ଓଡ଼ିଶାରେ କମୁଛି ପାରିବାରିକ ଖର୍ଚ୍ଚ

ଭୁବନେଶ୍ବର : ଖର୍ଚ୍ଚ ବଢ଼ିଲେ ଅର୍ଥନୈତିକ କାର୍ଯ୍ୟକଳାପ ବଢ଼ିଥାଏ। କିନ୍ତୁ ଓଡ଼ିଶାରେ ପାରିବାରିକ ଖର୍ଚ୍ଚ ହ୍ରାସ ପାଇଛି। ସଦ୍ୟ ପ୍ରକାଶିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ଯେ ଓଡ଼ିଶାରେ ପାରିବାରିକ ଖର୍ଚ୍ଚ ବଢ଼ୁନି ବରଂ କମିବାରେ ଲାଗିଛି। ନାବାର୍ଡର ସର୍ବଭାରତୀୟ ଗ୍ରାମାଞ୍ଚଳ ଆର୍ଥିକ ଇନକ୍ଲୁସିଭନେସ ସର୍ଭେ ୨୦୧୬-୧୭ ଅନୁଯାୟୀ ରାଜ୍ୟରେ ଗୋଟିଏ ପରିବାର ମାସିକ ହାରାହାରି ୫,୬୧୩ ଟଙ୍କା ଖର୍ଚ୍ଚ କରୁଛି। ଏହି ଭାବରେ ଦେଖିଲେ ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ତଳ ଆଡ଼ୁ ଚତୁର୍ଥ ସ୍ଥାନରେ ରହିଛି।
ପ୍ରାପ୍ତ ତଥ୍ୟ ଅନୁଯାୟୀ, ଜାତୀୟ ସ୍ତରରେ ଏହି ପାରିବାରିକ ଖର୍ଚ୍ଚ ୬୬୪୨ ଟଙ୍କା ଥିବାବେଳେ ଆମ ରାଜ୍ୟରେ ୫୬୧୩ ଟଙ୍କା ରହିଛି। ଓଡ଼ିଶା ତଳକୁ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼ ରହିଛି। ଝାଡ଼ଖଣ୍ଡରେ ପାରିବାରିକ ଖର୍ଚ୍ଚ ମାସିକ ହାରାହାରି ୫୫୪୪ ଟଙ୍କା ଓ ଛତିଶଗଡ଼ରେ ୫୬୦୭ ଟଙ୍କା ଥିବା ଏହି ରିପୋର୍ଟ ସୂଚିତ କରାଇଛି। ଖର୍ଚ୍ଚ ଦୃଷ୍ଟିରୁ ସବୁଠୁ ଆଗରେ ରହିଛି ପଞ୍ଜାବ। ପଞ୍ଜାବର ଗୋଟିଏ ପରିବାର ମାସିକ ହାରାହାରି ୧୧,୭୦୭ ଟଙ୍କା ଖର୍ଚ୍ଚ କରୁଛି। ପଞ୍ଜାବ ପଛକୁ କେରଳ, ହରିୟାଣା ଓ ଗୁଜରାଟ ରହିଛି। ଓଡ଼ିଶା ପ୍ରମୁଖ ରାଜ୍ୟମାନଙ୍କ ମଧ୍ୟରେ ତଳଆଡ଼ୁ ଚତୁର୍ଥ ସ୍ଥାନରେ ଥିବା ବେଳେ ଗୁଜରାଟ ପ୍ରମୁଖ ଖର୍ଚ୍ଚ କରୁଥିବା ଟପ୍‌ ରାଜ୍ୟମାନଙ୍କ ମଧ୍ୟରେ ୩ଟି ରାଜ୍ୟ ତଳକୁ ରହିଛି। କେରଳରେ ଗୋଟିଏ ପରିବାର ମାସିକ ହାରାହାରି ୧୧,୧୫୬ ଟଙ୍କା ଖର୍ଚ୍ଚ ପାଇଁ ସକ୍ଷମ ହେଉଥିବା ବେଳେ ହରିୟାଣାର ପରିବାର ୮,୬୪୬ ଟଙ୍କା ଓ ଗୁଜରାଟର ଗୋଟିଏ ପରିବାର ୭,୪୯୦ ଟଙ୍କା ଯାଏ ଖର୍ଚ୍ଚ କରିଥାନ୍ତି। ଗୁଜରାଟ ପଛକୁ ରହିଛି ତାମିଲନାଡ଼ୁ, ରାଜସ୍ଥାନ, କର୍ଣ୍ଣାଟକ, ମହାରାଷ୍ଟ୍ର, ବିହାର, ଉତ୍ତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ ଓ ମଧ୍ୟ ପ୍ରଦେଶ ତା ପଛକୁ ପଛ ଅଛନ୍ତି।
୨୦୦୪-୦୫ରେ ରାଜ୍ୟର ଗ୍ରାମାଞ୍ଚଳରେ ଗୋଟିଏ ପରିବାର ତାଙ୍କ ଖର୍ଚ୍ଚର ୬୧.୫୬ ପ୍ରତିଶତ ଖାଦ୍ୟରେ ଖର୍ଚ୍ଚ କରୁଥିବା ବେଳେ ୨୦୧୧-୧୨ରେ ଏହା ୫୨.୯୭ ପ୍ରତିଶତକୁ କମିଛି। ଏହି କାରଣରୁ କୁହାଯାଉଛି ଯେ ଲୋକଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଘଟିଲେ ସେମାନଙ୍କର ଖାଦ୍ୟ ବାବଦ ଖର୍ଚ୍ଚ ହ୍ରାସ ପାଇଥାଏ। ସହରାଞ୍ଚଳରେ ଗୋଟିଏ ପରିବାରର ହାରାହାରି ଖାଦ୍ୟ ବାବଦ ଖର୍ଚ୍ଚ ମୋଟ ଖର୍ଚ୍ଚର ୪୯.୯୩ ପ୍ରତିଶତ ଥିବାବେଳେ ୨୦୧୧-୧୨ରେ ଏହା ୩୯.୨୬ ପ୍ରତିଶତକୁ କମିଆସିଛି। ଏହି ଆଧାରରେ ରାଜ୍ୟର ଲୋକମାନଙ୍କ ସ୍ଥିତିରେ ଉନ୍ନତି ଆସୁଥିବା ଯୁକ୍ତିକୁ ସମର୍ଥନ କରିବା ଭଳି ତଥ୍ୟ ଉପସ୍ଥାପିତ କରାଯାଇଛି।
ସେହିଭଳି ରାଜ୍ୟ ବଜେଟ୍‌ର ଗୋଟିଏ ଦିନ ପୂର୍ବରୁ ବିଧାନସଭାରେ ସୋମବାର ୨୦୧୯-୨୦ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି। ରିପୋର୍ଟରେ ରାଜ୍ୟର ଅଭିବୃଦ୍ଧି ହାର ଗତବର୍ଷ ତୁଳନାରେ କମିଥିବା କୁହାଯାଇଛି। ଚଳିତ ବର୍ଷ ଅଭିବୃଦ୍ଧି ହାର ୬.୧୬ ପ୍ରତିଶତ ରହିବ କିନ୍ତୁ ୨୦୧୮-୧୯ ବର୍ଷରେ ରାଜ୍ୟ ଅଭିବୃଦ୍ଧି ହାର ୭.୯୦ ପ୍ରତିଶତ ଥିଲା। ବାତ୍ୟା ଯୋଗୁ କୃଷି ଉତ୍ପାଦନ ହ୍ରାସ ଓ ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ଯୋଗୁଁ ଖଣି ଖାଦାନରେ କମ୍‌ ଉତ୍ତୋଳନ ଏଭଳି ସ୍ଥିତି ସୃଷ୍ଟି କରିଛି ବୋଲି କୁହାଯାଉଛି। ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ପ୍ରସ୍ତୁତ ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ୨୦୧୯-୨୦ରେ ରାଜ୍ୟର ଜନସାଧାରଣଙ୍କ ମୁଣ୍ଡପିଛା ଆୟ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ବଢ଼ିଥିବା କୁହାଯାଇଛି। ୨୦୧୮-୧୯ରେ ମୁଣ୍ଡପିଛା ଆୟ ୯୫,୧୬୪ ଟଙ୍କା ଥିବାବେଳେ ୨୦୧୯,୨୦ରେ ଏହା ୧ ଲକ୍ଷ ୧ ହଜାର ୫୮୭ ଟଙ୍କା ହୋଇଛି। ଓଡ଼ିଶାର ଗ୍ରାମାଞ୍ଚଳରେ ଖାଦ୍ୟ ସାମଗ୍ରୀ, ତୈଳ ଓ ଆଲୁଅ ମୁଦ୍ରାସ୍ଫୀତିକୁ ପ୍ରଭାବିତ କରୁଥିବା ବେଳେ ସହରାଞ୍ଚଳରେ ଗୃହନିର୍ମାଣ ଓ ଖାଦ୍ୟସାମଗ୍ରୀ ଏହାକୁ ପ୍ରଭାବିତ କରୁଛି। ଓଡ଼ିଶା କ୍ରମାଗତ ଭାବେ ଅର୍ଥକରୀ ଫସଲ ଆଡ଼କୁ ମୁହାଁଇଛି। ପନିପରିବା, ଫଳ, ତୈଳବୀଜ ଓ ଡାଲି ଜାତୀୟ ଫସଲ ଅଞ୍ଚଳ ବଢ଼ିଛି। ସେହିଭଳି ଦୁଗ୍ଧ ଓ ମାଛ ମାଂସର ଉତ୍ପାଦନ ବଢ଼ିଛି। ୨୦୧୪-୧୫ରୁ ୨୦୧୮-୧୯ ମଧ୍ୟରେ ୨୧ ଲକ୍ଷ ୭୬ ହଜାର ପକ୍କା ଘର ନିର୍ମାଣ କରାଯାଇଥିବା ଏହି ରିପୋର୍ଟରେ କୁହାଯାଇଛି। ୨୦୧୬ରେ ଆରମ୍ଭ କରାଯାଇଥିବା ‘ମେକ୍‌ ଇନ ଓଡ଼ିଶା କନ୍‌କ୍ଲେଭ’ରେ ପୁଞ୍ଜିନିବେଶ ପାଇଁ ଆକୃଷ୍ଟ କରାଯାଇଥିବା ବେଳେ ଟ୍ୟାପ ମାଧ୍ୟମରେ ପାନୀୟ ଜଳ ସହାୟତାରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳକୁ ପାନୀୟ ଜଳ ଯୋଗାଇଦେବା ବ୍ୟବସ୍ଥା ରହିଛି। ସେହିପରି ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ୭.୯ ପ୍ରତିଶତ ଅଭିବୃଦ୍ଧି ହୋଇଥିବାବେଳେ ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧି ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି।
ପ୍ରମୁଖ ଖାଦ୍ୟ ଗୁଡ଼ିକ ମଧ୍ୟରୁ ହରିୟାଣାର ନଗରାଞ୍ଚଳ ୨୦୦୩ରେ ପାରିବାରିକ ଖର୍ଚ୍ଚ କରିବା ଦୃଷ୍ଟିରୁ ଚତୁର୍ଥ ସ୍ଥାନରେ ଥିବାବେଳେ ୨୦୧୧-୧୨ରେ ଏହା ୧ ନମ୍ବର ସ୍ଥାନରେ ପହଞ୍ଚିଥିଲା। ୨୦୦୩ରେ କେରଳର ନଗରାଞ୍ଚଳ ଟପ୍‌ ୧ରେ ଥିବାବେଳେ ୨୦୧୨ରେ ଏହା ଦ୍ବିତୀୟ ସ୍ଥାନକୁ ଖସି ଆସିଥିଲା। ନ୍ୟାସନାଲ ସାମ୍ପଲ ସର୍ଭେ ସୂତ୍ରରୁ ପାରିବାରିକ ଖର୍ଚ୍ଚ ବାବଦରେ ମିଳିଥିବା ତଥ୍ୟ ଓଡ଼ିଶା ପାଇଁ ମଧ୍ୟ ଉତ୍ସାହଜନକ ନୁହେଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ