ଏୟାର ଇଣ୍ଡିଆ ବିକ୍ରି ବିରୋଧରେ କୋର୍ଟ ଯିବେ ସୁବ୍ରମଣ୍ୟମ ସ୍ବାମୀ
ନୂଆଦିଲ୍ଲୀ : ସରକାରୀ ବିମାନ ଚଳାଚଳ କମ୍ପାନୀ ଏୟାର ଇଣ୍ଡିଆର ବିକ୍ରିକୁ ବିରୋଧୀ ଦଳଙ୍କ ପକ୍ଷରୁ ବିରୋଧ କରାଯାଇଥିବାବେଳେ ଏଥିରେ ସାମିଲ ହୋଇଛନ୍ତି ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ । ସରକାରଙ୍କ ପକ୍ଷରୁ ଏୟାର ଇଣ୍ଡିଆର ୧୦୦ ପ୍ରତିଶତ ବିକ୍ରୟ ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା ବିରୋଧରେ କୋର୍ଟ ଯିବାକୁ ନିଷ୍ପତ୍ତି ନେଇଛନ୍ତି ସ୍ବାମୀ । ସରକାରଙ୍କ ଏହି ପ୍ରକ୍ରିୟାକୁ ଦେଶ ବିରୋଧୀ ବୋଲି ଅଭିହିତ କରିଛନ୍ତି । ଯଦି ସରକାର ଏହି ନିଷ୍ପତ୍ତି ପରିବର୍ତ୍ତନ ନକରନ୍ତି ତେବେ ମୁଁ କୋର୍ଟ ଯିବାକୁ ବାଧ୍ୟ ହେବି ବୋଲି ସ୍ବାମୀ କହିଛନ୍ତି । ଦେଶ ହେଉଛି ଏକ ପରିବାର ଏବଂ ଆପଣ ପାରିବାରିକ ସମ୍ପତ୍ତି ବିକ୍ରୟ କରିପାରିବେ ନାହିଁ ବୋଲି ସ୍ବାମୀ ମତ ରଖିଛନ୍ତି । ମାର୍ଚ୍ଚ ୧୭ ସୁଦ୍ଧା ଆଶାୟୀ କମ୍ପାନୀ ଗୁଡିକ ଆବେଦନ କରିବା ପାଇଁ ସୋମବାର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।


