ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଷ୍ଟ୍ରିଟ୍ ଭେଣ୍ଡରଙ୍କୁ ୩ ହଜାର ଟଙ୍କା, ନିରାଶ୍ରୟଙ୍କୁ ରନ୍ଧାଖାଦ୍ୟ
ଭୁବନେଶ୍ବର : କରୋନା ମୁକାବିଲାକୁ ଓଡିଶା ସରକାରଙ୍କ ପକ୍ଷରୁ ଜୋରଦାର କରାଯାଇଛି । ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ଶନିବାର ସରକାରଙ୍କ ପକ୍ଷରୁ ଉଠା ଦୋକାନୀଙ୍କ ପାଇଁ ସହାୟତା ରାଶି ଘୋଷଣା କରାଯିବା ସହିତ ନିରାଶ୍ରୟ ଲୋକଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି । ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଦୈନିକ ଶହେରୁ ଦୁଇଶହ ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯିବା ନେଇ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଏହି ଖାଦ୍ୟ ପ୍ରସ୍ତୁତ କରାଯିବ । ଏହା ଦ୍ବାରା ପ୍ରାୟ ୧୦ ଲକ୍ଷ ଗରିବ ଲୋକ ଉପକୃତ ହେବେ ବୋଲି ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି ।
ସେହିପରି ଷ୍ଟ୍ରିଟ୍ ଭେଣ୍ଡର ମାନଙ୍କ ପାଇଁ ୩ ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି । ରାଜ୍ୟର ୧୧୪ଟି ପୌରାଞ୍ଚଳର ପଞ୍ଜୀକୃତ ଉଠା ଦୋକାନୀଙ୍କ ପାଇଁ ଏହି ସହାୟତା ରାଶି ଘୋଷଣା କରାଯାଇଛି । ଏହା ଦ୍ବାରା ପ୍ରାୟ ୬୫ ହଜାର ଉଠାଦୋକାନୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଏକ ଭିଡିଓ ବାର୍ତ୍ତା ଜରିଆରେ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗତକାଲି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୨୨ ଶହ ଟଙ୍କାର କରୋନା ପ୍ୟାକେଜ୍ ଘୋଷଣା କରାଯାଇଥିଲା ।