ମହାଶିବରାତ୍ରୀ : ଜାଗର
ହିନ୍ଦୁଧର୍ମ ବୈଦିକ ଯୁଗରୁ ବହୁ ପୂଜା ପାର୍ବଣର ବ୍ୟବସ୍ଥା ଅଛି । ପ୍ରକୃତି ଉପାସନରୁ ଆରମ୍ଭ କରି ପରବର୍ତ୍ତୀ ସମୟରେ ବହୁ ଦେବ ଦେବୀ ଏହା ମଧ୍ୟରେ ପ୍ରବେଶ କରିଛନ୍ତି । ତେବେ ବର୍ତ୍ତମାନ ମୁଖ୍ୟତଃ ତିନିଶ୍ରେଣୀର ପୂଜା; ବିଷ୍ଣୁ, ଶିବ ଏବଂ ଶକ୍ତିଙ୍କର ବିଶେଷ ଭାବେ ପ୍ରଚଳିତ । ଜାଗର ଉତ୍ସବ ଶିବଙ୍କୁ କେନ୍ଦ୍ରକରି ପାଳିତ ହୁଏ । ଏହି ପର୍ବଟି ସାରା ଭାରତରେ ପାଳିତ ହୁଏ । ବିଶେଷକରି କାଶ୍ମୀରୀ ହିନ୍ଦୁ ପଣ୍ଡିତମାନଙ୍କର ଏହା ମହାନ ପର୍ବ ।
ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିବସରେ ଶିବ ସ୍ୱୟଂ ଜ୍ୟୋତିଲିଙ୍ଗ ରୂପେ ପ୍ରକାଶିତ ହୋଇଥିବାରୁ, ଏ ଦିନଟିକୁ ତାଙ୍କର ଜନ୍ମଦିବସରୂପେ ପାଳନ କରାଯାଏ । ଭିନ୍ନମତେ ଏହି ଦିନ କୁଆଡ଼େ ଶିବ-ପାର୍ବତୀଙ୍କର ବିଭାଘର ହୋଇଥିଲା ବୋଲି ମଧ୍ୟ ଏହାକୁ ଗୁରୁତ୍ୱ ଦେଇ ସମସ୍ତ ବିବାହିତ ଦମ୍ପତ୍ତି ଏହାକୁ ଶିବବ୍ରତ ରୂପେ ପାଳନ କରନ୍ତି ।
ଖାଲି ସେତିକି ନୁହେଁ, ପୁରାଣ ଏବଂ ଶାସ୍ତ୍ରମତେ ଏହି ଦିବସରରେ ଯେଉଁମାନେ ଉପବାସ ପାଳନ ଏବଂ ରାତ୍ର ଜାଗରଣ ପୂର୍ବକ ଶିବ ଉପାସନା ଏବଂ ଆରାଧନା କରନ୍ତି ତାଙ୍କର ସମସ୍ତ ପାପରୁ ମୁକ୍ତ ମିଳେ ବୋଲି ବିଶ୍ୱାସ କରାଯାଏ । ରାତ୍ର ଜାଗରଣ ଏବଂ ପ୍ରଦୀପ ଜ୍ୱଳନ ପୂର୍ବକ ଏହି ଶିବରାତ୍ରଟି ପାଳନ କରାଯାଉଥିବାରୁ ଏହାକୁ ଜାଗର ବୋଲି ନାମିତ କରାଯାଇଛି । ଏହି ଦିନ ଅର୍ଦ୍ଧରାତ୍ରୀରେ ମନ୍ଦିରର ଦଧି ନଉତି ଉପରକୁ ମହାଦୀପ ଉଠିବା ପରେ ଉପାସକମାନେ ଏହାକୁ ଦର୍ଶନ କରି ଉପବାସ ଭଙ୍ଗ କରନ୍ତି । ଏହି ପର୍ବ ସମସ୍ତ ଶିବ ମନ୍ଦିରମାନଙ୍କରେ ଅନୁ୍ଷ୍ଠିତ ହୁଏ । ଏହାକୁ ମହାସମାରୋହରେ ପାଳନ କରାଯାଏ ବୋଲି ଏହା ମହାଶିବରାତ୍ରୀ ନାମେ ଖ୍ୟାତି ।
ଶିବ ହେଉଛନ୍ତି ସକଳ ଅଭୀଷ୍ଟ ପୂରଣକାରୀ ଈଶ୍ୱର । ସକଳ ଦୁଃଖ-ତାପହାରୀ । ସେ ଆନନ୍ଦର ଉତ୍ସ: ଆନନ୍ଦ ଲହାରୀ ଶିବ ହିଁ ସତ୍ୟ ଏବଂ ସୁନ୍ଦର । ଶିବହୀନ ଏ ପିଣ୍ଡ ଜଡ଼ : ଶବ । ଏଣୁ ସେ ଆବାଳବୃଦ୍ଧ ବନିତା ସମସ୍ତଙ୍କର ପୂଜ୍ୟ ।
ତାଙ୍କ ପୂଜନର ମୁଖ୍ୟ ପିଣ୍ଡହିଁ ଲିଙ୍ଗ : ଜ୍ୟୋତିର୍ଲିଙ୍ଗ । ସେ ହେଉଛନ୍ତି ଅକର୍ମରୁ କର୍ମଦାୟକ : ଶିଳା । ସେହି ଲିଙ୍ଗକୁ ଗଙ୍ଗାଜଳ କ୍ଷୀର, ଦଧି, ମହୁ, ଘିଅ, କଦଳୀ ଏବଂ ବେଲ ଇତ୍ୟାଦି ଦେଇ ପୂଜା କରାଯାଏ; ଶ୍ରୀଫଳ ସମର୍ପଣ କରି ଜଳଶାୟୀ କରାଯାଏ । ଜଳାଶୟୀବେଳେ ଯାଚକର ନାମ ନେଇ ଡକାଯାଏ । ଏଥିରେ ତା’ର ସକଳ ପାତକ ନାଶ ପାଇଁ ମନୋବାଞ୍ଛା ପୂରଣ ହୁଏ ବୋଲି ବିଶ୍ୱାସଚଳି ଆସୁଅଛି ।
ଶିବଙ୍କର ପ୍ରିୟ ହେଉଛି ବେଲପତ୍ର । ଫଳରେ ଧାତୁରା ଏବଂ ଫୁଲରେ ଅର୍କ । ଏଣୁ ଶିବ ପୂଜନରେ ଏ ତିନୋଟି ମୁଖ୍ୟଙ୍କୁ ନେଇ ତାଙ୍କୁ ଚଢ଼ାଯାଏ ବା ଆବୃତ୍ତ କରାଯାଏ । କୁହାଯାଏ ଯେ ଯେଉଁମାନେ ଶିବ ପୂଜନ କରନ୍ତି, ସେମାନେ ମୃତ୍ୟୁପରେ ଶିବ ଲୋକ ପ୍ରାପ୍ତ ହୁଅନ୍ତି । ତାଙ୍କୁ ଯମଦଣ୍ଡ ଲାଗେ ନାହିଁ ।
ପୁରାଣରୁ ମିଳେ : ରାବଣ ଶିବ ଭକ୍ତ ଥିଲା । ସେତୁବନ୍ଧ ସ୍ଥାପନବେଳେ ରାମଚନ୍ଦ୍ର ଶିବପୂଜା କରିଥିଲେ ଏବଂ ଶିବଲିଙ୍ଗ ସ୍ଥାପନ କରିିଥିବାରୁ ସେ ଲିଙ୍ଗଙ୍କ ନା ରାମେଶ୍ୱର ରହିଛି । ପର୍ଶୁରାମ ଶିବଙ୍କୁ ପୂଜି ବରପ୍ରାପ୍ତ ହୋଇଥିଲେ । ପାଣ୍ଡବମାନେ ବନବାସ କାଳରେ ବିଭିନ୍ନ ସ୍ଥାନରେ ଶିବଲିଙ୍ଗ ସ୍ଥାପନ କରି ସେଗୁଡ଼ିକର ପୂଜାର ପ୍ରଚଳନ କରିଥିଲେ ।
ଶିବପୁରାଣ ଏବଂ ଲିଙ୍ଗ ପୁରାଣରୁ ଶିବଙ୍କର ମହାତ୍ମ୍ୟ ମିଳେ । ସେ ଅଠଚାଳିଶିଟି ନାମରେ ଆରାଧିତ । ବିଷ୍ଣୁ ଓ ବ୍ରହ୍ମାଙ୍କ କଳହରୁ ସେମାନଙ୍କର ବିବାଦ ମେଣ୍ଟାଇବା ପାଇଁ ସେ ଲିଙ୍ଗ : ଜ୍ୟୋତିର୍ଲିଙ୍ଗ ରୂପେ ପ୍ରଥମେ ପ୍ରତୀୟମାନ ହୋଇଥିଲେ । ବ୍ରହ୍ମା ତାଙ୍କୁ ମିଥ୍ୟା କହିଥିବାରୁ ସେ ବ୍ରହ୍ମାମୁକ୍ତ ଏବଂ ବିଷ୍ଣୁ ସତ୍ୟ କହିଥିବାରୁ ସେ ବିଷ୍ଣୁଯୁକ୍ତ ଯେମିତି ‘ହରିହର’ ।
ଭାରତରେ ୧୨ଗୋଟି ମୁଖ୍ୟ ପ୍ରାଚୀନ ଶିବମନ୍ଦିର ଅଛି । ଓଡ଼ିଶାର ଗାଁ ଗଣ୍ଡାରେ ଭରପୁର । ଭୁବନେଶ୍ୱର ପରି ମନ୍ଦିର ନଗରୀ ତ ଖାଲି ଶିବମୟ ।
ଜାଗରଯାତ୍ରା ଓଡ଼ିଶାର ଗଣପର୍ବ । ଭୁବନେଶ୍ୱରର ଲିଙ୍ଗରାଜ, ପୁରୀର ଲୋକନାଥ, ଶରଣକୂଳର ଲଡ଼ୁବାବା ଏବଂ ଢ଼େଙ୍କାନାଳର କପିଳାସ ଇତ୍ୟାଦି ମନ୍ଦିରରେ ଜାଗରଯାତ୍ରା ବିଶେଷ ଭାବେ ଉଲ୍ଲେଖନୀୟ ।
ଶିବ ଲିଙ୍ଗ ଆକାରରେ ପ୍ରତୀକାତ୍ମକ ଭାବେ ପୂଜିତ ହେଲେ ହେଁ ସେ ନିରାକାର : ନିରଞ୍ଜନ, ଇଚ୍ଛା ଶକ୍ତ୍ୟାଶ୍ରୟ ନିର୍ବିଶେଷ ବ୍ରହ୍ମ ଏବଂ ସର୍ବବ୍ୟାପକ । ସେ ମଙ୍ଗଳମୟ । ଆସନ୍ତୁ ତାଙ୍କର ଶରଣାପନ୍ନ ହେବା ।
ଓଁ ନମଃ ଶିବାୟ ।
ବିପିନ ବିହାରୀ ମହାନ୍ତି
ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ