ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ବଦଳି ନିୟମକୁ ଫୁ! ବର୍ଷାଧିକ କାଳ ଗୋଟିଏ ସ୍ଥାନରେ ରହିଛନ୍ତି କର୍ମଚାରୀ

କେନ୍ଦ୍ରାପଡ଼ା (ଓ୍ବାଇଏନଏସ):କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ବର୍ଷ ବର୍ଷ ଧରି ବାବୁ ମାନେ କାର୍ଯ୍ୟ କରୁଥିଲେ ମଧ୍ୟ ପ୍ରଶାସନ ସେମାନଙ୍କ ଦିହରେ ହାତ ମାରି ପାରୁ ନାହିଁ। କାରଣ କିଏ ୩୦ ବର୍ଷ ତ ପୁଣି କିଏ ୧୫ ବର୍ଷ ଅବା ୧୧ ବର୍ଷ ଧରି ଗୋଟିଏ ସ୍ଥାନରେ ରହି କାମ କରୁଥିବା ଦେଖିବାକୁ ମିଳିଛି। ବରିଷ୍ଠ ଷ୍ଟେନୋ ଭବେଶ ଦାସ ୧୯୯୫ ମସିହାରୁ ଏଠାରେ ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି କାମ କରିବା ପରେ ଅବସର ନେଇଥିଲେ।କମ୍ପ୍ୟୁଟର ପ୍ରୋଗ୍ରାମର ପ୍ରିୟଦର୍ଶନ ସ୍ୱାଇଁ ୨୦୧୯ମସିହାରୁ ୮ବର୍ଷ ହେଲା ଏଠାରେ କାର୍ଯ୍ୟରତ ଅଛନ୍ତି। ପ୍ରୋଗ୍ରାମ ମ୍ୟାନେଜର ଅବଦୁଲ ରହେମାନ ଖାନ୍ ୨୦୧୧ ମସିହାରୁ ଏଠାରେ ଅଛନ୍ତି। ତାଙ୍କର୧୫ ବର୍ଷରୁ ଅଧିକ ସମୟ ବିତିଲାଣି।ପ୍ରୋଗ୍ରାମ ମ୍ୟାନେଜର ଜ୍ୟୋତିପ୍ରକାଶ ଦାଶ ୨୦୧୦ ମସିହାଠାରୁ କାମ କରୁଥିବା ବେଳେ ଏଠାରେ ତାଙ୍କର ୧୬ ବର୍ଷରୁ ଅଧିକ ସମୟ ବିତିଲାଣି। ସେହିପରି ପ୍ରୋଗ୍ରାମ ମ୍ୟାନେଜର ପୁଷ୍ପଲତା ରାଉଳ ମଧ୍ୟ ୨୦୧୩ ମସିହାରୁ କାମ କରୁଥିବା ବେଳେ ତାଙ୍କର ୧୩ ବର୍ଷ ଅତିକ୍ରାନ୍ତ ହୋଇସାରିଲାଣି । ପ୍ରୋଗ୍ରାମ ମ୍ୟାନେଜର ମନମୋହିନୀ ମହାନ୍ତି ୨୦୧୪ ମସିହାରୁ ଅଦ୍ୟାବଧି ସାଢ଼େ ୧୨ବର୍ଷ ହେଲା ଏଠାରେ କାର୍ଯ୍ୟରତ ଅଛନ୍ତି। ପ୍ରୋଗ୍ରାମ ମ୍ୟାନେଜର ମନିଷା ଗୁପ୍ତା ମଧ୍ୟ ୨୦୧୬ ମସିହାରୁ ୧୦ବର୍ଷ ହେଲା ସମାନ ସ୍ଥାନରେ କାମ କରୁଛନ୍ତି। ପ୍ରୋଗ୍ରାମ ମ୍ୟାନେଜର ସୁକନ୍ୟା ଦିବ୍ୟଜ୍ୟୋତି ସ୍ୱାଇଁ ୨୦୨୦ ମସିହାରୁ ୬ବର୍ଷ ଗୋଟିଏ ସ୍ଥାନରେ କାର୍ଯ୍ୟରତ ଅଛନ୍ତି। ସେହିପରି କନିଷ୍ଠ କିରାଣୀ ପ୍ରମିଳା ମିଶ୍ର ୨୦୧୭ ମସିହାରୁ ୯ବର୍ଷ ହେଲା କାମ କରୁଛନ୍ତି। ଜୁନିୟର ଷ୍ଟେନୋ ମନୋଜ କୁମାର ପରିଡ଼ା ୨୦୧୬ମସିହାରୁ ଦୀର୍ଘ ୧୦ବର୍ଷ ହେଲା ଗୋଟିଏ ଯାଗାରେ ରହିଛନ୍ତି। ଏନ୍‌ଆରଇଜିଏସ ଆସିଷ୍ଟାଣ୍ଟ କୃଷ୍ଣଚନ୍ଦ୍ର ନାୟକ ୨୦୧୧ ମସିହାରୁ ରହିଥିବା ବେଳେ ବିଶ୍ୱରଞ୍ଜନ ସ୍ୱାଇଁ ୨୦୧୮ ମସିହାରୁ ଗୋଟିଏ ଯାଗାରେ ଆଉଟ୍‌ସୋର୍ସିଂ ସଂସ୍ଥା ଜରିଆରେ କାମ କରୁଥିବା ବେଳେ ସେମାନେ ଯଥାକ୍ରମେ ୧୫ ବର୍ଷ ଓ ୮ବର୍ଷ ହେଲା କାର୍ଯ୍ୟରତ ଅଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତିଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି ଯେ ପ୍ରୋଗ୍ରାମ ମ୍ୟାନେଜର ମାନଙ୍କୁ ଠିକା ଭିତିରେ ସରକାର ନିଯୁକ୍ତି ଦେଇଛନ୍ତି।ସେମାନଙ୍କ ବଦଳି ବାବଦରେ ସରକାର ନିଷ୍ପତି ନେବେ। ସର୍ଭିସ ପ୍ରୋଭାଇଡର ସଂସ୍ଥା ନିଯୁକ୍ତି ଦେଇଥିବା କର୍ମଚାରୀଙ୍କ ବଦଳି ନିଷ୍ପତି ନେବ। ଅନ୍ୟ କିଛି କର୍ମଚାରୀ ସିଧାସଳଖ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ନିଯୁକ୍ତ ପାଇଛନ୍ତି ଓ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଅନ୍ୟ କୌଣସି ଶାଖା କାର୍ଯ୍ୟାଳୟ ନଥିବାରୁ ସେମାନଙ୍କୁ ଅନ୍ୟତ୍ର ବଦଳି କରିବାର ବ୍ୟବସ୍ଥା ନାହିଁ। ପୂର୍ବରୁ ମଧ୍ୟ ଜଣେ ପ୍ରୋଗ୍ରାମ ମ୍ୟାନେଜରଙ୍କୁ ଏଠାରୁ ବଦଳି କରାଯାଇଛି କିନ୍ତୁ ଅନ୍ୟମାନଙ୍କ କ୍ଷେତ୍ରରେ କାହିଁକି କାର୍ଯ୍ୟକାରୀ କରାଯାଇପାରିବ ନାହିଁ ବୋଲି ସାଧାରଣ ମହଲରେ ଉଦବେଗ ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥାର ସୁପରିଚାଳନା ତଥା ୩ବର୍ଷରୁ ଉର୍ଦ୍ଧ୍ୱ ରହିଥିବା କର୍ମଚାରୀଙ୍କୁ ବଦଳି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବାକୁ ନିର୍ଦ୍ଦେଶ ରହିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ଧରି ଗୋଟିଏ ଯାଗାରେ ଗାଦି ମାଡ଼ି ବସିଥିବା କର୍ମଚାରୀଙ୍କ କ୍ଷେତ୍ରରେ ବଦଳି ନିୟମ କେବେ କାର୍ଯ୍ୟକାରୀ ହେବ ତାହା ଜିଲ୍ଲା ପ୍ରଶାସନର ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ