ବରିଷ୍ଠ ସାମ୍ବାଦିକ ସୁବ୍ରତ ଦାସ ପାଇଲେ ସପ୍ତଦଶ ନାରଦ ସମ୍ମାନ

ଭୁବନେଶ୍ୱର,(ଯୁଗାଦ୍ଦ ନ୍ୟୁଜ) :ଉତ୍ତର ଅଶୀରେ ଯେଉଁ କେତେଜଣ ଓଡିଆ ଯୁବ ସାମ୍ବାଦିକ ରାଜ୍ୟର ସାମ୍ବାଦିକତାକୁ ପେଶା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଦେବା ପାଇଁ ପ୍ରଚେଷ୍ଠା କରି ସଫଳ ହୋଇଥିଲେ ସେମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ସୁବ୍ରତ ଦାସ ଅନ୍ୟତମ । ସେ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରୁ ଉଚ୍ଚଶିକ୍ଷା ପରେ ପଲ୍ଲୀର ଦୁଃଖ ଯନ୍ତ୍ରଣାକୁ ଗଣମାଧ୍ୟମରେ ସ୍ଥାନ ଦେବା ପାଇଁ ଅଧ୍ୟାପନାକୁ ନଯାଇ ସାମ୍ବାଦିକତା କ୍ଷେତ୍ରକୁ ପ୍ରାଧାନ୍ୟ ଦେଇଥିଲେ । ୧୯୮୪ ରୁ ୨୦୧୮ ପର୍ଯ୍ୟନ୍ତ ତାଙ୍କର ସେହି ଏକନିଷ୍ଠ ସାଧନା ଯୋଗୁଁ ରାଜ୍ୟରେ ଇଂରାଜୀ ସାମ୍ବାଦିକତାର ଧାରା ଆଜି ବେଶ୍ ବଳିଷ୍ଠ ହୋଇଛି । ସେ ସର୍ବ ଭାରତୀୟ ସ୍ତରରେ ସମ୍ବାଦପତ୍ର ପାଇଁ କାର୍ଯ୍ୟକରି ରାଜ୍ୟର ଚିତ୍ର ଓ ଚରିତ୍ରକୁ ବାହାରେ ପରିଚିତ କରାଇବାକୁ ସଫଳ ହୋଇଛନ୍ତି । ତେଣୁ ତାଙ୍କର ଜୀବନବ୍ୟାପୀ ସାଧନା, ଅଧ୍ୟବସାୟ ଓ ସାମ୍ବାଦିକତା କ୍ଷେତ୍ରକୁ ଅବଦାନ ନିମିତ୍ତ ବିଶ୍ୱ ସମ୍ବାଦ କେନ୍ଦ୍ର, ଓଡିଶା ତରଫରୁ ୨୦୧୯ ବର୍ଷ ନିମନ୍ତେ ମର୍ଯ୍ୟାଦାପୂର୍ଣ୍ଣ ନାରଦ ସମ୍ମାନରେ ବିଭୂଷିତ କରଯାଇଛି । ବିଶ୍ୱ ସମ୍ବାଦ କେନ୍ଦ୍ର,ଓଡିଶା ତରଫରୁ ସଂଗଠନର ସଭାପତି ଅଧ୍ୟାପକ ନିରଞ୍ଜନ ପାଢୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ‘ସପ୍ତଦଶ ନାରଦ ସମ୍ମାନ’ ଓ ନାରଦ ଜୟନ୍ତୀ ଉତ୍ସବ ଭୁବନେଶ୍ୱର ସ୍ଥିତ ଇଡିକଲ ଅଡିଟୋରିୟମରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ କାର୍ଯବାହ ଡ.ଅନୀଲ କୁମାର ମିଶ୍ର ମୁଖ୍ୟବକ୍ତା ରୂପେ ଯୋଗଦେଇ ଶ୍ରୀ ଦାସଙ୍କୁ ‘ସପ୍ତଦଶ ନାରଦ ସମ୍ମାନ’ ପ୍ରଦାନ କରିଥିଲେ । ଶ୍ରୀ ଦାଶଙ୍କୁ ମାନପତ୍ର, ଉତ୍ତରୀୟ, ନାରିକେଳ ଓ ଦଶ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା । ତପେଶ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଗଠନର ସଂପାଦକ ସୁମନ୍ତ କୁମାର ପଣ୍ଡା ବାର୍ଷିକ ବିବରଣୀ ପାଠ, ସହ ସଂପାଦକ ସବ୍ୟସାଚୀ ବେହେରା ଅତିଥି ପରିଚୟ କରିଥିବା ବେଳେ ଉପସଭାପତି ନିରଞ୍ଜନ ନାୟକ ମାନପତ୍ର ପାଠ କରିଥିଲେ । ୟୁନିଟ-୩ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ଗଣତାନ୍ତ୍ରିକ ଆଲୋଚନା ଓ ଗଣମାଧ୍ୟମରେ ସ୍ୱାଧିନତା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା,ଜନସାଧାରଣଙ୍କୁ ନିରପେକ୍ଷ,ମୁକ୍ତ ଓ ଦାୟିତ୍ୱ ସମ୍ପନ୍ନ ସଂବାଦ ସଂସ୍ଥାର ଆବଶ୍ୟକତା ସଂପର୍କରେ ଅବଗତ କରାଇବା, ରାଷ୍ଟ୍ର ଓ ସଂସ୍କୃତିର ପ୍ରଗତି ପାଇଁ ଲେଖନୀ ଚାଳନା କରୁଥିବା ଗଣମାଧ୍ୟମର ବ୍ୟକ୍ତିତ୍ୱଙ୍କୁ ପ୍ରତିବର୍ଷ ବିଶ୍ୱ ସମ୍ବାଦ କେନ୍ଦ୍ର,ଓଡିଶା ତରଫରୁ ଏହି ନାରଦ ଜୟନ୍ତୀରେ ରାଜ୍ୟ ସ୍ତରୀୟ ସାମ୍ବାଦିକ ପୁରସ୍କାର ନାରଦ ସମ୍ମାନ ପ୍ରଦାନ କରାଯାଇଥାଏ । ଦୀର୍ଘ ୧୭ବର୍ଷ ପୂର୍ବରୁ ବିଶ୍ୱ ସମ୍ବାଦ କେନ୍ଦ୍ର ତରଫରୁ ଆଦ୍ୟ ସାମ୍ବାଦିକ ଦେବର୍ଷି ନାରଦଙ୍କ ଜୟନ୍ତୀ ପାଳନ କରାଯିବା ସହ ରାଜ୍ୟର ଜଣେ ବରିଷ୍ଠ ତଥା ବିଶିଷ୍ଟ ସାମ୍ବାଦିକଙ୍କୁ ରାଜ୍ୟସ୍ତରୀୟ ନାରଦ ସମ୍ମାନ ପ୍ରଦାନ କରାଯାଉଛି । ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ବରିଷ୍ଠ ସାମ୍ବାଦିକ ଶ୍ରୀ ଅରୁଣ କୁମାର ପଣ୍ଡା, ଭଗବାନ ନାୟକବର୍ମା,ରାଜାରାମ ଶତପଥି,ଗୋପାଳକୃଷ୍ଣ ମହାପାତ୍ର,ସ୍ୱର୍ଗତ ଗୋପାଳ ମିଶ୍ର,ସୁଧିର କୁମାର ଦାଶ, ସ୍ୱର୍ଗତ ବରେନ୍ଦ୍ରକୃଷ୍ଣ ଧଳ,ଭାଗିରଥି ମହାସୁଆର,ଭାସ୍କର ପରିଚ୍ଛା ,ପ୍ରଭୂ କଲ୍ୟାଣ ମହାପାତ୍ର , ପ୍ରତାପ ମହାନ୍ତି,ଜଗବନ୍ଧୁ ମିଶ୍ର,ସିଦ୍ଧାର୍ଥ କାନୁନ୍ଗୋ, ଶିବନାରାୟଣ ସିଂହ ଓ ତପନ ମିଶ୍ର ପ୍ରମୁଖ ଏହି ନାରଦ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ