ନାଉଗାଁ ବ୍ଳକରେ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ସଠିକ ସମୟରେ ପ୍ରଦାନ କରାଯାଉ ନାହିଁ ତଥ୍ୟ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଛୋଟ ପିଲାମାନଙ୍କୁ ବିଦ୍ୟାଳୟାଭିମୁଖୀ କରିବା ପାଇଁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ଯେଉଁ ସବୁ ଯୋଜନା ପ୍ରଣୟନ କରାଯାଇଛି ସେଥିମଧ୍ୟରୁ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାର ମଧ୍ୟାହ୍ନ ଭୋଜନ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା । ପିଲାମାନଙ୍କୁ ଅପପୃଷ୍ଟିରୁ ରକ୍ଷା କରିବା ପାଇଁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବା ସହିତ ବିଦ୍ୟାଳୟକୁ ଆକୃଷ୍ଟ କରିବା ଉକ୍ତ ଯୋଜନାର ମୂଳ ଲକ୍ଷ୍ୟ । କିନ୍ତୁ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ଉକ୍ତ ଯୋଜନା ଠିକ ଭାବେ କାର୍ଯ୍ୟକାରୀ ହେଉ ନଥିବା କେତେକ ଅଭିଭାବକ ମତବ୍ୟକ୍ତ କରିଛନ୍ତି । ମଧ୍ୟାହ୍ନ ଭୋଜନରେ ସ୍ୱଚ୍ଛତା ଆଣିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ପୋର୍ଟାଲ କାର୍ଯ୍ୟକାରୀ କରାଯାଉଅଛି । ସରକାରଙ୍କ ନିୟମାନୁସାରେ ଏହି ପୋର୍ଟାଲ ମାଧ୍ୟମରେ ପ୍ରତ୍ୟେକ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଶିକ୍ଷକ ମୋବାଇଲ ମ୍ୟାସେଜ ମାଧ୍ୟମରେ ଉକ୍ତ ପୋର୍ଟାଲରେ ତଥ୍ୟ ଅପଡେଟ କରିବେ । ବିଦ୍ୟାଳୟରେ କେତେ ପିଲା ରହିଛନ୍ତି ପିଲାଙ୍କ ଉପସ୍ଥାନ ଓ କେତେ ପିଲା ମଧ୍ୟାହ୍ନ ଭୋଜନ ଖାଇବେ ତାର ସଠିକ ତଥ୍ୟ ମ୍ୟାସେଜ ମାଧ୍ୟମରେ ଜଣାଇବେ । ସପ୍ତାହର ସୋମବାର ରୁ ଶୁକ୍ରବାର ପର୍ଯ୍ୟନ୍ତ ଉକ୍ତ ତଥ୍ୟ ୧୧.୩୦ ମିନିଟ ଓ ଶନିବାର ୮.୩୦ ମଧ୍ୟରେ ଏହି ତଥ୍ୟ ପ୍ରଦାନ କରାଯିବାର ନିୟମ ରହିଛି । କିନ୍ତୁ ୨ଦିନ ତଥ୍ୟକୁ ବିଶ୍ଳେଷଣ କଲେ ଦେଖାଯାଇଛି ଉକ୍ତ ବ୍ଳକରେ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ପୋର୍ଟାଲ ତଥ୍ୟ ଅନୁସାରେ ଜୁଲାଇ ୧ ରେ ଦିବା ୧ଟା ମଧ୍ୟରେ ବ୍ଳକର ୭୭ଟି ବିଦ୍ୟାଳୟ ମଧ୍ୟରୁ ୪୦ଟି ବିଦ୍ୟାଳୟ ପିଲାଙ୍କ ଉପସ୍ଥାନ ଓ ମଧ୍ୟାହ୍ନ ଭୋଜନର ତଥ୍ୟ ପ୍ରଦାନ କରାଯାଇଛି । ସେହିପରି ଜୁଲାଇ ୨ରେ ପୋର୍ଟାଲ ତଥ୍ୟ ଅନୁସାରେ ୧୧.୩୧ ମଧ୍ୟରେ ୭୭ଟି ବିଦ୍ୟାଳୟରୁ ୧୪ଟି ବିଦ୍ୟାଳୟ ଦିବା ୧୨ ଟା ମଧ୍ୟରେ ୨୧ଟି ଓ ଦିବା ୧.୧୦ ମଧ୍ୟରେ ୪୧ଟି ବିଦ୍ୟାଳୟ ପୋର୍ଟାଲରେ ତଥ୍ୟ ପ୍ରଦାନ କରିଥିବା ଜଣାଯାଇଛି । ମଧ୍ୟାହ୍ନ ଭୋଜନରେ ପିଲା ନ ଖାଇ ଉପସ୍ଥାନ ଦର୍ଶାଯାଉଥିବାରୁ ମଧ୍ୟାହ୍ନ ଭୋଜନରେ ସ୍ୱଚ୍ଛତା ଆଣିବା ପାଇଁ ଉକ୍ତ ପୋର୍ଟାଲ କାର୍ଯ୍ୟକାରୀ କରାଯାଉଛି । ସେହିପରି ମଧ୍ୟାହ୍ନ ଭୋଜନ ତଦାରଖ କରିବା ପାଇଁ ବ୍ଳକରେ ୯ଟି କ୍ଳଷ୍ଟର ରହିଥିବା ବେଳେ ୯ଜଣ ସିଆରସିସି, ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀଙ୍କ ସମେତ ବ୍ଳକ ଶିକ୍ଷାଧିକାରୀ ନିଯୁକ୍ତ ହୋଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଦିବା ୧ଟା ପର୍ଯ୍ୟନ୍ତ ଅଧିକାଂଶ ବିଦ୍ୟାଳୟରେ ତଥ୍ୟ ପ୍ରଦାନ କରାଯାଉ ନଥିବା ବେଳେ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ପୋର୍ଟାଲକୁ ଅନୁଧ୍ୟାନ କଲେ ସିଆରସିସି ମାନେ ଠିକ୍ ଭାବେ ମଧ୍ୟାହ୍ନ ଭୋଜନ ଯାଂଚ କରୁ ନଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତଥ୍ୟ ପ୍ରଦାନ କରା ନ ଯାଇ କମ୍ ପିଲା ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ପରବର୍ତି ସମୟରେ ଅଧିକ ଉପସ୍ଥାନ ଦର୍ଶାଯାଇ ମଧ୍ୟାହ୍ନ ଭୋଜନ ହଡପ କରାଯାଉଥିବା ଅଙ୍ଗେଶ୍ୱରପଡାର କୃତିବାସ ନାୟକ ଅଭିଯୋଗ କରିଛନ୍ତି । ଏପରିକି ଉକ୍ତ ଅଭିଯୋଗକୁ ସେ ଫୋନ ମାଧ୍ୟମରେ ବ୍ଳକ ଶିକ୍ଷାଧିକାରୀଙ୍କୁ ଜଣାଇଥିବା କହିଛନ୍ତି । ପୋର୍ଟାଲ ତଥ୍ୟକୁ କାହିଁକି ଠିକ୍ ସମୟରେ ପ୍ରଦାନ କରାଯାଉ ନାହିଁ ଏହାର ତଦନ୍ତ କରିବା ପାଇଁ ସେ ଦାବି କରିଛନ୍ତି । ଏବିଷୟରେ ଭାରାପ୍ରାପ୍ତ ବ୍ଳକ ଶିକ୍ଷାଧିକାରୀ କୈଳାସ ପାଢୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ