ଶ୍ୱଶୁର ଧୀରୁଭାଇଙ୍କ ଫୋନ୍ କାହିଁକି କାଟିଥିଲେ ନୀତା ଜାଣନ୍ତୁ
ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ଜୀବନୀ ସମ୍ପର୍କରେ ଜାଣିବା ପାଇଁ ସମସ୍ତେ ଚାହିଁଥାନ୍ତି । ଗତ ୧୯ ତାରିଖ ଅର୍ଥାତ୍ ମୁକେଶଙ୍କ ଜନ୍ମଦିନରେ ନୀତାଙ୍କ ସହ ଯୋଡ଼ି ହୋଇଥିବା କିଛି ଖାସ୍ କଥା ଜାଣନ୍ତୁ । ୧୯୮୫ରେ ମୁକେଶ ଏବଂ ନୀତାଙ୍କ ବାହାଘର ହୋଇଥିଲା । ଏହା ପୂର୍ବରୁ ବର୍ଷେ କାଳ ଦୁହେଁ ଡେଟ୍ରେ ଥିଲେ । ମୁକେଶଙ୍କ ପିତା ଧୀରୁଭାଇ ଅମ୍ବାନୀ ନୀତାଙ୍କୁ ପସନ୍ଦ କରିଥିଲେ । ନୀତା ଜଣେ ଭାରତନାଟ୍ୟମ ଡ୍ୟାନସର ଥିଲେ । ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଧୀରୁଭାଇ ନୀତାଙ୍କ ଡ୍ୟାନ୍ସ ଦେଖିଥିଲେ । ତା’ ପରେ ତାଙ୍କ ପୁଅ ମୁକେଶଙ୍କ ପାଇଁ ନୀତାଙ୍କୁ ବୋହୂ କରିନେବେ ବୋଲି ମନସ୍ଥ କରିଥିଲେ । ନୀତାଙ୍କର ଏକ ଇଣ୍ଟରଭ୍ୟୁ ମଧ୍ୟ ନେଇଥିଲେ ଧୀରୁଭାଇ ।
ନୀତା କୁହନ୍ତି, ଗୁଜୁରାଟୀ ସମ୍ପ୍ରଦାୟର ଏକ ଫଙ୍କ୍ସନ ଥିଲା । ସେଥିରେ ସେ ନୃତ୍ୟ କରୁଥିଲେ । ସେ ଆଦୌ ଜାଣି ନ ଥିଲେ ଯେ ତାଙ୍କୁ କେହି ଜଣେ ଦେଖୁଛନ୍ତି । କିଛି ଦିନ ପରେ ତାଙ୍କ ଘରକୁ ଧୀରୁଭାଇ ଫୋନ୍ କରିଥିଲେ । ତାଙ୍କୁ ଲାଗିଥିଲା କେହି ତାଙ୍କ ସହ ଥଟ୍ଟା କରୁଛି । ପୁଣି କିଛି ଦିନ ପରେ ଫୋନ୍ ଆସିଲା । ଏହା ଶୁଣି ନୀତା ରାଗିଉଠି ମୁଁ ଏଲିଜାବେଥ୍ କହୁଛି କହି ଫୋନ୍ ରଖିଦେଇଥିଲେ । ତୃତୀୟ ଥର ଯେତେବେଳେ କଲ୍ ଆସିଥିଲା ସେତେବେଳେ ନୀତାଙ୍କ ପିତା ଉଠାଇଥିଲେ । ଧୀରୁଭାଇ ଫୋନ୍ କରିଥିବା ନୀତାଙ୍କୁ କହିଥିଲେ । ତା’ ପରେ ଧୀରୁଭାଇ ନୀତାଙ୍କୁ ତାଙ୍କ ଅଫିସକୁ ଡକାଇଥିଲେ । ଅଫିସରେ ଯେତେବେଳେ ନୀତା ପହଞ୍ଚିଲେ ଭୟରେ ଥରୁଥିଲେ । ନର୍ଭସ ବି ଥିଲେ । କିନ୍ତୁ ଧୀରୁଭାଇ ତାଙ୍କ ସହ ବହୁ ଭଲରେ କଥା ହେଲେ । ନୀତା ସେତେବେଳେ ଜାଣିଲେ ଧୀରୁଭାଇ ବହୁତ ଭଲ ଲୋକ । ଏହା ପରେ ନୀତାଙ୍କ ପରିବାର ଲୋକଙ୍କୁ ଧୀରୁଭାଇ ତାଙ୍କ ଘରକୁ ଡିନର ପାଇଁ ଡକାଇଥିଲେ । ସେଠାରେ ସେ ନୀତାଙ୍କୁ ବୋହୂ କରିବେ ବୋଲି କହିଥିଲେ । ଏହା ପରେ କିଛି ଦିନ ନୀତା-ମୁକେଶଙ୍କ ପ୍ରେମ ସମ୍ପର୍କ ଚାଲିଥିଲା । ପରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।