କୋଣାର୍କ ଥାନା ସମ୍ମୁଖରେ ଚାଷୀଙ୍କ ଧାରଣା

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଥାନା ଅଧିନସ୍ଥ ମହଲପଡା ଗ୍ରାମପଞ୍ଚାୟତର ଚିତ୍ରା ଗ୍ରାମର ୫୦ରୁ ଉର୍ଦ୍ଧ୍ବ କୃଷକମାନଙ୍କ ଜମିକୁ ପ୍ରାକୃତିକ ଗ୍ୟାସ ସନ୍ଧାନରେ ଖନନ କାର୍ଯ୍ୟ କରୁଥିବା ଅଏଲ ଇଣ୍ଡିଆ କମ୍ପାନୀ ପକ୍ଷରୁ ନିଯୁକ୍ତ ଠିକା ସଂସ୍ଥା କ୍ବିପ କେମିକାଲ ଯୁକ୍ତ ପାଣି ଛାଡିବା ଯୋଗୁଁ ବ୍ଯାପକ ଧାନ ଫସଲ କ୍ଷୟକ୍ଷତି ଘଟଣାରେ କମ୍ପାନୀ ବିରୋଧରେ କୃଷକ ମାନଙ୍କ ପକ୍ଷରୁ ଗତ ଏପ୍ରିଲ ମାସ ୧୫ତାରିଖରେ ଲିଖିତ ଅଭିଯୋଗ ହୋଇଥିବା ବେଳେ କୋଣାର୍କ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଯୋଗୁଁ କୃଷକ ମାନଙ୍କ ପକ୍ଷରୁ ଥାନା ସମ୍ମୁଖରେ ଧାରଣା ଦିଆଯାଇଛି ।ଖବରରୁ ପ୍ରକାଶ ଯେ ମହଲପଡା ଗ୍ରାମପଞ୍ଚାୟତର ଚିତ୍ରା ଗ୍ରାମରେ ପ୍ରାକୃତିକ ଗ୍ୟାସ ସନ୍ଧାନରେ ଅଏଲ ଇଣ୍ଡିଆ କମ୍ପାନୀ ପକ୍ଷରୁ କ୍ବିପ ନାମକ ଏକ ସଂସ୍ଥାକୁ ଦାୟିତ୍ବ ପ୍ରଦାନ କରାଯାଇଥିଲା। କମ୍ପାନୀ ଦ୍ଵାରା ଅଧିକୃତ ଜମିରେ ଠିକା ସଂସ୍ଥା ଖନନ ସମୟରେ ବାହାରୁ ଥିବା ପ୍ରଦୂଷିତ କେମିକାଲ ଯୁକ୍ତ ପାଣି ନ ଛାଡି ଧାନ ଫସଲ କରି ଜୀବନ ଜୀବିକା ନିର୍ବାହ କରୁଥିବା କୃଷକ ମାନଙ୍କ ଜମିକୁ ଏହି ପ୍ରଦୁଷଣ ଯୁକ୍ତ କେମିକାଲ ପାଣି ଛାଡିବା ଦ୍ବାରା ୫୦ରୁ ଉର୍ଦ୍ଧ୍ବ ଚାଷୀଙ୍କ ବ୍ଯାପକ ଧାନ ଫସଲ କ୍ଷୟକ୍ଷତି ହୋଇଥିଲା। ଏହି ଘଟଣାକୁ ନେଇ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ କୃଷକ ମାନଙ୍କ ପକ୍ଷରୁ ଗତ ଅକ୍ଟୋବର ମାସରେ ଚିତ୍ରା ଗ୍ରାମ ଦାୟିତ୍ବରେ ଥିବା ଅଏଲ ଇଣ୍ଡିଆ କମ୍ପାନୀର ଅଧିକାରୀ ବି.ପି ମହାପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ମାତ୍ର କମ୍ପାନୀ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ ନ ହେବା ଦ୍ଵାରା ଗତ ନଭେମ୍ବର ମାସ ୧୩ତାରିଖରେ ପୁରୀ ଜିଲ୍ଲାପାଳ, ଗୋପ ତହସିଲଦାର, ଅଏଲ ଇଣ୍ଡିଆ କମ୍ପାନୀର କାର୍ଯ୍ୟ ନିର୍ବାହୀ ଅଧିକାରୀ, ମୁଖ୍ୟ ପରିଚାଳକ ଓ ମହଲପଡା ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରମୁଖଙ୍କୁ କେମିକାଲ ପାଣିରେ ଧାନ ଫସଲ କ୍ଷତିଗ୍ରସ୍ତ କୃଷକ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଅଭିଯୋଗ ପ୍ରଦାନର ଦୀର୍ଘ ଚାରି ମାସ ମଧ୍ୟରେ କୌଣସି ସୁଫଳ ନ ମିଳିବା ଯୋଗୁଁ ଗତ ଏପ୍ରିଲ ମାସ ୧୫ତାରିଖରେ ଅଏଲ ଇଣ୍ଡିଆ କମ୍ପାନୀ ଓ ଠିକା ସଂସ୍ଥା କ୍ବିପ କର୍ତୃପକ୍ଷଙ୍କ ନାମରେ କୃଷକ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। କୋଣାର୍କ ଥାନାରେ ଏତଲା ଦେବାର ଦୀର୍ଘ ୨ମାସ ବିତିଯାଇଥିଲେ ମଧ୍ୟ କୋଣାର୍କ ପୋଲିସ କୃଷକ ମାନଙ୍କ ପ୍ରତି ପକ୍ଷପାତିତା ନୀତି ଅବଲମ୍ବନ କରି ଅଏଲ ଇଣ୍ଡିଆ କମ୍ପାନୀ ପକ୍ଷରୁ ନିଯୁକ୍ତ ଠିକା ସଂସ୍ଥା କ୍ବିପ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଥିବା କୃଷକ ମାନଙ୍କ ପକ୍ଷରୁ ଅଭିଯୋଗ ହେଉଛି ।କୋଣାର୍କ ପୋଲିସର ପକ୍ଷପାତିତା ନୀତି ଓ ଅଏଲ ଇଣ୍ଡିଆର ବେଫିକର ମନୋଭାବ ପ୍ରତିବାଦରେ କେମିକାଲ ଯୁକ୍ତ ପାଣିରେ କ୍ଷତିଗ୍ରସ୍ତ ଚିତ୍ରା ଗ୍ରାମର ୫୦ରୁ ଉର୍ଦ୍ଧ୍ବ ଚାଷୀ କୃଷକ ନେତା ମନୋରଞ୍ଜନ ପରିଡାଙ୍କ ନେତୃତ୍ବରେ କୋଣାର୍କ ଥାନା ସମ୍ମୁଖରେ ଶନିବାର ପୂର୍ବାହ୍ନରେ ଧାରଣାରେ ବସିଛନ୍ତି। କୋଣାର୍କ ପୋଲିସ ଅଏଲ ଇଣ୍ଡିଆ କମ୍ପାନୀ କର୍ତ୍ତୃପକ୍ଷ ଓ କମ୍ପାନୀ ପକ୍ଷରୁ ନିଯୁକ୍ତ ଠିକା ସଂସ୍ଥା କ୍ବିପ ବିରୋଧରେ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ସହ କେମିକାଲ ପାଣିରେ କ୍ଷତିଗ୍ରସ୍ତ କୃଷକ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ ନ କଲେ ଏହି ଧାରଣା ଅବ୍ୟାହତ ରହିବ ବୋଲି କୃଷକ ନେତା ମନୋରଞ୍ଜନ ପରିଡା ପ୍ରକାଶ କରିଛନ୍ତି। ଏହି ଧାରଣାରେ ଚିତ୍ରା ଗ୍ରାମର କୃଷକ ରତ୍ନାକର ସାହୁ, ନବଘନ ସାହୁ, ନିରଞ୍ଜନ ସାହୁ, ସାବିତ୍ରୀ ସାହୁ, ବିଜୟ କୁମାର ସାହୁ, ସଂଜୟ କୁମାର ନାୟକ ଓ ରମେଶ ଚନ୍ଦ୍ର ସାହୁଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ କ୍ଷତିଗ୍ରସ୍ତ କୃଷକ ମାନେ ଧାରଣା ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ