ମନ୍ତ୍ରୀଙ୍କୁ ଚିଠି ଲେଖିଲେ ପିଅନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହରସ୍ଥିତ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଥାଇ ବିଭିନ୍ନ ଅନିୟମିତତା କରି କାର୍ଯ୍ୟରୁ ନିଲମ୍ବିତ ହୋଇଥିବା ପିଅନ ସନ୍ତୋଷ କୁଣ୍ଡୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ ସେ ଜଣେ ବିଜେପି କର୍ମୀ । ଫଳରେ ଏହି ଚିଠି ଏବେ ସାମାଜିକ ଗଣମାଧ୍ୟମରେ ବହୁଳ ଭାବରେ ପ୍ରସାରିତ ହେବାରେ ଲାଗିଛି । ଏଥିରେ ଶ୍ରୀ କୁଣ୍ଡୁ ଉଲ୍ଲେଖ କରିଛନ୍ତି ଯେ ସେ ଜଣେ ବିଜେପି କର୍ମୀ । ଫଳରେ ସେ ପୂର୍ବରୁ ଯେଉଁ ବିଦ୍ୟାଳୟରେ ଥିଲେ ସେହି ସ୍କୁଲ ଅଧିନ ୱାର୍ଡର କାଉନସିଲରଙ୍କ ସ୍ୱାମୀ ହେଉଛନ୍ତି କଂଗ୍ରେସ ନେତା । ତେଣୁ ତାଙ୍କ ଉପରେ ରାଗ ରଖି ତାଙ୍କ ବିରୋଧରେ ପୂର୍ବତନ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କ ନିକଟରେ ଅଭିଯୋଗ କରିଥିଲେ । ଫଳରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା । ଏହାପରେ ତାଙ୍କୁ ମହାକାଳପଡା ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ହାଜିରା ପକାଇବାକୁ କୁହାଯାଇଥିଲା । କିନ୍ତୁ ସେ ଜଣେ ମଧୁମେୟ ରୋଗୀ ହୋଇଥିବାରୁ ପ୍ରତିଦିନ କେନ୍ଦ୍ରାପଡାରୁ ମହାକାଳପଡା ଯିବା ଆସିବା କରିବା ତାଙ୍କ ପାଇଁ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଲା । ତେଣୁ ସେ ମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଲେ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ କିମ୍ବା ଡେରାବିଶ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ହାଜିରା ପକାଇବାକୁ ନିର୍ଦେଶ ପ୍ରଦାନ କରାଯାଉ । ଏହି ଚିଠି ପ୍ରଦାନ ପରେ ତାଙ୍କୁ ଡେରାବିଶ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ହାଜିରା ପକାଇବା ପାଇଁ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ ନାଗ ନିର୍ଦେଶନାମା ଜାରି କରିଛନ୍ତି । ଏହାକୁ ନେଇ ସମଗ୍ର ଜିଲ୍ଲାରେ ଚର୍ଚ୍ଚା ସୃଷ୍ଟି ହୋଇଛି । ଏଣିକି ଯେଉଁ ସରକାରୀ କର୍ମଚାରୀ ବିଜେପି କର୍ମୀ ବୋଲି ଦାବି କରି ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ଲେଖିବେ ତାଙ୍କ ଚିଠି ଅନୁଯାୟୀ ତାଙ୍କୁ ଅନୁକମ୍ପା ପ୍ରଦାନ କରାଯିବ ବୋଲି ସହରର ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି । ଏସଂକ୍ରାନ୍ତରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ୍‌ଙ୍କୁ ପଚାରିବାରୁ ସେ କହିଲେ ସନ୍ତୋଷଙ୍କ ଡାକ୍ତରୀ ରିପୋର୍ଟକୁ ଭିତ୍ତିକରି ତାଙ୍କ ପ୍ରତି ସଦୟ ହୋଇଛନ୍ତି । ରାଜନୈତିକ ନିର୍ଦେଶନାମାରେ ସେ ପ୍ରଭାବିତ ହୋଇନଥିବା ପ୍ରକାଶ କରିଛନ୍ତି । ସୂଚନା ଥାଉକି ପୂର୍ବତନ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ପତ୍ର ସଂଖ୍ୟା-୮୪୭୬/୭. ୦୮.୨୦୨୪ରିଖରେ ଶ୍ରୀ କୁଣ୍ଡୁଙ୍କୁ ନିଲମ୍ବନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ