ଭାପୁରରେ ଜେଏମ୍ଏମ୍ କୋର୍ଟ ଉଦ୍ଘାଟିତ
ଭାପୁର (ଯୁଗାବ୍ଦ ନ୍ୟୁଜ):ସମସ୍ତ ଅଭିଯୋଗକାରୀଙ୍କୁ ସଠିକ୍ ନ୍ୟାୟ ଦେବା ଲାଗି ଓକିଲମାନେ ସଚେତନ ତଥା ଯତ୍ନବାନ ହେବା ଆବଶ୍ୟକ । ଯାହାଦ୍ୱାରା ନ୍ୟାୟିକ ବ୍ୟବସ୍ଥା ଉପରେ ଜନସାଧାରଣରେ ଭରସା ଅତୁଟ ରହିବ ବୋଲି ହାଇକୋର୍ଟ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ ମତପ୍ରକାଶ କରିଛନ୍ତି । ଶନିବାର ଭାପୁରଠାରେ ସିଭିଲ୍ ଜଜ୍ କମ୍ ଜେଏମ୍ଏମ୍ କୋର୍ଟର ଶୁଭ ଉଦ୍ଘାଟନ ଅବସରରେ ମୁଖ୍ୟ ଅତିଥି ରଥଙ୍କ ସହ ଜିଲ୍ଲା ସେସନ୍ସ କୋର୍ଟ ବିଚାରପତି ଗୋପାଳ ଚନ୍ଦ୍ର ପଟ୍ଟନାୟକ, ଜିଲ୍ଲାପାଳ ଏନ୍.ତିରୁମାଳା ନାୟକ, ହାଇକୋର୍ଟ ରେଜିଷ୍ଟ୍ରାର ପ୍ରକାଶ ପାତ୍ର, ବରିଷ୍ଠ ହାଇକୋର୍ଟ ଓକିଲ ଲକ୍ଷ୍ମୀଧର ପଙ୍ଗାରୀ, ଭାପୁର ବାର୍ ଆସୋସିଏସନ ସଭାପତି ଗଙ୍ଗାଧର ବାରିକ, ସରକାରୀ ଓକିଲ ସନାତନ ଷଡ଼ଙ୍ଗୀ ପ୍ରମୁଖଙ୍କ ସମେତ ଭାପୁର ନୂତନ କୋର୍ଟର ବିଚାରପତି ସ୍ମରଣିକା ପ୍ରଧାନ, ନୟାଗଡ଼ ମହିଳା କୋର୍ଟ ସବ୍ଜଜ୍ ପ୍ରଜ୍ୟେତ ରାଉତ ପ୍ରମୁଖ ଯୋଗ ଦେଇ ଭାପୁରଠାରେ ନୂତନ କୋର୍ଟ ପ୍ରତିଷ୍ଠାରେ ଜନସାଧାରଣ ଅଧିକ ଉପକୃତ ହୋଇପାରିବେ ବୋଲି ମତପ୍ରକାଶ କରିଥିଲେ । ବରିଷ୍ଠ ଓକିଲ ଗଙ୍ଗାଧର ପଣ୍ଡା ଆଜିର ଦିନକୁ ଏକ ଐତିହାସିକ ଦିନ ଭାବେ ବର୍ଣ୍ଣନା କରିଥିବାବେଳେ ଓକିଲ ଲକ୍ଷ୍ମୀଧର ପଙ୍ଗାରୀ ଭାପୁର କୋର୍ଟର ଓକିଲମାନଙ୍କୁ ସମସ୍ତ ପ୍ରକାର ସହାୟତା ଏବଂ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଭାପୁର ପଞ୍ଚାୟତର ରାଜୀବ ଗାନ୍ଧି ସେବାସଦନ ଗୃହରେ ଏହି ଜେଏମ୍ଏମ୍ କୋର୍ଟ ଆରମ୍ଭ ହେଉଥିବାବେଳ କୋର୍ଟର ନିଜସ୍ୱ ଗୃହ କାର୍ଯ୍ୟର ତ୍ୱରାନ୍ୱିତ କରାଯିବ ବୋଲି ମୁଖ୍ୟ ଅତିଥି ଜଷ୍ଟିସ ରଥ ସୂଚନା ଦେଇଛନ୍ତି । ଉଦ୍ଘାଟନ ସମାରୋହରେ ନୟାଗଡ଼, ଖଣ୍ଡପଡ଼ା ଏବଂ ଭାପୁର କୋର୍ଟର ସମସ୍ତ ଓକିଲ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ । ଭାପୁର କୋର୍ଟ ପ୍ରତିଷ୍ଠା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକଙ୍କ ସମେତ ବହୁ ବୁଦ୍ଧିଜୀବୀ, ଲୋକ ପ୍ରତିନିଧି, ସାମ୍ବାଦିକ ଉପସ୍ଥିତ ଥିଲେ । ମହିଳା କୋର୍ଟ ସବ୍ଜଜ୍ ପ୍ରଜ୍ୟେତ ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶେଷରେ ସନାତନ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।