ବିଜେଡିର କଟକ ଚୌଦ୍ୱାର ନିର୍ବାଚନମଣ୍ଡଳୀ: ଗଡ଼ ରକ୍ଷା କରିବାକୁ ବୈଠକ

କଟକ, (ଓ୍ବାଇଏନଏସ): କଟକ ଚୌଦ୍ୱାର ନିର୍ବାଚନମଣ୍ଡଳୀ ବିଜେଡିର ମୁଣ୍ଡବିନ୍ଧାର କାରଣ ସାଜିଛି। ସଂଗଠନ ସଜାଡ଼ିବାକୁ କଟକରେ ବିଜୁ ଜନତା ଦଳ ପକ୍ଷରୁ ଚାଲିଛି ଘନଘନ ବୈଠକ । ଦଳର ସଂଗଠନକୁ କିଭଳି ୱାର୍ଡସ୍ତରରେ ମଜଭୁତ କରାଯିବ ସେ ନେଇ ଅଣ୍ଟା ଭିଡ଼ିଛନ୍ତି ଦଳର ବରିଷ୍ଠ ନେତା । ଏନେଇ ଗତକାଲି କଟକ ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂଙ୍କ ନେତୃତ୍ବରେ କଟକ ଦୋଳମୁଣ୍ଡାଇସ୍ଥିତ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଚର୍ଚ୍ଚାରେ ରହିଛି କଟକ-ଚୌଦ୍ୱାର ନିର୍ବାଚନମଣ୍ଡଳୀ। ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ପରେ କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ବାଳଙ୍କୁ ଦଳରୁ ନିଲମ୍ବିତ କରିଛି ବିଜେଡି। ଏହା ପୂର୍ବରୁ କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ଵାଳଙ୍କୁ ଦଳ ବହିଷ୍କୃତ କରିଥିଲା। ଆଉ ସେହି ଦିନଠାରୁ ନିର୍ବାଚନମଣ୍ଡଳୀରେ ବିଜେଡି ଦୁର୍ବଳ ହେବାରେ ଲାଗିଛି। ଯାହାକି ଦଳ ପାଇଁ ଚିନ୍ତାର ବିଷୟ ହୋଇଛି। ଏହାକୁ ଦୃଷ୍ଟିରେ ରଖି କଟକ-ଚୌଦ୍ୱାର ନିର୍ବାଚନମଣ୍ଡଳୀରେ ବିଜେଡିକୁ ସଂଗଠିତ କରି ରଖିବା ପାଇଁ ଘନ ଘନ ସମୀକ୍ଷା ବୈଠକ ହେଉଛି। ଗତକାଲି କଟକ ଦୋଳମୁଣ୍ଡାଇସ୍ଥିତ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ହୋଇଥିଲା। ଆଗାମୀ ସିଏମ୍‌ସି ନିର୍ବାଚନରେ ଦଳ କେମିତି ତୃଣମୂଳସ୍ତରରେ ଭଲ ପ୍ରଦର୍ଶନ କରିବେ ସେ ନେଇ କର୍ମୀମାନଙ୍କ ସହିତ ଆଲୋଚନା ହୋଇଛି ।ସମୀକ୍ଷା ବୈଠକରେ ରାଜ୍ୟସଭା ସାଂସଦ ସନ୍ତୃପ୍ତ ମିଶ୍ର ଯୋଗଦେଇ ଦଳ ପ୍ରତି ନିଷ୍ଠାର ସହ କାମ କରିବାକୁ ଉପସ୍ଥିତ କର୍ମୀ ଓ ନେତୃମଣ୍ଡଳୀଙ୍କୁ ଆହ୍ବାନ ଦେଇଥିଲେ। ବର୍ତ୍ତମାନ ଦଳ ବିରୋଧୀ କାର୍ଯ୍ୟ କରି ଯେଉଁମାନେ ନିଲମ୍ବିତ ହେଉଛନ୍ତି କି ଯେଉଁମାନେ ନିଜ ସ୍ୱାର୍ଥ ପାଇଁ ଦଳ ଛାଡ଼ି ଚାଲି ଯାଉଛନ୍ତି ସେମାନଙ୍କ ପାଇଁ ଦଳର କୌଣସି ଅସୁବିଧା ହେବ ନାହିଁ ବୋଲି ସନ୍ତୃପ୍ତ କହିଛନ୍ତି । ତେବେ ଆଗମୀ ଦିନରେ ବିଜୁ ଜନତା ଦଳର କର୍ମୀମାନେ ସଂଗଠନ ସହିତ ରହିବେ ନାଁ ପ୍ରଭାତ ବିଶ୍ଵାଳଙ୍କ ସହ ରହିବେ ତା ଉପରେ ସମସ୍ତଙ୍କର ନିଜର ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ