ବୁଢ଼ାବଳଙ୍ଗ ନଦୀବନ୍ଧର ସ୍ଥିତି ସମୀକ୍ଷା କଲେ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ
ବାଲେଶ୍ବର(ସରୋଜ ପଣ୍ଡା): ବିଭିନ୍ନ ସମୟରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁ ବୁଢ଼ାବଳଙ୍ଗ ନଦୀ ତଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ସ୍ଥାୟୀ ସମାଧାନ ତଥା ନଦୀତଟବର୍ତ୍ତୀ ଅଞ୍ଚଳର ଲୋକଙ୍କ ଧନଜୀବନର ସୁରକ୍ଷା ନିମନ୍ତେ ସୋମବାର ସକାଳ ୧୧ ଘଟିକା ସମୟରେ ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ନଦୀବନ୍ଧର ବିଭିନ୍ନ ସ୍ଥାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ସମୀକ୍ଷା ସମୟରେ ଜଳସେଚନ ବିଭାଗର ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଭଗବାନ ଦାସ, ଅତିରିକ୍ତ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ମଲ୍ଲିକ, ମୁଖ୍ୟ ଯନ୍ତ୍ରୀ ଶ୍ରୀ ଅସିତ କୁମାର ମହାନ୍ତି, ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀମତୀ ସରିତା ଜେନା ଏବଂ କନିଷ୍ଠ ଯନ୍ତ୍ରୀ ଶ୍ରୀ ସତ୍ୟ ନାରାୟଣ ପଟ୍ଟନାୟକଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ସମୀକ୍ଷା ପରେ ବିଧାୟକ ଶ୍ରୀ ଦାସ ତୁରନ୍ତ ନଦୀବନ୍ଧର ସମ୍ପୂର୍ଣ୍ଣ ସର୍ଭେ କରାଯାଇ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (DPR) ପ୍ରସ୍ତୁତ କରିବା ସହ ଆବଶ୍ୟକ ସ୍ଥାନରେ ନଦୀବନ୍ଧର ମରାମତି ଓ ସୁଦୃଢ଼ୀକରଣ କାର୍ଯ୍ୟ ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବର୍ଷା ଓ ବନ୍ୟା ସମୟରେ ନଦୀତଟବର୍ତ୍ତୀ ଅଞ୍ଚଳର ଲୋକମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପ୍ରତି ସରକାର ଓ ପ୍ରଶାସନ ସଜାଗ ରହିବା ସହ ନଦୀବନ୍ଧର ସୁରକ୍ଷା ଓ ସ୍ଥାୟୀ ସମାଧାନ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ଗୁରୁତ୍ୱାରୋପ କରାଯାଇଥିଲା।


