ବେରୋଜଗାରିଆ ପୁଅକୁ ସମ୍ମାନ ମିଳେନି

ଦିପ୍ତିମୟୀ ନାୟକ
ଆମ ସମାଜରେ ଏମିତି କିଛି ପରିବାର ଅଛି ଯେଉଁ ପରିବାର ଭିତରେ ରହି ଗୋଟେ ଭେଣ୍ଡା ପୁଅ କର୍ମକୁଢିଆର ଆଖ୍ୟା ପାଇଛି | ଆଖିର ଲୁହକୁ ସମସ୍ତଙ୍କ ଆଗରେ ଲୁଚେଇ ହସିବାର ଅଭିନୟ କରିଚାଲିଛି | କେବେ ସେ କାନ୍ଦେ ନିରୋଳା ସ୍ଥାନରେ | କେବେ ସେ କାନ୍ଦେ ମା’ର ପଣତ କାନିତଳେ ଆଉ କେବେ କାନ୍ଦେ ତା ବିଛଣା ଉପରେ | ଲୁହ ଭିଜା ଆଖିରେ ଯେବେ ସେ ନିଜକୁ ଖୋଜେ ସମସ୍ୟା ଠାରୁ ତା ଆପଣାର ଲୋକଙ୍କ କଥା ବେଶି ବାଧେ | ମା’ ସିନା ଜନ୍ମ ଦିଏ କର୍ମ ଦିଏନି | କର୍ମ କରିବାକୁ ହେଲେ ନିଜର ପରିଶ୍ରମ ଜାରି ରଖିବାକୁ ପଡିଥାଏ | ପରିଶ୍ରମ ଫଳ ଯେତେବେଳେ ମିଳେନି ପୁଅଟି କରିବ ତ କଣ କରିପାରିବ | ଆଖିରୁ ଲୁହ ଝରିଲେ ଲୋକେ କହିବେ ପ୍ରେମରେ ଅସଫଳ | ମନକୁ ନୀରବ ରଖିଲେ କାହା ଭାବନାରେ ଏ ଏତେ ସ୍ଥିର | ଦୂରେଇ ରହିଲେ କାହା ଚକରରେ ପଡିଛି ଏତେ ଦୂରେଇ ଦୂରେଇ ରହୁଛି | ହେଲେ ପ୍ରକୃତ ସତ ଆଉ କିଛି ଥାଏ | ତା ଜୀବନରେ ଯେତିକି ସମସ୍ୟା ଥାଏ ବୋଧହୁଏ ତା ଛଡା ଅନ୍ୟକେହି ହୃଦୟଙ୍ଗମ କରିପାରେନି | ପିଲାର ମନ କଥା ବାପା-ମା’ ବୁଝନ୍ତି ଆଉ ଯେତେବେଳେ ସେହି ବାପା-ମା’ ପିଲାକୁ ୟାଡୁ ସିଆଡୁ କିଛି କହିଦିଅନ୍ତି ସେତେବେଳେ ପିଲାଟି ସତରେ ଭାଙ୍ଗିପଡେ କାରଣ ପିଲାଟି ଜାଣିଥାଏ ଏ ଦୁନିଆରେ ତାକୁ କିଏ ବୁଝୁ କି ନବୁଝୁ ତା ବାପା-ମା’ ତାକୁ ନିଶ୍ଚିନ୍ତ ବୁଝିବେ ହେଲେ ସେମିତି କିଛି ପରିବାରରେ ହୁଏନି କି ସବୁ ବାପା-ମା’ ସମାନ ନୁହଁନ୍ତି | ଆଜିର ଦୁନିଆରେ ଏମିତି କିଛି ବାପା-ମା’ ଅଛନ୍ତି ଯେଉଁମାନେ କେବଳ ଗୋଟେ ରୋଜଗାରିଆ ପୁଅ ଚାହାଁନ୍ତି ଆଉ ବେରୋଜଗାରିଆ ପୁଅକୁ ଗୁଞ୍ଜଣା ଦିଅନ୍ତି | ଯେତେବେଳେ ଯାହା ପାଆନ୍ତି ସେୟା ଶୁଣେଇଦିଅନ୍ତି ଶେଷରେ କର୍ମକୁଢିଆ କହିଦିଅନ୍ତି | ସେହି ବାପା-ମା’ ଥରେ ଭାବିବା ଉଚିତ ଯେ କର୍ମକୁଢିଆ କାହାକୁ କୁହନ୍ତି | କେହି ଜାଣି ଜାଣି କର୍ମକୁଢିଆ ହୋଇନଥାଏ କିଛି ପରିସ୍ଥିତି ବାଧ୍ୟ କରିଥାଏ ଘରେ ରହିବାକୁ | ଭେଣ୍ଡା ପୁଅକୁ ଏମିତି କଟୁ କଥା କହିବା ଉଚିତ ନୁହେଁ କାରଣ ଚାକିରୀ ମିଳିଲେ ପିଲା ନିଶ୍ଚିନ୍ତ ଚାକିରୀ କରିବ କିନ୍ତୁ ଯଦି କେଉଁଠି ଚାକିରୀ ନମିଳେ ସେ ଅବା କଣ କରିପାରିବ | ଆପଣମାନେ ଯେମିତି ଅସ୍ଥିର ହେଉଛନ୍ତି ଆପଣଙ୍କ ପିଲା କେଉଁଠି ଚାକିରୀ କରୁ | ଆପଣଙ୍କ ପିଲା ମଧ୍ୟ ସେତିକି ଅସ୍ଥିର ହେଉଛି ଚାକିରୀ ଖଣ୍ଡେ କରିବାପାଇଁ କିନ୍ତୁ ଚାକିରୀ ନମିଳିଲେ କର୍ମକୁଢିଆ କିଏ କେମିତି ହୋଇପାରିବ | ଅନୁଭୂତିରୁ ଚେନାଏ କଥା ଥରେ ମୁଁ ଅଫିସରୁ ଆସୁଥାଏ ଆଉ ବାଟରେ ଗୋଟେ ଭେଣ୍ଡା ପୁଅକୁ ତା ବାପା-ମା’ କର୍ମକୁଢିଆ କହୁଥିବାର ଶୁଣିଲି ତାପରେ ମୁଁ ସେହି ବାଟ ଦେଇ ଘରକୁ ଚାଲି ଆସିଲି | ପୁଣି କିଛି ଦିନ ପରେ ସେହି ବାଟଦେଇ ଅଫିସ ଗଲାବେଳେ ସେହି ପରିବାରରେ ପାଟି ତୁଣ୍ଡ ଶୁଣିଲି ତାପରେ ସେହି ଭେଣ୍ଡିଆ ପୁଅର ଆଖିର ଲୁହକୁ ଦେଖିଲି ଶେଷରେ ଏହାର ପ୍ରକୃତ କାରଣ କଣ ବୋଲି ସେହି ପାଖ ପଡୋଶୀଙ୍କୁ ପଚାରିବାକୁ ଲାଗିଲି ଆଉ ଜାଣିବାକୁ ପାଇଲି ପୁଅଟିର ଗ୍ରାଜୁଏସନ ସରିବାପରେ ମଧ୍ୟ ସେ କୌଣସି ସ୍ଥାନରେ ଚାକିରୀ ପାଉନି ଯାହାଫଳରେ ତା ବାପା-ମା’ ତାକୁ କର୍ମକୁଢିଆ କହୁଛନ୍ତି | ମୁଁ ଟିକେ ଆଶ୍ଚର୍ଯ୍ୟ ହୋଇଗଲି ଆଉ ଭାବିଲି ମୁଁ ଯେଉଁ ପରିବେଶ ଭିତରେ ରହୁଛି ସେଠି କଣ ଏମିତି ସବୁ ହେଉଛି | ମୁଁ ତ ଶୁଣିଥିଲି ଅନ୍ୟକେହି ଯଦି ନିଜ ପିଲାକୁ କର୍ମକୁଢିଆ କୁହେ ସେତେବେଳେ ବାପା-ମା’ ମାନେ ଚିହିଁକି ଉଠନ୍ତି ଆମ ପିଲାଙ୍କୁ କାହିଁକି ଏମିତି କହିଲ ଆମ ପିଲାର ବୟସ ହେଉ ସେ ଚାକିରୀ କରିବ କିନ୍ତୁ ପରିବାର ଭିତରେ ଯଦି କିଛି ଆର୍ଥିକ ସମସ୍ୟା ନଥାଏ ତାହେଲେ କାହିଁକି ଗୋଟେ ପୁଅକୁ ଆଜିର କିଛି ବାପା-ମା’ ଏମିତି କଥା କୁହନ୍ତି | ତେବେ ସବୁବେଳେ ପିଲାଙ୍କ ଚାକିରୀକୁ ନେଇ ପିଲାଙ୍କ ଉପରେ ବିରକ୍ତ ହୁଅନ୍ତୁନି କାରଣ ପିଲା ମନ କେତେବେଳେ କଣ ଭୁଲ ନିଷ୍ପତି ନେଇଯିବ ତାହା କେହି କହିପାରିବେନି | ଯଦି ଆପଣଙ୍କ ପିଲାର ପରିଶ୍ରମ ବୃଥା ନୁହେଁ ତେବେ କାହିଁକି ଆପଣ ଆପଣଙ୍କ ପିଲାକୁ ଏତେ ଅବିଶ୍ୱାସ କରୁଛନ୍ତି | କାହିଁକି ନିଜ ପିଲାଙ୍କୁ ଏମିତି କଟୁ କଥା କହୁଛନ୍ତି | ବାପା-ମା’ ଆକଟ ଶାସନ କରନ୍ତି ପିଲାର ଖରାପ ସମୟରେ ପିଲାର ପାଖେ ପାଖେ ରୁହନ୍ତି ହେଲେ ଆଜିର କିଛି ବାପା-ମା’ ପିଲାର ଅର୍ଥ ଚାହାଁନ୍ତି ପିଲାକୁ ନୁହେଁ | ଆମ ସମାଜରେ ଅନେକ ପରିବାର ବାହାରିବ ଯେଉଁଠି ଗୋଟେ ପୁଅଟିଏ ବାରମ୍ବାର କର୍ମକୁଢିଆର ଆଖ୍ୟା ପାଇ ନିଜ ଜୀବନକୁ ହୀନ ମନେକରୁଥିବ | ଜୀବନ ହୀନ ନୁହେଁ ହୀନ ଭାବନା ମଣିଷକୁ ଛୋଟ କରିଦିଏ | ତେଣୁ ଯଦି ଆପଣ ଆପଣଙ୍କ ପିଲାଙ୍କ ଚାକିରୀକୁ ନେଇ ଚିନ୍ତିତ ତେବେ ଆପଣ ଆପଣଙ୍କ ପିଲାକୁ ସର୍ବପ୍ରଥମେ ସାନ୍ତ୍ୱନା ଦିଅନ୍ତୁ | ଚାକିରୀଆ ପୁଅ ପରିବର୍ତ୍ତେ ବେରୋଜଗାରିଆ ପୁଅକୁ ହିଁ ସେହି ସମ୍ମାନ ଦିଅନ୍ତୁ ଯେଉଁ ସମ୍ମାନ ଆପଣ ଅନ୍ୟମାନଙ୍କୁ ଦେଉଛନ୍ତି |

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ