ବିଜେଡିର ଦୁର୍ଗ ପତନ

ଏହା ନିସନ୍ଦେହ ଯେ, ଓଡିଶାର ଉଭୟ ଲୋକସଭା, ବିଧାନସଭା ନିର୍ବାଚନ ଫଳାଫଳ କେବଳ ରାଜନୈତିକ ସମୀକ୍ଷାକଳ ବୁଦ୍ଧିଜୀବୀଙ୍କୁ ନୁହେଁ ରାଜନେତାମାନଙ୍କୁ ବିସ୍ମିତ କରିଦେଇଛି । କ୍ରମାଗତ ୨୪ବର୍ଷ ୩ ମାସ ଧରି ଓଡିଶାରେ କ୍ଷମତାରେ ରହିବା ପରେ ବିଦାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଶେଷରେ ବିଜେପି କ୍ଷମତା ଛଡାଇ ନେଇଛି । କହିବା ବାହୁଲ୍ୟ ଯେ, ବିଧାନସଭା ନିର୍ବାଚନରେ ବିଜେଡିର ସଫଳତା ଭୋଟ ହାର ଅଦୌ ନ୍ୟୁନ ନଥିଲା । ଦଳର ଭୋଟ ହାର ୪୦.୨୨ ପ୍ରତିଶତ ଥିବାବେଳେ ବିଜେପି ଭୋଟ ହାର ୪୦.୦୭ ପ୍ରତିଶତ ଠାରୁ ସାମନ୍ୟ ଆଗରେ ଥିଲା । କିନ୍ତୁ ବିଜେଡିକୁ ପଛରେ ପକାଇ ବିଜେପି ଅଧିକ ବିଧାନସଭା ଆସନ ଅର୍ଥାତ ୧୪୭ଟି ଆସନ ମଧ୍ୟରୁ ୭୮ଟିରେ ବିଜୟୀ ହୋଇ କ୍ଷମତା ଦଖଲ କରିଛି । ବିଜେଡି ମାତ୍ର ୫୧ଟି ଆସନରେ ସନ୍ତୁଷ୍ଟ ହୋଇ କ୍ଷମତାଚ୍ୟୁତ କରିଛି । କିନ୍ତୁୁ ଲୋକସଭା ନିର୍ବାଚନରେ ବିଜେଡିର ଭୋଟହାର ୨.୭୬ ପଏଂଟ ହ୍ରାସ ପାଇ ୩୭.୪୬ ପ୍ରତିଶତ ହୋଇଥିବାବେଳେ ବିଜେପିର ଭୋଟ ହାର ୫.୩୪ ପଏଂଟ ବୃଦ୍ଧି ୪୫.୪୧ ପ୍ରତିଶତ ହୋଇଛି । ଫଳସ୍ୱରୁପ ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ ୨୦ଟି ବିଜେପି ଅକ୍ତିଆର କରିଥିବାବେଳେ ବିଜେଡି ସମ୍ପୂର୍ଣ୍ଣ ମୂଳୋପୋଛ ହୋଇଯାଇଛି । କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇ ତାର ଦୁର୍ଗକୁ ସୁରକ୍ଷିତ ରଖିପାରିଛି । କହିବା ବାହୁଲ୍ୟ ଯେ, ମୋଦୀ ହାୱା ନଥିବା ସତ୍ୱେ ବିଜେପି ଝଡ ସୃଷ୍ଟି କରି ବିଜେଡିର ୧୪ବର୍ଷର ଦୁର୍ଗକୁ ଧରାଶାୟୀ କରିଦେଇଛି । ଏଥିରେ କେହି ଦ୍ୱିମତ ହୋଇନାହାନ୍ତି, ନବୀନଙ୍କ ବିରୁଦ୍ଧରେ ରାଜ୍ୟରେ ସେପରି କୌଣସି ଜନମତ ସୃଷ୍ଟି ହୋଇନଥିଲା, ବରଂ ସେ ରାଜ୍ୟରେ ଏବେ ବି ସବୁଠୁ ଲୋକପ୍ରିୟ ଏବଂ ଅପ୍ରତିଦ୍ୱନ୍ଦୀ ନେତା ଭାବେ ଜନସାଧାରଣଙ୍କ ହୃଦୟରେ ରହିଛନ୍ତି । ୭୭ବର୍ଷ ବୟସ୍କ ନବୀନ ଦେଶରେ ସବୁଠୁ ଦ୍ୱିତୀୟ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ । ଓଡିଶାରେ ୪୦ବର୍ଷ କିମ୍ବା ଏହାଠାରୁ ବର୍ଷର ଯୁବକଯୁବତୀ ଦ୍ୱିତୀୟ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ବଂଚିତ ହୋଇଥିଲେ । ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ଥିବା ସିକିମର ପୱନ ଚାମଲିଙ୍ଗ, ପଶ୍ଚିମବଙ୍ଗର ଜ୍ୟୋତିବସୁ, ତ୍ରିପୁରାରର ମଣିକ ସରକାରଙ୍କ ମଧ୍ୟରେ ଅନ୍ୟତମ । ପୂର୍ବରୁ ସେମାନେ ରାଜନୈତିକ ମହାକାଶରୁ ବିଦାୟ ନେଇଥିବା ଚଳିତ ନିର୍ବାଚନରେ ନବୀନଙ୍କ ବୟସ ଏକ ପ୍ରସଙ୍ଗ ଭାବେ ଉଭା ହୋଇଥିଲା । ତାଙ୍କର ରାଜନୈତିକ କ୍ୟାରିଅରର ସୂର୍ଯ୍ୟ ଏବେ ଅସ୍ତିମିତା ସମ୍ଭବତଃ ଦେ ଆଉ ରାଜନୀତିରେ ପୁନଃ ସକ୍ରୀୟ ହେବା ଆଶା ଆଦୌ ନାହିଁ ବୋଲି କହିଲେ ହୁଏତ ଭୁଲ ହୋଇନପାରେ । ଲମ୍ବା ଶାସନ ଅବଧି ମଧ୍ୟରେ ନବୀନ ଏବଂ ବିଜେଡି ବିରୁଦ୍ଧରେ ସରକାର ବିରୋଧି ହାୱାରେ ସମ୍ମୁଖୀନ ହୋଇନଥିବା କୁହାଯାଇପାରିବ ନାହିଁ । ଏହା ନିଶ୍ଚିତ ଯେ, ଦୀର୍ଘ ଅବଧି ଶାସନ କାଳରେ ଓଡିଶା ଉଲ୍ଳେଖନୀୟ ଅଭିବୃଦ୍ଧି ଦେଖିବାକୁ ପାଇଥିବା ବେଳେ ବହୁ ଜନହିତକର ଯୋଜନା ରାଜ୍ୟବାସୀଙ୍କ ଦ୍ୱାରା ବେଶ ଆଦୃତ ହୋଇପାରିଛି । ଟଙ୍କିକିଆ ଚାଉଳ ଠାରୁ ଆରମ୍ଭ କରି ବିଜୁସ୍ୱାସ୍ଥ୍ୟ କାର୍ଡ ଯୋଜନା ତାଙ୍କୁ ଲୋକପ୍ରିୟତାର ଶୀର୍ଷରେ ପହଁଚାଇଥିବା କେହି ଅସ୍ୱୀକାର କରିପାରିବେନାହିଁ । ରାଜ୍ୟରେ ଦାରିଦ୍ର‌୍ୟ ୨୦୦୪-୦୫ ରେ ୫୭.୬% ଥିବାବେଳେ ୨୦୧୧-୧୨ରେ ୩୨.୯ ପ୍ରତିଶତକୁ ଏବଂ ଏବେ ୧୦ପ୍ରତିଶତକୁ ହ୍ରାସ ପାଇଥିଲା । ସେହିପରି ମୋଟ ଘରୋଇ ଉତ୍ପାଦ ୨୦୧୪-୧୫ରେ ୫୪,୨୦୦ଥିବାବେଳେ, ୨୦୧୯-୨୦ରେ ତାହା ୭୮,୧୧୯କୁ ବୃଦ୍ଧି ପାଇଥିଲା । କିନ୍ତୁ ଦୀର୍ଘ ୨୪ବର୍ଷ ପରେ ଭୋଟଦାତା ଆହୁରି ଅଧିକ ବିଶେଷ କରି କର୍ମନିଯୁକ୍ତି ଚାହିଁଥିଲା । ବିଜେପି ଦାଦନ ପ୍ରସଙ୍ଗକୁ ନିର୍ବାଚନରେ ଏକ ଯୋରଦାର ପ୍ରସଙ୍ଗ ଭାବେ ନିର୍ବାଚନରେ ଛିଡା କରାଇବାକୁ ସମର୍ଥ ହୋଇଥିଲା । ଆହୁରି ମଧ୍ୟ ବିଜେପି ଅତ୍ୟନ୍ତ ସଫଳତାର ସହ କୌଣସି ରାଜନୈତିକ ଭିତିଭୂମି ନଥିବା ଓଡିଆ ଅସ୍ମିତା ପ୍ରସଙ୍ଗକୁ ଉଠାଇ ତାମିଲନାଡୁ ଜନ୍ମିତ ପ୍ରଶାସକରୁ ରାଜନେତା ବନିଥିବା ଭି.କେ. ପାଣ୍ଡିଆନଙ୍କ ଅଭ୍ୟୁଦୟକୁ ମୁଖ୍ୟ ଅସ୍ତ୍ର କରି ଭୋଟଦାତାଙ୍କ ମନରେ ନବୀନଙ୍କ ବିରୋଧି ହାୱା ସସ୍କୃଷ୍ଟି କରିବାରେ ସମର୍ଥ ହୋଇଥିଲା । ଏବେ ବି ସାରା ରାଜ୍ୟରେ ନବୀନଙ୍କ ଦୁର୍ଗ ପତନ ପାଇଁ ପାଣ୍ଡିଆନ ଦାୟୀ ବୋଲି ଜନମତ ବଳବତର ରହିଛି । ପାଣ୍ଡିଆନଙ୍କୁ ନବୀନଙ୍କ ଗୁରୁତ୍ୱ ତାଙ୍କ ପାଇଁ କାଳ ହୋଇଥିବା ଏବେ ବି ଜନରବ ହେଉଛି । ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଚାବି ହଜିବା ଆଉ ଏକ ପ୍ରସଙ୍ଗକୁ ବିଜେପି ଏପରି ଢଙ୍ଗରେ ଉଠାଇ ଥିଲା ଯେ, ଯାହା ବିଜେଡିକୁ ଶକ୍ତ ଆଘାତ ଦେଇଥିଲା । ଆହୁରି ମଧ୍ୟ ନବୀନଙ୍କ ସ୍ୱାସ୍ଥ୍ୟ ପ୍ରସଙ୍ଗକୁ ମଧ୍ୟ ଖୋଦ ପ୍ରଧାନମନ୍ତ୍ରୀ ଉଠାଇଥିଲେ । କିନ୍ତୁ ଏହା ନିଶ୍ଚିତ ଯେ, ବିଜେପିର ଏହିସବୁ ପ୍ରସଙ୍ଗକୁ ବିଜେଡି ପ୍ରତିରୋଧ କରିବାରେ ବହୁ ବିଳମ୍ବ କରିଦେଇଥଲା ବୋଲି କୁହାଯାଇପାରେ । ଏହା ନିସନ୍ଦେହ ଯେ, ବିଜଡିର ପତନ ପାଇଁ ଏହାର କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କ ପ୍ରତି ବହୁ କ୍ଷେତ୍ରରେ ଆଖିବୁଜା ନିସର୍ତ ସମର୍ଥନ ବା ବିଜେପି ପ୍ରତି ଢଳିବା ଆଭିମୁଖ୍ୟ ଦାୟୀ ବୋଲି କହିଲେ ହୁଏତ ଅତିରଂଜିତ ହେବନାହିଁ । ଅତୀତରେ ବିଜେପି ପ୍ରତି ଯେତେସବୁ ଦଳ ଢଲିଛନ୍ତି ବା ସମର୍ଥନ କରିଛନ୍ତି । ସେହି ସବୁକୁ ଦଳ ଡୁବିଯାଇଛି । ଏହାର ବହୁ ଜ୍ୱଳନ୍ତ ଉଦାହରଣ ରହିଛି । ମହାରାଷ୍ଟ୍ରରେ ଶିବସେନା, ହରିଆନାରେ ଲୋକଦଳ, ପଂଜାବରେ ଅକାଳୀଦଳ, ଆନ୍ଧ୍ରରେ ୱାଏସଆର କଂଗ୍ରେସ, ବିହାରରେ ଜେଡିୟୁ, ତେଲେଙ୍ଗାନାରେ ଭାରତ ରାଷ୍ଟ୍ର ସମିତି ଆଦି ଦଳର ପତନ ଘଟିଥିବାବେଳେ ବିଜେପିର ଅଭ୍ୟଦୟ ଘଟିଛି । ବିଜେଡି-ବିଜେପି ଏକ ଏବଂ ଅଭିନ୍ନ ବୋଲି କଂଗ୍ରେସର ପ୍ରଚାର ମଧ୍ୟ ଭୋଟଦାତାଙ୍କ ମଧ୍ୟରେ ସ୍ୱତନ୍ତ୍ର ଧାରଣା ସୃଷ୍ଟି କରିପାରିଥିବା ମନେହୁଏ । ଯାହାର ପ୍ରଭାବରେ ପ୍ରଚାର ଏବଂ ଅର୍ଥବଳ ବିନା କଂଗ୍ରେସ ୯ରୁ ୧୪କୁ ବଢିବା ସହ ନିଜର କ୍ଷୟପ୍ରାପ୍ତ ଭୋଟହାରକୁ ବୃଦ୍ଧି କରିବାରେ ସମର୍ଥ ହୋଇଛି । ଆହୁରି ମଧ୍ୟ କେନ୍ଦ୍ରରେ ବିଜେପି ସରକାରଙ୍କ ପ୍ରତି ବିଭିନ୍ନ କ୍ଷେତ୍ରରେ ବିଜେଡିର ବହୁ ନେତା ଓ କର୍ମୀ ବିଜେପିକୁ ଦଳବଦଳ କରିବା ବିଜେପିର ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥିବା ନିସନ୍ଦେହରେ କୁହାଯାଇପାରିବ । ବିଜେଡି ବର୍ତମାନଠାରୁ ତାର ଆଭିମୁଖ୍ୟ ପରିବର୍ତନ କରିବା ଜରୁରୀ । ଅନ୍ୟଥା ଡୁବିବା ସାର ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ