଦାନ କରିଛନ୍ତି । ଉଭୟ ବିଧାୟକ ବାଲେଶ୍ୱର ଜିଲ୍ଲାର କୃଷି ଓ କୃଷକର ସ୍ୱାର୍ଥ ପାଇଁ ମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀଙ୍କୁ ଅବଗତ କରାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସମିତି ପକ୍ଷରୁ ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି । ଶୁକ୍ରବାର ପୂର୍ବାହ୍ନରେ ସମିତିର ସଭାପତି ଡ. କେଶବ ଚରଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବାଲେଶ୍ୱରର ମାନ୍ୟବର ସାଂସଦ ଓ ବିଧାୟକଗଣ ଦଳମତ ନିର୍ବିଶେଷରେ ଜିଲ୍ଲାବାସୀଙ୍କ ଏହି ଦାବିପ୍ରତି ଗୁରୁତ୍ୱ ଦେବାକୁ ସମିତି ପକ୍ଷରୁ ନିବେଦନ କରାଯାଇଛି ।ଉଭୟ ବିଧାୟକଙ୍କୁ ସାକ୍ଷାତ ଆଲୋଚନାରେ ସମିତିର ସଭାପତି ଡ. ପଣ୍ଡାଙ୍କ ସମେତ ବୈଦ୍ୟନାଥ ଷଡ଼ଙ୍ଗୀ, ମନୋଜ ବେହେରା, ହରନାରାୟଣ ମଢ଼ୁଆଳ, ଭାସ୍କର ଚନ୍ଦ୍ର ପାଢ଼ୀ, ନିରଞ୍ଜନ ପରିଡ଼ା, ଗୌରାଙ୍ଗ ପାଣିଗ୍ରାହୀ, ସୀତାରାମ ପ୍ରଧାନ, ରବି ମହାପାତ୍ର, ଡ. କ୍ଷିତୀଶ୍ୱର ଦାସ ଓ ପ୍ରଫୁଲ୍ଲ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ