ଗଜପତିରେ ଶିଶୁ ଶ୍ରମିକ ସୁରକ୍ଷାକୁ ନେଇ କର୍ମଶାଳା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)- ପାରଳାଖେମୁଣ୍ଡି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭାଗୃହଠାରେ ରାଜ୍ୟ ମୁଖ୍ୟତଃ ଶିଶୁ ଶ୍ରମିକ ଏବଂ ପରୀକ୍ଷା ସମୟରେ ଶିଶୁମାନଙ୍କର ମାନସିକ ଚାପକୁ କିଭଳି ହ୍ରାସ କରାଯିବ ତାକୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧ୍ୟକ୍ଷ ସନ୍ଧ୍ୟାବତୀ ପ୍ରଧାନ, ସଭ୍ୟା ଗୀତାଞ୍ଜଳୀ ବସ୍ତିଆ, ହରିହର ନାୟକ ପ୍ରମୁଖ ଯୋଗଦେଇ ଜିଲାରେ ଶିଶୁ ଶ୍ରମିକ ପ୍ରଥା କିପରି ସମ୍ପୂର୍ଣ୍ଣ ବନ୍ଦ ହେବ ସେ ଉପରେ ଆଲୋଚନା କରିଥିଲେ । ଏହି କର୍ମଶାଳାରେ ମୁଖ୍ୟତଃ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଉଥିବା ଶିଶୁମାନେ ଯେପରିଭାବେ ମାନସିକ ଚାପରେ ରହିଥାନ୍ତି ସେମାନଙ୍କ ଚାପ ହ୍ରାସ କରିବାପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ୨୫ଗୋଟି ମନ୍ତ୍ରକୁ ଶିଶୁମାନଙ୍କ ନିକଟରେ ପହଞ୍ଚାଇବା ଆବଶ୍ୟକ ବୋଲି କୁହାଯାଇଥିଲା । ସେହିପରି ଶିଶୁ ଶ୍ରମିକ ନିଷେଧ ଆଇନକୁ କଡାକଡି ଭାବେ ପାଳନକରି ଶିଶୁ ଶ୍ରମିକ ପ୍ରଥା ବନ୍ଦ କରିବା ଆବଶ୍ୟକ ବୋଲି କୁହାଯାଇଥିଲା । ସେହିପରି ଭାବେ ଯେଉଁମାନେ ଶିଶୁମାନଙ୍କୁ ଶ୍ରମିକ ଭାବେ ବ୍ୟବହାର କରୁଛନ୍ତି ସେମାନଙ୍କ ବିରୁଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ସେ ବିଷୟରେ ମଧ୍ୟ କୁହାଯାଇଥିଲା । ତେଣୁ ଶିଶୁ ଶ୍ରମିକ ପ୍ରଥା ରୋକିବାପାଇଁ ଜିଲା ବ୍ୟାପୀ ପ୍ରଚାର ପ୍ରସାର କରାଯିବା ସହ ଏଥିପାଇଁ ସାଧାରଣ ଲୋକଙ୍କୁ ସଚେତନ କରାଇବା ଆବଶ୍ୟକ ବୋଲି କୁହାଯାଇଥିଲା । ଶିଶୁ ଶ୍ରମିକ ରୋକିବାପାଇଁ ଜିଲା ଶ୍ରମ ଅଧିକାରୀଙ୍କୁ ସମସ୍ତ ବିଭାଗ ସହାୟତା କରିବା ଆବଶ୍ୟକ ବୋଲି ଏହି କର୍ମଶାଳାରେ କୁହାଯାଇଥିଲା । ସେହିପରି କାର୍ଯ୍ୟକ୍ରମରେ ଜିଲାପାଳ ଅନୁପମ ସାହା ଯୋଗଦେଇ ଶିଶୁମାନେ ପରୀକ୍ଷା ସମୟରେ କିପରି ମାତ୍ରାଧିକ ମାନସିକ ଚାପରେ ରହିଥାନ୍ତି ଏବଂ ତାକୁ ନିୟନ୍ତ୍ରଣ କରିବାପାଇଁ ଅଭିଭାବକ ଏବଂ ଶିକ୍ଷକମାନେ କେଉଁ ସବୁ ଦିଗ ପ୍ରତି ଧ୍ୟାନଦେବା ଆବଶ୍ୟକ ସେ ବିଷୟରେ ନିଜର ମତ ଉପସ୍ଥାପନ କରିଥିଲେ । ମୁଖ୍ୟତଃ ଉଭୟ କ୍ଷେତ୍ରରେ ଜନ ସଚେତନତା ଆବଶ୍ୟକ ବୋଲି ବିଭିନ୍ନ ଅତିଥି ନିଜ ନିଜର ବକ୍ତବ୍ୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲାପରିଷଦ ଅଧ୍ୟକ୍ଷା ଅନୀତା ରାଣୀ ବେହେରା, ଜିଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା, ଜିଲା ଆଇନସେବା ପ୍ରାଧିକରଣ ସମ୍ପାଦିକା ଶୁଭଶ୍ରୀ ପ୍ରଧାନ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ଜିଲା ଶିକ୍ଷାଧିକାରୀ ପ୍ରଦୀପ ନାଗ, ଜିଲା ଶିଶୁ ସୁରକ୍ଷା ସମିତି ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳ ପ୍ରମୁଖ ଉପସ୍ଥିତଥିଲେ ।


