ଜଲିଉଡ଼ ଚନ୍ଦନ ଆୱାର୍ଡ଼ ସମ୍ମାନ ଉତ୍ସବ ଉଦ୍‌ଯାପିତ

ଭୁବନେଶ୍ୱର : ଆଠଦିନ ବ୍ୟାପୀ ଗୀତଗୋବିନ୍ଦ ସଦନରେ ପ୍ରଥମଥର ପାଇଁ ଯାତ୍ରା ଜଗତର କଳାକାରମାନଙ୍କୁ ନେଇ ଆୟୋଜିତ ଜଲିଉଡ଼ ଚନ୍ଦନ ଆୱାର୍ଡ଼ ଉତ୍ସବ ଆଜି ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ୧୦୦ରୁ ଉର୍ଦ୍ଧ୍ୱ କଳାକାରମାନଙ୍କୁ ଚନ୍ଦନ ଆୱାର୍ଡ଼ ପ୍ରଦାନ କରାଯାଇଥିବା ବେଳେ ୫୦୦ରୁ ଉର୍ଦ୍ଧ୍ୱ କଳାକାର ଏଥିରେ ଅଂଶଗ୍ରହଣ କରିଥିଲେ । ପ୍ରତିଦିନ ନୃତ୍ୟ, ଗୀତ, ସଂଳାପ, ଅଭିନୟର ମାହୋଲ ଦର୍ଶକମାନଙ୍କୁ ମନୋରଞ୍ଜନର ଯଥେଷ୍ଟ ଖୋରାକ ଯୋଗାଉଥିଲା । ଏହାରା ଉଦ୍‌ଯାପନ ଉତ୍ସବରେ ଆମେରିକା ଗ୍ରୀନ୍ ବ୍ଲୁ ଫ୍ୟାମିଲ୍‌ର ଅଧ୍ୟକ୍ଷା ସେନ୍‌ସା, ୱି ଫର୍ ଗ୍ରୀନ୍ ବ୍ଲୁ ଅନୁଷ୍ଠାନର ସେକ୍ରେଟାରୀ ଜେନେରାଲ ନେସେରିନ୍‌, ପୂର୍ବତନ ମନ୍ତ୍ରୀ ଡଃ ଦେବେନ୍ଦ୍ର ନାଥ ମାନସିଂହ, ଡଃ ପ୍ରସନ୍ନ ପାଟ୍ଟଶାଣୀ, ବୀର ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ, ପ୍ରଫେସର ଶଶାଙ୍କ ଚୁଡ଼ାମଣି, ଚିନ୍ତା ଚେତନାର ରାଷ୍ଟ୍ରୀୟ ସମ୍ପାଦକ ସୁରେନ୍ଦ୍ର ଦାସ, ପ୍ରଫେସର ଡଃ ଅଜୟ ସ୍ୱାଇଁ, ଡଃ ଜଗମୋହନ ପଟ୍ଟନାୟକ, ବିଶିଷ୍ଟ ସମାଜସେବୀ ସନତ ଦାସ ପ୍ରମୁଖ ଯୋଗଦେଇ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଏହି ମଞ୍ଚ ଅପେରା କଳାକାରମାନଙ୍କୁ ସ୍ୱୀକୃତି ଦେବାରେ ଏକ ପ୍ରକୃଷ୍ଟ ଅନୁଷ୍ଠାନ ବୋଲି କହିଥିଲେ । ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମିର କମାଣ୍ଡର ଇନ୍ ଚିଫ୍ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ଏଥିରେ ସଭାପତିତ୍ୱ କରି କହିଲେ ଆଗାମୀ ଦିନରେ କଳାକାରମାନଙ୍କ ପରିଚିତି ଦର୍ପଣ ନାମକ ଏକ ପୁସ୍ତକ ପ୍ରକାଶ କରାଯିବ । ଏଥିସହିତ ଭୁବନେଶ୍ୱରରେ କଳାକାରମାନଙ୍କ ରହଣି ପାଇଁ ଏକ ସରକାରୀ ବାସଭବନ ଓ ଗୃହ ନିର୍ମାଣ ପାଇଁ ସରକାରୀ ଜାଗା ଯୋଗାଇ ଦେବାକୁ ଅନୁଷ୍ଠାନ ପକ୍ଷରୁ ଉଦ୍ୟମ କରାଯିବ । ଏଥିସହିତ ଚଳଚ୍ଚିତ୍ର ଓ ସିରିଏଲ ଜଗତର କଳାକାରମାନଙ୍କ ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ଯେପରି ସମ୍ମାନ ପ୍ରଦାନ ଉତ୍ସବ ଆୟୋଜନ କରଯାଉଛି, ଅନୁରୂପ ଭାବରେ ଅପେରା କଳାକାରମାନଙ୍କ ପାଇଁ ସମ୍ମାନ ପ୍ରଦାନ ଉତ୍ସବ ଆୟୋଜନ ପାଇଁ ସରକାରଙ୍କ ନିକଟରେ ମଧ୍ୟ ଦାବି କରାଯିବ । ଏହି ଅବସରରେ ପ୍ରତ୍ୟେକ କଳାକାରଙ୍କୁ ଗୋଟିଏ ଗୋଟିଏ ଗଛ ଚାରା ବଣ୍ଟନ କରାଯାଇଥିଲା ଓ ସେମାନେ ଯେଉଁ ଅଞ୍ଚଳକୁ ନାଟକ ପ୍ରଦର୍ଶନ କରିବାକୁ ଯିବେ, ସେଠାରେ ଥିବା ସ୍କୁଲ୍‌, କଲେଜ, କ୍ଲବ, ମନ୍ଦିର ପରିସରରେ ବୃକ୍ଷ ରୋପଣ ପାଇଁ ଅନୁରୋଧ କରାଯାଇଥିଲା । ଶେଷରେ ୫୦୦ କଳାକାର ଗ୍ରୀନ୍ ଆର୍ମିରେ ଯୋଗ ଦେବା ସହ ଆଜୀବନ ସଦସ୍ୟ ରହିବା ପାଇଁ ଶପଥ ଗ୍ରହଣ କରିଥିଲେ । ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ କୃତୀ ପାଇଁ ଅସମାପିକା ସାହୁ, କେଶବ ରାଉତ, ବିଶ୍ୱଜିତ୍ ଦାସ ଓ କିଷନ କୁମାରଙ୍କୁ ସମ୍ମାନିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ