ହିଂଜିଳିରେ ସିରିଜ୍ ଚୋରୀ :ଲୁଟେରା ମାତିଛି , ପୁଲିସ ପ୍ରଶାସନ ଶୋଇଛି
ହିଂଜିଳିକାଟୁ,(ଶେଷଦେବ ସାହୁ) : ହିଂଜିଳି ଥାନା ଅଂଚଳରୋ ସିରିଜ୍ ଚୋରୀ ଘଟଣା ସ୍ଥାନୀୟ ପୁଲିସ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ବୁଧବାର ବିଳମ୍ବିତ ରାତିରେ ହିଂଜିଳି ଥାନା ସିକିରି ଗ୍ରାମର ଗୋପାଳ ପଣ୍ଡାଙ୍କ ବାରିପଟ କବାଟ ତାଡ଼ି ଘର ମଧ୍ୟରେ ପଶି ୨୨ ଭରି ଓଜନର ସୁନା ଅଳଙ୍କାର ସମେତ ନଗଦ ଟଙ୍କା ଓ ଅନ୍ୟାନ ଆସବାବ ପତ୍ର ଚୋରୀ ଘଟଣାର ୨୪ ଘଂଟା ନପୂରୁଣୁ ପୁଣି ଥରେ ଲୁଟେରା ଗ୍ୟାଙ୍ଗ୍ ସ୍ଥାନୀୟ ପୁଲିସ ପ୍ରଶାସନକୁ ଚକମା ଦେଖାଇ ଗୁରୁବାର ବିଳମ୍ବିତ ରାତିରେ ହିଂଜିଳି ଥାନା ଆଡ଼ପଡ଼ା ଫାଣ୍ଡି ପଥରପୁଞ୍ଜୀ ଗ୍ରାମ ଓ ସ୍ଥାନୀୟ ଥାନା ରାମଚନ୍ଦ୍ରପୁର ଗ୍ରାମରୁ ଲୁଟେରା ମାନେ ସୁନା, ରୂପା ଅଳଙ୍କାର ସମେତ ନଗଦ ଟଙ୍କା ଚୋରୀ କରି ଫେରାର ହେବାରେ ସକ୍ଷମ ହୋଇଛନ୍ତି । ହିଂଜିଳି ଥାନା ଅଂଚଳରୁ ସିରିଜ ଚୋରୀ ଘଟଣା ପରେ ଲୁଟେରା ମାତିଛି ଏବଂ ପୁଲିସ ପ୍ରଶାସନ ଶୋଇଛି ବୋଲି ସ୍ଥାନୀୟ ଅଂଚଳର ବାଟେ ଘାଟେ ଚର୍ଚ୍ଚା ହେଉଛି ।
ପ୍ରକାଶ ଯେ, ଗୁରୁବାର ବିଳମ୍ବିତ ରାତିରେ ହିଂଜିଳି ଥାନା ରାମଚନ୍ଦ୍ରପୁର ଗ୍ରାମର ହେମନ୍ତ ସେଠିଙ୍କ ପରିବାର ଘର ମଧ୍ୟରେ ଶୋଇଥିବା ବେଳେ ଘରର ସିଡ଼ି ରାସ୍ତା ଦେଇ ଲୁଟେରା ମାନେ ଘର ମଧ୍ୟରେ ପଶି ୬ ଭରି ଓଜନର ସୁନା ଅଳଙ୍କାର ଲୁଟ କରି ଫେରାର ହୋଇ ଯାଇଛନ୍ତି ।ଲୁଟ ସୁନା ଅଳଙ୍କାର ମଧ୍ୟରେ ଗୋଟିଏ ଝିକା ନାନୁ, ଗୋଟିଏ ମୁଦି ଓ ୨ ଟି କାନପୁଲ ରହିଥିବା ଜଣାପଡ଼ିଛି । ଲୁଟେରା ମାନେ ଲୁଟ କରି ଫେରୁଥିବା ବେଳେ ଦୁର୍ଭାଗ୍ୟ ବଶତଃ ଲୁଟେରାଙ୍କ ହାତରୁ ସୁନା ରହିଥିବା ଖାଲି ଆଲୁମିନିୟମ ବକ୍ସଟି କସି ପଡ଼ିବାରୁ ପରିବାର ସଦସ୍ୟ ଉଠିପଡ଼ି ଚୋର ଚୋର ବୋଲି ଚିକ୍ରାର କରିବାରୁ ଲୁଟେରା ମାନେ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ । ଏ ନେଇ ହେମନ୍ତ ଶୁକ୍ରବାର ସକାଳେ ହିଂଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ହିଂଜିଳି ପୁଲିସର ଏକ ଟିମ ଘଟଣା ସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଛି । ସେହିପରି ବିଳମ୍ବିତ ରାତିରେ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିବା ଡ଼ାକ୍ତର ବାହନ ଦାସ ଡ଼ାକ୍ତରଖାନାରେ ଡ଼୍ୟୁଟି କରୁଥିବା ବେଳେ ଡ଼ାକ୍ତର ଦାସଙ୍କ ବାସଭବନ ହିଂଜିଳି ଥାନା ଆଡ଼ପଡ଼ା ଫାଣ୍ଡି ପଥରପୁଞ୍ଜୀ ଗ୍ରାମରେ ଲୁଟେରା ମାନେ ଡ଼ାକ୍ତରଙ୍କ ଘରର ବାରପଟ କବାଟ ଭାଙ୍ଗି ଘର ମଧ୍ୟରେ ପଶି ଆଲମୀରାକୁ ଭାଙ୍ଗି ହୁ ସୁନା ଓ ରୁପା ଅଳଙ୍କାର ସମେତ ନଗଦ ୪୫ ହଜାର ଟଙ୍କା ଓ ଅନ୍ୟାନ ମୂଲ୍ୟବାନ ଆସବାବ ପତ୍ର ଚୋରୀ କରି ଲୁଟେରା ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଛନ୍ତି । ତେବେ ଡ଼ାକ୍ତରଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇନଥିବା ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି ।ବୁଧବାର ବିଳମ୍ବିତ ରାତିରେ ସିକିରି ଗ୍ରାମରେ ଘଟିଥିବା ଲୁଟ ଘଟଣାର ଗୋଟିଏ ଦିନ ନପୁରୁଣୁ ଲୁଟେରା ମାନେ ପୁଲିସ ପ୍ରଶାସନକୁ ଚ୍ୟାଲେଂଜ ଦେଇ ଆଉ ୨ ଟି ଲୁଟ କରିବା ପରେ ସ୍ଥାନୀୟ ପୁଲିସ ପ୍ରଶାସନର ପାରିବାପଣ ପ୍ରତି ଅଙ୍ଗୁଳି ଉଠିଛି । ଶୁକ୍ରବବାର ପୂର୍ବାହ୍ନରେ ଆସିକା ପୁଲିସ ଉପଖଣ୍ଡ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ ହିଂଜିଳି ଗ୍ରସ୍ତରେ ଆସି ଚୋରୀ ଘଟଣାର ଟିକିନିଖି ଖବର ପଚାରି ବୁଝିଥିବା ଜଣାପଡ଼ିଛି । ଗତ ୨ ଦିନରେ ହିଂଜିଳି ଥାନା ଅଂଚଳରୁ ସିରିଜ ଚୋରୀ ଘଟଣା ପରେ ପୁଲିସ ଆଖିରୁ ନିଦ ହଜିଯାଇଛି । ଲୁଟେରାଙ୍କୁ ଧରିବା ପାଇଁ ସ୍ଥାନୀୟ ପୁଲିସ ପ୍ରଶାସନ ଚଢାଉ ଜାରୀ ରଖିଛି ।