ପଞ୍ଚାୟତ ସମିତି ପକ୍ଷରୁ କରୋନା ସଚେତନତା ବୈଠକ
ବନ୍ତ, (ଯୁଗାଦ୍ଧ ନ୍ୟୁଜ୍) : ବୁଧବାର ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ କରୋନା ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା, ଜିଲା ପରିଷଦ ସଭ୍ୟ ପ୍ରଶାନ୍ତ ଦାଶ, ଗ୍ରାମ ପଞ୍ଚାୟତ ଅଧିକାରୀ ନିଶିକାନ୍ତ ଖୁଣ୍ଟିଆ, ଆଗରପଡା ଗୋଷ୍ଠୀ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୀପକ କୁମାର ଜେନା, ସିଡିପିଓ ରେଣୁବାଳା ଦାଶ, ଚନ୍ଦ୍ରକାନ୍ତି ରଣା ପ୍ରମୁଖ ଯୋଗ ଦେଇ କରୋନା ସଂପର୍କରେ ସଚେତନ କରାଇଥିଲେ । ଏହି ରୋଗ ପାଇଁ ଅଯଥା ଭୟଭୀତ ନହୋଇ ହାତକୁ ସାବୁନ, ପାଣିରେ ଧୋଇ ସଫା କରିବା, କାଶିବା, ଛିଙ୍କିବା ବେଳେ ଦୂରତାରେ ରହିବା, କାହା ସହିତ ହାତ ନମିଳାଇବା, ଜନସମାଗ ସ୍ଥାନ ଠାରୁ ଦୂରେଇ ରହିବା, ଆବଶ୍ୟକ ନଥିଲେ ବାହାରକୁ ଯାତ୍ରା ନକରିବା, ସନ୍ଦେହ ଯୁକ୍ତ ଲକ୍ଷଣ ଥିବା ବ୍ୟକ୍ତିଙ୍କ ସୂଚନା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦେବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ବିଦେଶରୁ ଫେରୁଥିବା ନିଜ ଅଞ୍ଚଳର ଲୋକଙ୍କ ସଂପର୍କରେ ଜନପ୍ରତିନିଧି ମାନେ ପ୍ରଶାସନକୁ ଖବର ଦେବାକୁ ପରାମର୍ଶ ଦିଆଯାଇଥିଲା । ଅପରପକ୍ଷେ ଏହି ସଚେତନତା ବୈଠକରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହ୍ୟାଣ୍ଡ ୱାସ୍ରେ ହାତ ସଫା କରିବା କିମ୍ବା ମାକ୍ସ ପ୍ରଦାନର ବ୍ୟବସ୍ଥା କରାଯାଇନଥିବାରୁ ଉପସ୍ଥିତ ଜନପ୍ରତିନିଧିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ବୈଠକରେ ୨୫ଟି ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟଙ୍କ ସମେତ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।