ବିଭିନ୍ନ ବ୍ୟାଙ୍କ ଓ ଇନ୍ସୁରାନ୍ସ କମ୍ପାନୀ ସହିତ ଜିଲ୍ଲାପାଳଙ୍କ ବୈଠକ
ପୁରୀ(ଜୁଗାବ୍ଦ ନ୍ୟୁଜ୍): ଗୁରୁବାର ଅପରାହ୍ନରେ ସ୍ଥାନୀୟ ସର୍କିଟ୍ ହାଉସ୍ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ବାତ୍ୟା ଫାନିକୁ ନେଇ ବିଭିନ୍ନ ବ୍ୟାଙ୍କ ଓ ଇନ୍ସୁରାନ୍ସ କମ୍ପାନୀର ଏକ ସ୍ୱତନ୍ତ୍ର ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ଅନୁଷ୍ଠିତ ହୋଇଥିଲା । ଏଥିରେ ଲିଡ୍ ବ୍ୟାଙ୍କ ମ୍ୟାନେଜର ବ୍ରଜ କିଶୋର ମହାନ୍ତି, ନିର୍ମଳଚନ୍ଦ୍ର ପଟ୍ଟନାୟକ (ଆରବିଆଇ), ନାବାର୍ଡର ଏବିଏମ୍ ତାପସ କୁମାର ଦାସଙ୍କ ସମେତ ବିଭିନ୍ନ ରାଷ୍ଟ୍ରୀୟ ଓ ବେସରକାରୀ ବ୍ୟାଙ୍କ ଓ ଇନ୍ସୁରାନ୍ସର ଉଚ୍ଚସ୍ତରୀୟ ଅଧିକାରୀମାନେ ଯୋଗଦେଇ ବାତ୍ୟାରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ବ୍ୟାଙ୍କ ଓ ଇନ୍ସୁରାନ୍ସ କମ୍ପାନୀ ପକ୍ଷରୁ ବିଭିନ୍ନ ରିଲିଫ୍ ସହାୟତା ସମ୍ପର୍କରେ ଆଲୋଚନା କରିଥିଲେ । ଲୋକଙ୍କ ଋଣ ପରିଶୋଧ ଅବଧିକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଚାଷୀଙ୍କର ୩୦ ପ୍ରତିଶତ ଫସଲ ନଷ୍ଟ ହୋଇଥିଲେ ୧ବର୍ଷ ଓ ୫୦ ପ୍ରତିଶତ ଫସଲ ନଷ୍ଟ ହୋଇଥିଲେ ଦୁଇରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଋଣ ପରିଶୋଧ ସ୍ଥଗିତ କରାଯିବାକୁ ନିଷ୍ପତ୍ତି ହୋଇଛି । ଜିଲ୍ଲାପାଳ ବିଭିନ୍ନ ବ୍ୟାଙ୍କ ଚାଷୀଙ୍କୁ ନୂତନ ଫସଲ ଋଣ ଯୋଗାଇ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିପରି କାରିଗର ଓ ଆତ୍ମନିଯୁକ୍ତି ବ୍ୟକ୍ତି କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପକୁ ରୋଜଗାରକ୍ଷମ କରିବା ପାଇଁ ନୂତନ ଋଣ ପ୍ରଦାନ ପ।।ଇଁ ନିର୍ଦ୍ଦେଶ ଦିଆଯାଇଛି । ଇନ୍ସୁରାନ୍ସ କରିଥିବା ବ୍ୟକ୍ତିଙ୍କୁ ତରୁନ୍ତ ଅର୍ଥ ପ୍ରଦାନ ପାଇଁ ମଧ୍ୟ ଅଧିକାରୀମାନଙ୍କୁ କୁହାଯାଇଛି । ଜୁନ୍ ୧୦ରୁ ୨୬ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ୧୧ଟି ବ୍ଲକ୍ରେ ଭିନ୍ନ ଭିନ୍ନ ଦିନରେ ଭିନ୍ନ ଭିନ୍ନ ବ୍ୟାଙ୍କ ଦ୍ୱାରା ଋଣମେଳାର ଆୟୋଜନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ୟୁକୋ ବ୍ୟାଙ୍କ ଦ୍ୱାରା କାକଟପୁରରେ ଜୁନ୍ ୧୦, ନିମାପଡାରେ ଜୁନ୍ ୧୧, ଡେଲାଙ୍ଗରେ ଜୁନ୍ ୧୨ରେ ଷ୍ଟେଟ୍ ବ୍ୟାଙ୍କ ଦ୍ୱାରା, ପୁରୀ ପୌରପାଳିକାରେ ୧୫ ତାରିଖ,ପିପିଲିରେ ୧୭ ତାରିଖ,ସତ୍ୟବାଦୀରରେ ୧୮ ତାରିଖ, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଦ୍ୱାରା ବ୍ରହ୍ମଗିରି ଜୁନ୍ ୧୯ରେ, କଣାସରେ ଜୁନ୍ ୨୦ରେ ଋଣମେଳାର ଆୟୋଜନ ଦିନ ଧାର୍ଯ୍ୟ କରାଯାଇଛି । ସେହିପରି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ ଗୋପୀନାଥପୁର ଶାଖା ପକ୍ଷରୁ ପୁରୀ ସଦରରେ ଜୁନ୍ ୨୧ ତାରିଖ, ଗୋପରେ ଜୁନ୍ ୨୪ ଓ ଆହ୍ଳାବାଦ୍ ବ୍ୟାଙ୍କ ଦ୍ୱାରା ଜୁନ୍ ୨୫ରେ ଅସ୍ତରଙ୍ଗ ଏବଂ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ଜୁନ୍ ୨୬ ରେ କୃଷ୍ଣପ୍ରସାଦ ବ୍ଲକ୍ରେ ଋଣମେଳା କରିବା ପାଇଁ ବୈଠକରେ ସ୍ଥିରୀକୃତ ହୋଇଛି । ଏହି ମେଳାରେ ସମସ୍ତ ବ୍ଲକ୍ ଅଧିକାରୀ, ଜିଲ୍ଲା ଅଧିକାରୀ, କୃଷି, ମତ୍ସ୍ୟ ଓ ଉଦ୍ୟାନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିବେ ।