ପାରଳାବାସୀଙ୍କ ଜୀବନ ରେଖା ଶୁଖୁଲା ମହେନ୍ଦ୍ରତନୟା ନଦୀରେ କାଳ ବୈଶାଖୀ ବର୍ଷା ଯୋଗୁଁ ବୋହିଲା ପାଣି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ତଥା ପାରଳାଖେମୁଣ୍ଡିବାସୀଙ୍କ ଜୀବନରେଖା ମହେନ୍ଦ୍ରତନୟା ନଦୀ ଗତ କିଛି ମାସ ହେଲା ସମ୍ପୂର୍ଣ ଭାବେ ଶୁଖୁଲା ପଡ଼ିଥିଲା । ଅଭାବୀ ବର୍ଷା ଓ ଆବଶ୍ୟକ ବ୍ୟବସ୍ଥା ଅଭାବରୁ ଶୁଖୁଲା ରହିଥିଲା । ଜିଲ୍ଲାରେ ମୌସୁମୀ ବାୟୁ ସକ୍ରିୟ ହୋଇ ନ ଥିଲେ ମଧ୍ଯ ଗତ କିଛି ଦିନ ହେଲା ବିଭିନ୍ନ ସ୍ଥାନରେ ବିଶେଷ କରି ଉପରମୁଣ୍ଡରେ ଭୀଷଣ କାଳବୈଶାଖୀ ବର୍ଷା ଯୋଗୁଁ ଶୁଖୁଲା ପଡ଼ିଥିବା ମହେନ୍ଦ୍ରତନୟାରେ ସାମାନ୍ୟ ଜଳସ୍ତର ଦେଖୁବାକୁ ମିଳିଛି | ଏଥିଯୋଗୁଁ ପାନୀୟଜଳ ସଙ୍କଟ ଉପୁଜିଥ‌ିବା ବେଳେ ସେଥ୍‌ରେ କିଛି ମାତ୍ରାରେ ପ୍ରଶମିତ ହେବା ଆଶା କରାଯାଉଛି। ପ୍ରକାଶ ଯେ ମହେନ୍ଦ୍ରତନୟା ନଦୀର ଉତ୍ପତିସ୍ଥଳ ମହେନ୍ଦ୍ରଗିରି ପର୍ବତରେ ରହିଛି। ଏହା ଓଡ଼ିଶାର ଗଜପତି ଜିଲ୍ଲାରେ ସିଂହଭାଗ ପ୍ରବାହିତ ହେଉଥିବା ବେଳେ ଅନ୍ଧ୍ରର କିଛି ଅଞ୍ଚଳରେ ପ୍ରବାହିତ ହେଉଛି। ଅନ୍ଧ୍ର ତାର ସଦୁପଯୋଗ କରିପାରୁଥିବା ବେଳେ ଓଡ଼ିଶା ସଠିକ ଉପଯୋଗ କରିପାରୁନାହିଁ ବୋଲି ଅଞ୍ଚଳବାସୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନାଦେଇ କହିଛନ୍ତି ଯେ ମହେନ୍ଦ୍ରତନୟା ନଦୀର ଜଳକୁ ନେଇ ଉଭୟ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଛି। ଗତ୨୦୦୮ ମସିହା ଏପ୍ରିଲ ୧ ତାରିଖରେ ଗଜପତି ଜିଲ୍ଲା ସୀମାକୁ ଲାଗି ରହିଥ‌ିବା ଆନ୍ଧ୍ରର ଶ୍ରୀକାକୁଲମ୍ ଜିଲ୍ଲାର ରେଗୁଲୁପାଡ଼ୁରେ ମହେନ୍ଦ୍ରତନୟା ନଦୀର ଜଳକୁ ଲୁଟି ସଂରକ୍ଷଣ କରିବା ପାଇଁ ଏକ ବୃହତ୍ତର ଜଳସେଚନ ପ୍ରକଳ୍ପ ଆନ୍ଧ୍ର କରିଥିଲା I ଆନ୍ଧ୍ରର ଏଭଳି କାର୍ଯ୍ୟକୁ ନେଇ ସେତେବେଳେ ଭବିଷ୍ୟତରେ ଗଜପତି ଜିଲ୍ଲାରେ ପାନୀୟ ଜଳ ଓ କୃଷିକାର୍ଯ୍ୟ ପାଇଁସଙ୍କଟ ଉପୁଜିବାର ସମ୍ଭାବନା ରହିଥ‌ିବା ଆକଳନ କରି ଜିଲ୍ଲାବାସୀ ଜନ ଆନ୍ଦୋଳନ କରିଥିଲେ। ଏହାସହ ଗଜପତି ଜିଲ୍ଲାରେ ମହେନ୍ଦ୍ରତନୟା ଜଳକୁ ସଂରକ୍ଷଣ କରି ରଖୁବା ସକାଶେ ଏକ ଡ୍ୟାମ୍ ନିର୍ମାଣ କରିବାକୁ ଦାବି ହୋଇଥିଲା | ସେତେବେଳେ ଜିଲ୍ଲାବାସୀଙ୍କ ଏହି ଦାବିକୁ ଗ୍ରହଣକରି ଅନ୍ଧକୁ ଉପଯୁକ୍ତ ଜବାବ ଉଦ୍ଦେଶ୍ୟରେ ସେହି ବର୍ଷ ଏପ୍ରିଲ ୩୦ ତାରିଖରେ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାୟଗଡ଼ ବ୍ଲକର ଡମ୍ବାପୁରରେ ଡ୍ୟାମ୍ ନିର୍ମାଣ ପାଇଁ ଭିଭିପ୍ରସ୍ତର ସ୍ଥାପନ କରିଥିଲେ | ଅପରପକ୍ଷରେ ଆନ୍ଧ୍ର ରେଗୁଲୁପାଡୁରେ ଡ୍ୟାମ୍ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିଭିରେ ଶେଷ କରିଥିବା ବେଳେ ଓଡ଼ିଶା ସରକାର ଆବଶ୍ୟକ ଓ ଉପଯୁକ୍ତ କାର୍ଯ୍ୟପନ୍ଥା ଗ୍ରହଣ ନ କରିବା କାରଣରୁ ଆଜି ପର୍ଯ୍ୟନ୍ତ ଡମ୍ବାପୁର ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିନାହିଁ। ତାର କୁପରିଣାମ ଜିଲ୍ଲାର ରାୟଗଡ଼, ଗୋଷାଣି ବ୍ଲକ ସମେତ ପାରଳାଖେମୁଣ୍ଡି ପୌରାଞ୍ଚଳବାସୀଙ୍କୁ ଭୋଗିବାକୁ ପଡୁଛି ବୋଲି କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ