୫ ବର୍ଷରେ ୫୨% ବଢ଼ିଛି ମୋଦିଙ୍କ ସମ୍ପତ୍ତି
ବାରାଣାସୀ(ଏଜେନ୍ସି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପତ୍ତି ଗତ ୫ବର୍ଷ ମଧ୍ୟରେ ୫୨% ବୃଦ୍ଧି ପାଇଛି । ଶୁକ୍ରବାର ବାରାଣାସୀରେ ନାମାଙ୍କନ ପତ୍ର ଦାଖଲ ସମୟରେ ମୋଦି ଦେଇଥିବା ସତ୍ୟପାଠରୁ ଏସମ୍ପର୍କରେ ସୂଚନା ମିଳିଛି । ସତ୍ୟପାଠରେ ମୋଦି ଦର୍ଶାଇଛନ୍ତି ଯେ, ତାଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୨.୫୧ କୋଟି । ତାଙ୍କ ପାଖରେ ୧,୪୧,୩୬,୧୧୯ ଟଙ୍କାର ଅସ୍ଥାବର ଓ ୧.୧୦ କୋଟି ଟଙ୍କା ମୂଲ୍ୟର ସ୍ଥାବର ସମ୍ପତ୍ତି ରହିଛି । ମୋଦିଙ୍କ ଅସ୍ଥାବର ସମ୍ପତ୍ତିର ସିଂହ ଭାଗ ଅର୍ଥାତ୍ ୧.୨୭ କୋଟି ଟଙ୍କା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଫିକ୍ସଡ୍ ଡିପୋଜିଟ୍ ଭାବେ ରହିଛି । ୨ଠ୧୪ରେ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କ ସମ୍ପତ୍ତି ପରିମାଣ ଯାହା ଥିôଲା ୨ଠ୧୯ ସୁଦ୍ଧା ଉକ୍ତ ସମ୍ପତ୍ତି ୫୨% ବୃଦ୍ଧି ପାଇବା ସମ୍ପର୍କରେ ଜଣାପଡିବା ପରେ ଦେଶବ୍ୟାପୀ ଏକ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି । ଅନ୍ୟପକ୍ଷେ ଦେଖିବାକୁ ଗଲେ ୨ଠ୧୪ରେ ମୋଦିଙ୍କ ପାଖରେ ଯେତିକି ପରିମାଣର ସ୍ଥାବର ସମ୍ପତ୍ତି ଥିଲା ୨ଠ୧୯ ବେଳକୁ ଏଥିରେ ୧୧୪.୧୫% ବୃଦ୍ଧି ଘଟିଛି । ୨ଠ୧୪ରେ ମୋଦିଙ୍କ ପାଖରେ ୬୫.୯୧ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ରହିଥିବା ବେଳେ ମୋଦିଙ୍କ ଆୟର ଏକ ମାତ୍ର ମୁଖ୍ୟ ଉତ୍ସ ଥିଲା ସରକାରୀ ଦରମା ଏବଂ ବ୍ୟାଙ୍କ୍ ଜମାରୁ ମିଳୁଥିବା ସୁଧ । ସୁତରାଂ ସ୍ଥାବର ସମ୍ପତ୍ତିରେ ୧୧୪.୧୫% ବୃଦ୍ଧି ପାଇବା ନିଶ୍ଚିତ ଭାବେ ଦେଶବାସୀଙ୍କ ମନରେ ଏକ କୌତୁହଳ ସୃଷ୍ଟି କରିଛି ।
୨ଠ୧୯ ସାଧାରଣ ନିର୍ବାଚନ ଉପଲକ୍ଷେ ମୋଦି ଦାଖଲ କରିଥିବା ସତ୍ୟପାଠରେ କହିଛନ୍ତି ଯେ, ତାଙ୍କ ନାଁରେ କୌଣସି ଅପରାଧିକ ମାମଲା ନାହିଁ । ୨ଠ୧୯ ମାର୍ଚ୍ଚ ୩୧ ସୁଦ୍ଧା ମୋଦିଙ୍କ ପାଖରେ ନଗଦ ୩୮,୭୫୦ ଟଙ୍କା ରହିଥିଲା । ମୋଦିଙ୍କ ବ୍ୟାଙ୍କ ଜମା ରାଶିର ପରିମାଣ ମାତ୍ର ୪,୧୪୩ ଟଙ୍କା । କିନ୍ତୁ ଫିକ୍ସଡ୍ ଜମାର ପରିମାଣ ୧.୨୭ କୋଟି । ୨ଠ୧୪ରେ ମୋଦିଙ୍କ ପାଖରେ ନଗଦ ୩୨,୭୦୦ ଟଙ୍କା, ବ୍ୟାଙ୍କ ଜମାର ପରିମାଣ ୨୬.୦୫ ଲକ୍ଷ ଓ ଫିକ୍ସଡ୍ ଜମା ରାଶିର ପରିମାଣ ୩୨.୪୮ ଲକ୍ଷ ରହିଥିଲା । ଏତଦ୍ବ୍ୟତୀତ ମୋଦି ଏବେ ୨ଠହଜାର ଏଲ୍ ଆଣ୍ଡ ଟି ଇନଫ୍ରାଷ୍ଟ୍ରକଚରରେ ବଣ୍ଡ୍ ବାବଦକୁ ପୁଞ୍ଜି ନିବେଶ କରିଛନ୍ତି । ନ୍ୟାଶନାଲ ସେଭିଂସ ସାର୍ଟିଫିକେଟ୍ ଜରିଆରେ ମୋଦି ୭.୬୧ ଲକ୍ଷ ଓ ଜୀବନ ବୀମା ବାବଦକୁ ୧.୯୦ ଲକ୍ଷ ଟଙ୍କା ନିବେଶ କରିଛନ୍ତି । ମୋଦିଙ୍କ ପାଖରେ ୪୫ ଗ୍ରାମ ଓଜନର ୪ଟି ସୁନା ମୁଦି ରହିଛି । ଏହାର ବଜାର ମୂଲ୍ୟ ୧.୩୫ ଲକ୍ଷ ହେବ । ସେହିପରି ଗାନ୍ଧିନଗରର ସେକ୍ଟର ୧ରେ ମୋଦିଙ୍କ ନାଁରେ ଏକ ଘର ରହିଛି । ମୋଦି ୧୯୭୮ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ୍ ଏବଂ ୧୯୩ରେ ଅହମଦାବାଦର ଗୁଜରାଟ ବିଶ୍ୱବିଦ୍ୟାଳୟରୁ ପୋଷ୍ଟ ଗ୍ରାଜୁଏସନ୍ କରିଛନ୍ତି ବୋଲି ନିଜ ସତ୍ୟପାଠରେ ଦର୍ଶାଇଛନ୍ତି ।


